ହାତ ଛାଡ଼ିଲେ ବିଧାୟକ ପ୍ରକାଶ ବେହେରା : କଂଗ୍ରେସରେ ଟିକେଟ ଆବେଦନର ମାସକ ପରେ ଇସ୍ତଫା, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

କଟକ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି। ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ପ୍ରକାଶ କିଛି ସ୍ପଷ୍ଟ କରି ନ ଥିଲେ ବି ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫଳରେ ସାଲେପୁର ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇଯାଇଛି।

କଂଗ୍ରେସ ନେତୃବର୍ଗଙ୍କ ଦ୍ବାରା ତାଙ୍କ ପ୍ରତି ଅବହେଳା କରାଯାଇଥିବା, ପିସିସି ସଭାପତି ତାଙ୍କ ଅଭିଯୋଗ ଶୁଣି ନ ଥିବା, ଦୀର୍ଘ ୨୦ବର୍ଷ ଧରି କାମ କରିବା ସତ୍ତ୍ବେ ଦଳରେ ସେଭଳି ଗୁରୁତ୍ବ ଦିଆଯାଇ ନ ଥିବା ପ୍ରକାଶ ଇସ୍ତଫାପତ୍ରରେ ଅଭିଯୋଗ କରିଛନ୍ତି। ସେଥିପାଇଁ ଆଜି ‌ଶେଷରେ ସେ ଦଳ ଛାଡ଼ିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ସେ ତାଙ୍କର ପରବର୍ତୀ ନିଷ୍ପତ୍ତି ନେବେ ଏବଂ ପୁଣି ସାଲେପୁର ଆସନରୁ ବିଧାୟକ ଭାବେ ଲଢ଼ିବେ ବୋ‌ଲି କହିଛନ୍ତି ପ୍ରକାଶ। ତାଙ୍କ ଇସ୍ତଫା ପରେ କଂଗ୍ରେସ, ବିଜେପି ଓ ବିଜେଡି ତିନି ଶିବିରରେ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ପରିଲକ୍ଷିତ ‌ହେଉଛି।

ପ୍ରକାଶଥାଉ କି, ଦେଢ଼ ବର୍ଷ ଧରି ପ୍ରକାଶ ବିଜେଡିକୁ ଯିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ସାଲେପୁରରେ ଦୁଇଦିନ ତଳେ ଅନୁଷ୍ଠିତ ଏକ କର୍ମୀ ସମାବେଶରେ ମନ୍ତ୍ରୀ ପ୍ରତାପ ଜେନା ସାଲେପୁରରୁ ପ୍ରଶାନ୍ତ ବେହେରା ହିଁ ବିଜେଡି ପ୍ରାର୍ଥୀ ହେବେ ବୋ‌ଲି ଘୋଷଣା କରିଥିଲେ। ଏପରି କି ପ୍ରକାଶଙ୍କ ନାମ ନ ନେଇ ତାଙ୍କୁ ସେ ସମାଲୋଚନା କରିଥିଲେ। ଆଜି ପ୍ରକାଶଙ୍କ ଇସ୍ତଫା, ବିଜେପିରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚା ଭିତରେ ବିଜେଡି, ବିଜେପି, କଂଗ୍ରେସ ସବୁ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ଚାପା ବିଦ୍ରୋହ ଆରମ୍ଭ ହେଲାଣି। ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ କହିଛନ୍ତି, ସେ ଅନ୍ୟ ଦଳକୁ ଯାଇ ସାରିଲେଣି, ତାଙ୍କ ସଂପର୍କରେ ଆଲୋଚନା କରି କିଛି ଲାଭ ନାହିଁ। କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ କୌଣସି ଅବହେଳା କରାଯାଇନାହିଁ। ବରଂ, ସେ ମାସେ ତଳେ କଂଗ୍ରେସ ଦଳରୁ ବିଧାୟକ ହେବା ପାଇଁ ଆବେଦନ କରିଥିଲେ।

ସୂଚନା ଅନୁସାରେ, ୨୦୧୪ ନିର୍ବାଚନରେ କଟକ ଜିଲ୍ଲାର ୯ଟି ବିଧାନସଭା ଆସନ ମଧ୍ୟରୁ ସାଲେପୁର ବ୍ୟତୀତ ଅନ୍ୟ ଆସନ ଶାସକ ବିଜେଡି ହାତରେ ରହିଥିଲା। ସାଲେପୁର ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ପ୍ରକାଶ ବେହେରା ବିଜୟୀ ହୋଇ ଶାସକ ବିଜେଡିର କ୍ଲିନ ସ୍ବିପ୍ ଆଶାକୁ ଧୂଳିସାତ କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ସାଲେପୁର ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଗୋଳିଆ ହେବାରେ ଲାଗିଛି। ପୂର୍ବ ନିର୍ବାଚନରେ ପ୍ରାର୍ଥୀ ଥିବା ପ୍ରଶାନ୍ତଙ୍କ ଉପରେ ଦଳ ପୁଣି ଭରସା କରି ଟିକେଟ ଦେବ ବୋଲି ଶୁଣିବାକୁ ମିଳୁଛି। କାରଣ ଗତ ପଞ୍ଚାୟତ ନିର୍ବାଚନରେ ସାଲେପୁର ନିର୍ବାଚନମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ଜୋନ ଭିତରୁ ୬ଟି ଜିଲ୍ଲା ପରିଷଦ ଆସନ ବିଜେଡି ହାତରେ ରହିଥିଲା।

ଅନ୍ୟପଟେ ୨୦୧୪ ନିର୍ବାଚନରେ ସାଲେପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ବେହେରାଙ୍କ ରାଜନୈତିକ ମତିଗତି ବାରମ୍ବାର ବଦଳିବାରେ ଲାଗିଛି। ଜାନୁଆରିରେ ‘ଆସନ୍ତୁ ଚାଲିବା’ ପଦଯାତ୍ରା କାର୍ଯ୍ୟକ୍ରମ ଜରିଆରେ ପ୍ରକାଶ ‌ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। କିନ୍ତୁ ସେଥିରେ କଂଗ୍ରେସ ପତାକା, ଚିହ୍ନ କି ବରିଷ୍ଠ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ପଦଯାତ୍ରାରେ ତାଙ୍କୁ ଭଲ ପାଉଥିବା ସବୁ ବର୍ଗର ଜନସାଧାରଣଙ୍କୁ ସେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲ। ସେଥିରେ ଦଳୀୟ ବ୍ୟାନର ନ ଥିଲେ ମଧ୍ୟ ଅନେକ କଂଗ୍ରେସ କର୍ମୀ ଓ ସାଲେପୁର ବ୍ଲକ୍‌ ଅଧ୍ୟକ୍ଷା ପଦଯାତ୍ରାରେ ସାମିଲ ହୋଇଥିଲେ। ଏପରି କି ଦଶହରା, ନୂଆବର୍ଷ ସବୁ ଶୁଭେଚ୍ଛା ବ୍ୟାନରେ ସେ କେବଳ ନିଜର ଫଟୋ ଲଗାଇଥିଲେ। ସେଥିରେ ମଧ୍ୟ ସେ କଂଗ୍ରେସର କୌଣସି ଚିହ୍ନ ବା ଦଳୀୟ ନେତାଙ୍କ ଫଟୋ ରଖି ନ ଥିଲେ। ଏବେ ପ୍ରକାଶ ବିଜେପିକୁ ଯିବା ଚର୍ଚ୍ଚା ଭିତରେ ଦୀର୍ଘ ବର୍ଷ ହେବ ସଂଗଠନ ସମ୍ଭାଳିଥିବା ଦଳର ପୁରୁଖା ନେତାମାନେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଆଶଙ୍କା କଲେଣି।

ସମ୍ବନ୍ଧିତ ଖବର