ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାଲ କରାଯାଇଛି, ସୁପ୍ରିମକୋର୍ଟ ଗଲେ ବିଧାୟକ ପ୍ରଦୀପ

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଲୋକାୟୁକ୍ତଙ୍କ ଆବେଦନ ଖାରଜ ପାଇଁ ନିବେଦନ

କଟକ/ନୂଆଦିଲ୍ଲୀ : ଗୋପଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣଗ୍ରାହୀ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ହାଇକୋର୍ଟଙ୍କ ଜାଲ ନିର୍ଦ୍ଦେଶ ଦାଖଲ ପ୍ରସଂଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ହାଇକୋର୍ଟଙ୍କ ଏପ୍ରିଲ ୫ ନିର୍ଦ୍ଦେଶର ୬ ପୃଷ୍ଠାର କପି ଦାଖଲ କରାଯାଇଥିବା ବେଳେ ଏଭଳି କୌଣସି ନିର୍ଦ୍ଦେଶ ହାଇକୋର୍ଟ କେବେ ପ୍ରଦାନ କରିନାହାନ୍ତି। ଏପ୍ରିଲ ୫ରେ ହାଇକୋର୍ଟ ୨ ପୃଷ୍ଠାର ନିର୍ଦ୍ଦେଶ ପ୍ରଦାନ କରିଥିଲେ, ଯାହାର କପି କୋର୍ଟଙ୍କ ୱେବସାଇଟରେ ଉପଲବ୍ଧ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଜାଲ କପି ଦାଖଲ କରାଯାଇଥିବା ନେଇ ଗତ ୧୧ ତାରିଖରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରସଂଗରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅଗଷ୍ଟ ୧୨ରେ ଚିଠି ଲେଖାଯାଇଥିଲା। ଏହି ପ୍ରସଂଗରେ ଇନ୍ ହଉସ ଇନକ୍ବାରି ଚାଲିଥିବା ନେଇ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଗଷ୍ଟ ୧୩ରେ ଲୋକାୟୁକ୍ତ କାର୍ଯ୍ୟାଳୟକୁ ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଇନ୍ ହାଉସ ଇନକ୍ବାରି ରିପୋର୍ଟକୁ ଅ‌ପେକ୍ଷା ନ କରି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ୬ ପୃଷ୍ଠାର ନିର୍ଦ୍ଦେଶନା କପି ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟରେ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟରେ ନିର୍ଦ୍ଦେଶର କପି ଦାଖଲ କରିବା ପୂର୍ବରୁ କେମିତି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକୃତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କି ନାହିଁ ତାହା ଯାଞ୍ଚ କରା ଗଲା ନାହିଁ ତାକୁ ନେଇ ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି।

ଏହି ୬ ପୃଷ୍ଠାର ନିର୍ଦ୍ଦେଶ ତାଙ୍କ ସପକ୍ଷରେ ରହିଥିଲେ ମଧ୍ୟ ଏହା ଜାଲ ହୋଇଥିବାରୁ ଗ୍ରହଣୀୟ ନୁହେଁ। ରିଭ୍ୟୁ ମାମଲାରେ ୨ପୃଷ୍ଠାର ଆଦେଶ ହାଇକୋର୍ଟ ପ୍ରଦାନ କରିଥିବାବେଳେ ୬ ପୃଷ୍ଠାର କପି କେଉଁଠାରୁ ଆସିଲା।  ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଅର୍ଡର କେବେ ବି ପାସ୍ ହୋଇ ନାହିଁ। କରୋନା ମହାମାରୀ ସଂକ୍ରମଣ ସମୟରେ ହାଇକୋର୍ଟଙ୍କ ୱେବସାଇଟରେ ସବୁ ନିର୍ଦ୍ଦେଶର କପି ଅପଲୋଡ୍‌ ହେଉଥିଲା। କିନ୍ତୁ ଏପରି କିଛି ନିର୍ଦ୍ଦେଶ ନାହିଁ। ଏହି ନିର୍ଦ୍ଦେଶ କେଉଁଠାରୁ ଆସିଲା। କେମିତି ଯାଞ୍ଚ ନ କରି ସୁପ୍ରିମକୋର୍ଟରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାଖଲ କରାଗଲା ତାହାକୁ ନେଇ ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି। ଏଥିପାଇଁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ଦାୟୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ଏଥିସହିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପ୍ରିକୋର୍ଟରେ ଦାଖଲ ଏସଏଲପିକୁ ଖାରଜ କରାଯାଉ ବୋଲି ଶ୍ରୀ ପାଣିଗ୍ରାହୀଙ୍କ ଆବେଦନରେ ଦର୍ଶାଯାଇଛି।
ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର