ବନ୍ଧାହେଲେ ବିଧାୟକ : ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ, ଜେଲ୍‌ ଗଲେ ପ୍ରଦୀପ

ଭାବୀ ଜ୍ୱାଇଁ ଆକାଶଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ
ଜାଲିଆତି, ଠକେଇ, ଅପରାଧିକ ଷଡ଼୍‌ଯନ୍ତ୍ର ମାମଲା ରୁଜୁ

ଭୁବନେଶ୍ୱର : ଗୁରୁବାର ସଂଧ୍ୟା ପାଖାପାଖି ୬ଟା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହଠାତ୍‌ ତାଙ୍କ ସରକାରୀ ବାସଭବନରୁ କିଛି ବ୍ୟକ୍ତି ଉଠାଇନେଲେ। ପ୍ରଦୀପ କୁଆଡ଼େ ଗଲେ ବୋଲି ପତ୍ନୀ ସୁଜାତା ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିବା ପରେ ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ଜଣାଇଲା ଯେ ସାଇବର ଥାନା ମାମଲାରେ ସେମାନେ ପ୍ରଦୀପଙ୍କୁ ଜେରା କରୁଛନ୍ତି। ପାଖାପାଖି ଅଢ଼େଇ ଘଣ୍ଟା ପରେ ଏକ ପ୍ରେସ ଇସ୍ତାହାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଗଲା, ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ସେ ଗିରଫ ହୋଇଛନ୍ତି।

ଏହାପରେ ପାଣିଗ୍ରାହୀଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାସହିତ ଭାବୀ ଜ୍ବାଇଁ ଆକାଶ ପାଠକ ପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଅଭୟ ପାଠକଙ୍କ ଘରେ ଭିଜିଲାନ୍ସ ଚଢଉ ପରଠାରୁ ପ୍ରଦୀପ ଅଡ଼ୁଆରେ ଥିଲେ।

ସାଇବର ଥାନାରେ ସେପ୍ଟେମ୍ବର ୨୩ ତାରିଖରେ ଟାଟା ମୋଟର୍ସ ପକ୍ଷରୁ ଉପ ମହାପ୍ରବନ୍ଧକ ତ୍ରିଲୋଚନ ମହାନ୍ତି ଯେଉଁ ଅଭିଯୋଗ କରିଥିଲେ, ତା ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୬/୨୦୨୦ରେ ଏକ ମକଦ୍ଦମା ରୁଜୁ କରାଯାଇଥିଲା। ଏହା ଉପରେ ଗତ ଚାରି ପାଞ୍ଚ ଦିନ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତନାଘନା ଚଳାଇଥିଲେ। ବ୍ରହ୍ମପୁରରେ ବିଭିନ୍ନ ଆକାଉଣ୍ଟ ଖୋଜି ସେଥିରେ ଅର୍ଥ କାରବାର ସଂପର୍କରେ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲେ। ଆଜି ପୂର୍ବାହ୍ନରେ ପ୍ରଦୀପଙ୍କ ଗୋଟିଏ ଆକାଉଣ୍ଟରୁ ମିଳିଥିବା ତଥ୍ୟ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆଗକୁ ନେଇଥିଲା।

ଆଜି ସନ୍ଧ୍ୟାବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସଦଳବଳେ ଭୁବନେଶ୍ବର ୟୁନିଟ୍ -୬ ସ୍ଥିତ ପ୍ରଦୀପଙ୍କ ବାସଭବନ ଯାଇ ତାଙ୍କୁ ଉଠାଇ ଆଣିଥିଲେ। ତାଙ୍କ ବିରୋଧରେ ଆଇପିସିର ଧାରା ୪୧୯/୪୨୦/୪୬୭/୪୬୮/୪୬୯/୪୭୧ ଧାରାରେ ମକଦ୍ଦମା ରୁଜୁ ହୋଇଛି। ଏହାବ୍ୟତୀତ ଆଇପିସି ଦଫା ୧୨୦ ବି, ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଦଫା ଲାଗିଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଆକାଶ ପାଠକ ଟାଟା କଂପାନିରେ ଚାକିରି କରାଇ ଦେବେ ବୋଲି କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ। ଶ୍ରୀ ପାଣିଗ୍ରାହୀ ଆକାଶଙ୍କ ପାଇଁ ଟଙ୍କା ଆଦାୟ କରିଥିବା ସଂକ୍ରାନ୍ତ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିଛି। ଆକାଶ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର୍ ଡିଭିଜନ୍ ପରିଚାଳନା ନିର୍ଦେଶକ ଦାୟିତ୍ବରେ ଥିବା ଜଣାଇ ଏଭଳି କାରସାଦି କରିଥିଲେ।

ପ୍ରଦୀପଙ୍କୁ ଗିରଫ କରିବା ପରେ ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ପ୍ରଦୀପ କହିଛନ୍ତି ଯେ ଯାହା ସେ ଆଶା କରୁଥିଲେ ତାହା ହିଁ ହୋଇଛି।

ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ପାଠକ ପରିବାରର ପାରିବାରିକ ସଂପର୍କ ଆଗକୁ ବଢ଼ିବା ସହିତ ଅପରାଧିକ କାର୍ଯ୍ୟରେ ଉଭୟ ଯୋଡି ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୨୫ ତାରିଖରୁ ଛକାପଞ୍ଝା ଜାରି ରହିଥିଲା।

ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ପ୍ରଦୀପଙ୍କୁ ପୁଲିସ ନେବା ପରେ ତାଙ୍କ ପତ୍ନୀ ସୁଜାତା ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ସ୍ୱାମୀ ଘରେ ଥିବା ବେଳେ ୪ଟି ଗାଡିରେ ୧୦ରୁ ୧୫ ଲୋକ ବାସଭବନକୁ ଆସିଥିଲେ। ଗେଟ୍ ଖୋଲା ନଥିଲା। ସେମାନେ ଗେଟ୍ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ। ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ। ଯଦି ପ୍ରଦୀପଙ୍କର କିଛି ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।

ସମ୍ବନ୍ଧିତ ଖବର