ମହଙ୍ଗା ପଡ଼ିଲା ଇଭିଏମ୍ ଭଙ୍ଗାରୁଜା, ବନ୍ଧା ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା: ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୋଲିସ ଗିରଫ କରିଛି ।

ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।  ଏହାକୁ ଖୋର୍ଦ୍ଧା ପୁଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି  ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି। ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେଡି।  ବିଜେଡିର ଅଭିଯୋଗ ଅନୁସାରେ, ବୋଲଗଡ଼ର ଏକ ବୁଥରେ ପଶି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି।

ଏହାସହ ପ୍ରିଜାଇଡିଂ ଅଫିସର ଓ କର୍ମଚାରୀଙ୍କୁ ମାଡ଼ ମାରି ରକ୍ତାକ୍ତ କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିବା ଜଣାଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ବୁଥ୍ ଭିତରେ ଭଙ୍ଗାରୁଜା କରିବା ପରେ ପ୍ରଶାନ୍ତ ଫେରାର ହୋଇଯାଇଥିବା ବିଜେଡି ଅଭିଯୋଗ କରିଥିଲା।

ସମ୍ବନ୍ଧିତ ଖବର