ଝାରପଡ଼ା ଜେଲ୍‌ ଫେରିଲେ ବିଧାୟକ ପ୍ରଦୀପ

କୁକୁଡ଼ାଖଣ୍ଡି ମେଡିକାଲରେ ହେଲା କୋଭିଡ୍‌ ପରୀକ୍ଷା

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆଜି ବ୍ରହ୍ମପୁରରୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପୁଲିସ ଟିମ୍‌ ବିଧାୟକ ପ୍ରଦୀପଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ପ୍ରଥମେ ତାଙ୍କୁ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇ ସେଠାରୁ ଭୁବନେଶ୍ବର ନିଆଯାଇଥିଲା।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ବିଧାୟକ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗୋଳନ୍ଥରା ଥାନାରେ ମଧ୍ୟ ତାଙ୍କ ନାମରେ ୩ଟି ଠକେଇ ମାମଲା ରୁଜୁ ହୋଇଥିଲା। ଏହି ୩ଟି ମାମଲାରେ ରିମାଣ୍ଡ ଯୋଡ଼ିବା ପାଇଁ ଗୋଳନ୍ଥରା ଥାନା ପୁଲିସ କୋର୍ଟରେ ଆବେଦନ କରିଥିଲା। ବିଧାୟକ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପାଇଁ ଅନୁମତି ମିଳିଥିଲା। ବ୍ରହ୍ମପୁର ପୁଲିସର ଏକ ଟିମ୍‌ ଗତ ଗୁରୁବାର ଭୁବନେଶ୍ବର ଯାଇ ଝାରପଡ଼ା ଜେଲ୍‌ରୁ ବିଧାୟକ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିଥିଲା। ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ତାଙ୍କ ନାମରେ ଅନ୍ୟ ୩ଟି ଠକେଇ ମାମଲା ଯୋଡ଼ା ଯାଇଥିଲା। ବିଧାୟକ ପ୍ରଦୀପ ୩ଦିନ ଧରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁଣିଥରେ ବିଧାୟକ ପ୍ରଦୀପଙ୍କୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁରରେ ବିଧାୟକ ପ୍ରଦୀପଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସୁଜାତା ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର