ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି (ଗୁରୁବାର) ସନ୍ଧ୍ୟାରେ ଗିରଫ କରିଛି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଛନ୍ତି। ଟାଟା କଂପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ବିବୃତି ମଧ୍ୟ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା। ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇ ଜେରା କରିଥିଲେ ବୋଲି ସୂଚନା ରହିଥିଲା । ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଇଥିଲା।
ଅନ୍ୟପଟେ ତାଙ୍କର ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ସ୍ୱାମୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ମୋତେ ଜଣାଯାଉ। ତାଙ୍କର ଯଦି କିଛି ହିୁଏ ତେବେ ସେଇମାନେ ହିଁ ଦାୟୀ ରହିବେ, ଯେଉଁମାନେ ମୋ ସ୍ୱାମୀକୁ ଫସାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/SAMBAD.IN_.jpg)