ବନ୍ତ: ଭଦ୍ରକ ବରପଦା ଇଂଜିନିୟରିଂ କଲେଜରେ ଅଚଳାବସ୍ଥା ଲାଗିରହିଛି। କଲେଜର କର୍ମଚାରୀମାନେ ଦରମା ନପାଇ ଏପ୍ରିଲ୍ ୨୫ ତାରିଖରୁ ଆଜିକୁ ୨୪ ଦିନ ହେଲା କଲେଜ ଫାଟକ ଆଗରେ ଧାରଣାରେ ବସିଛନ୍ତି। ହେଲେ ପରିଚାଳନା କମିଟି ସେମାନଙ୍କ କଥା ବୁଝୁନାହିଁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ୍ ୨୯ ତାରିଖରେ ଭଦ୍ରକ ଉପଜିଲ୍ଲାପାଳ ଓ ଭଦ୍ରକ ତହସିଲଦାର ଧାରଣାରେ ବସିଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ୮ ଦିନ ଭିତରେ ସମସ୍ୟାର ସମାଧାନ ସୂତ୍ର ବାହାରିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ଏଯାଏ କିଛି ସମାଧାନର ବାଟ ବାହାରିପାରିନି।
ଏପରି ସମୟରେ ଧାରଣାରତ କର୍ମଚାରୀମାନଙ୍କୁ ସମର୍ଥନ ଜଣାଇଛି ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ବିକାଶ ମଞ୍ଚ। ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ତଥା କଲେଜ ପରିଚାଳନା କମିଟି ସଭାପତି ଇଂ. ପ୍ରୟାସକାନ୍ତି ସାମଲଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଯୁବ ସମାଜସେବୀ ଇଂ. ଭବେନ୍ଦ୍ର କୁମାର ସାହୁ, ଡାକ୍ତର ପ୍ରଶାନ୍ତ ଖଟୁଆ ଏବଂ ପ୍ରାକ୍ତନ ସରପଞ୍ଚ ଶରତ ଚନ୍ଦ୍ର ପଣ୍ତାଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗତଜୀବନ ସାହୁ, କୃଷ୍ଣଚନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ପାତ୍ର, ଜିତେନ୍ଦ୍ର ବାରିକ, ଚନ୍ଦନ ନାୟକ, ଦୀପକ ନାୟକ, ଅଶୋକ ଜେନା, ବିଶ୍ବନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ବିଭିନ୍ନ ୱାର୍ଡର ଶତାଧିକ ସଦସ୍ୟ ସାମିଲ ଥିଲେ।