ବେଳାଭୂମି ମହୋତ୍ସବକୁ ନେଇ ବିଧାୟକ ପ୍ରଦୀପଙ୍କ ପ୍ରଶ୍ନ

୨୦୧୯ର ବକେୟା ୨ କୋଟି ଦେବ କିଏ?

ବ୍ରହ୍ମପୁର : ୨୦୧୯ରେ ଶେଷଥର ପାଇଁ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀ ସେହିବର୍ଷ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ବେଳାଭୂମି ମହୋତ୍ସବ ଆୟୋଜକ କମିଟିର ଅଧ୍ୟକ୍ଷ ଥିଲେ। କିନ୍ତୁ ମହୋତ୍ସବ ସରିବା ପରେ କାର୍ଯ୍ୟକ୍ରମ ଆୟୋଜନରେ ବିଭିନ୍ନ ବାବଦରେ ସାମଗ୍ରୀ ଯୋଗାଇଥିବା ବିଭିନ୍ନ ସଂସ୍ଥାର ବକେୟା ରହିଥିବା ୨କୋଟି ବର୍ତ୍ତମାନ ସୁଦ୍ଧା ବକେୟା ପଡ଼ିଛି ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ବାରମ୍ବାର ବିଧାୟକ ପ୍ରଦୀପ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ବକେୟା ଟଙ୍କା ମିଳି ନଥିବା ସେ ଅଭିଯୋଗ କରିଛନ୍ତି। ବକେୟା ରହିଥିବା ପ୍ରାୟ ୨କୋଟି ଟଙ୍କା କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।

କରୋନା ଯୋଗୁଁ ଦୁଇବର୍ଷ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ ବନ୍ଦ ରହିଥିଲା। କରୋନା କଟକଣା ହଟିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ବେଳାଭୂମି ମହୋତ୍ସବ ଆୟୋଜନ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥାନୀୟ କଳା ଓ କଳାକାରଙ୍କୁ ଅଧିକରୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହୋତ୍ସବ ଆୟୋଜନ ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପ୍ରାକ୍‌ ପ୍ରସ୍ତୁତି ବୈଠକ ସରିଛି। ଆଗାମୀ ଦିନରେ ମହୋତ୍ସବ ‌ଆୟୋଜନ କରିବା ପାଇଁ ଚୂଡ଼ାନ୍ତ ତାରିଖ ଘୋଷଣା କରାଯିବ। ଏଭଳି ସ୍ଥିତିରେ ଗତ ୨୦୧୯ରେ ମହୋତ୍ସବ ଆୟୋଜନ କରିଥିବା ସଂସ୍ଥାଗୁଡ଼ିକର ପ୍ରାୟ ୨କୋଟି ଟଙ୍କା ବକେୟା ଗଡ଼ୁଥିବା ନେଇ ଗୋପାଳପୁର ବିଧାୟକ ପ୍ରଦୀପ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ପୂର୍ବରୁ ମହୋତ୍ସବ ଆୟୋଜନ ପାଇଁ ସେଭଳି କୌଣସି ବଡ଼ ରକମର ଅନୁଦାନ ଯୋଗାଡ଼ କରାଯାଉ ନଥିଲା। ଟାଟା, ଆଇଆର୍‌ଇ ଓ ଗୋପାଳପୁର ବନ୍ଦର ସହିତ ଅନ୍ୟ କିଛି ଶିଳ୍ପ ଓ କର୍ପୋରେଟ୍‌ ସଂସ୍ଥା ଏବଂ ସରକାରୀ ଅନୁଦାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। କାର୍ଯ୍ୟକ୍ରମରେ ସ୍ବଚ୍ଛତା ଆଣିବା ପାଇଁ କର୍ପୋରେଟ୍‌ ଏଜେନ୍ସିକୁ ଏଥିରେ ନିୟୋଜିତ କରା ଯାଉଥିଲା। ୨୦୧୯ରେ ଯେଉଁ ଏଜନ୍ସିଗୁଡ଼ିକ କାମ କରିଥିଲେ ସେମାନଙ୍କର ପ୍ରାୟ ୨କୋଟି ଟଙ୍କା ବକେୟା ରହିଥିବା ନେଇ ବିଧାୟକ ପ୍ରଦୀପ କହିଛନ୍ତି। ମୁଁ ଅଧ୍ୟକ୍ଷ ଥିବାରୁ ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ଏହା ମୋତେ ବଦନାମ କରିବା ପାଇଁ ଏକ ଷଡ଼୍‌ଯନ୍ତ୍ର ବୋଲି ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ନିକଟରେ ସବୁ ତାଲିକା ରହିଛି। ଏ ବର୍ଷ ମହୋତ୍ସବ ଆୟୋଜନ ସ୍ବାଗତଯୋଗ୍ୟ, କିନ୍ତୁ ବକେୟା ଟଙ୍କା ପରିଶୋଧ କରିବା ଦିଗରେ ବର୍ତ୍ତମାନର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।

ଚଳିତ ବର୍ଷ ମଧ୍ୟ ‌ବେଳାଭୂମି ମହୋତ୍ସବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ଏହା ପୂର୍ବରୁ ସଂସ୍ଥାଗୁଡ଼ିକର ପୁରୁଣା ବକେୟା ପୈଠ କରାଯାଉ। ନହେଲେ ଗୋପାଳପୁରବାସୀ ପ୍ରତିକ୍ରିୟା କରିବେ ନାହିଁ କି ବୋଲି ବିଧାୟକ କହିଛନ୍ତି। ସ୍ଥାନୀୟ ବିଧାୟକ ଭାବେ ମୁଁ ତ ନିଶ୍ଚିତ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିବି ବୋଲି ସେ କହିଛନ୍ତି। ଚଳିତ ବର୍ଷ ବେଳାଭୂମି ଆୟୋଜନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସ୍ଥାନୀୟ ବିଧାୟକ ହିସାବରେ ମୋତେ କୌଣସି ପ୍ରକାର ସୂଚନା ଦିଆଯାଇ ନଥିବା ମଧ୍ୟ ପ୍ରଦୀପ କହିଛନ୍ତି।

ସମ୍ବନ୍ଧିତ ଖବର