ଜେଲ୍‌ରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର: ଲୋକଙ୍କ ଉପରେ ଗାଡି ମଡ଼ାଇଦେବା ଘଟଣାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ଜେଏମ୍‌ଏଫ୍‌ସି କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପାଇବାପରେ ଆଜି ଅପରାହ୍ନ ସାଢ଼େ ୪ଟାରେ ବାଣପୁର ସବ୍‌ଜେଲ୍‌ରୁ ସେ ବାହାରିଛନ୍ତି। ଏକବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ରହିପାରିବେନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ଆରୋପ କରିଥିବାରୁ ଜେଲ୍‌ରୁ ମୁକୁଳିବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ସିଧା ଭୁବନେଶ୍ବର ଯାଇଥିବା ଜଣାପଡ଼ିଛି।

ଗତକାଲି ସୁପ୍ରିମକୋର୍ଟ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବିଧାୟକଙ୍କ ଓକିଲ ମାନସ ଚାନ୍ଦ ଆଜି ବାଣପୁର ଜେଏମ‌୍ଏଫ୍‌ସିଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ସମେତ ତିରିଶ ହଜାର ଜମାନତ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ବାଣପୁର କୋର୍ଟ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ବିଧାୟକଙ୍କ ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଚିକିତ୍ସା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବାଣପୁର ଜେଏମ୍‌ଏଫ୍‌ସି ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ବାଣପୁର ସବ୍‌ଜେଲକୁ ପଠାଇ ଦେଇଥିଲେ। ତେବେ, ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ହାଇକୋର୍ଟ ବିଧାୟକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାରୁ ଏପ୍ରିଲ ୨୭ ତାରିଖରେ ବିଧାୟକ କାରାଗାରରୁ ସାମୟିକ ଭାବେ ମୁକୁଳିଥିଲେ । ପରବର୍ତ୍ତୀ ସମୟରେ ହାଇକୋର୍ଟ ବିଧାୟକଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଆବେଦନ ଖାରଜ କରିଦେବା ସହ ଜାମିନରେ ଥିବା ବିଧାୟକଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମେ ମାସ ୨୩ ତାରିଖରେ ବିଧାୟକ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାପରେ କୋର୍ଟ ପୁନଶ୍ଚ ତାଙ୍କୁ ଜେଲକୁ ପଠାଇ ଦେଇଥିଲେ। ଏହାପରେ ସେ ଜାମିନ ପାଇଁ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଥିବାବେଳେ କେତେକ ସର୍ତ୍ତ ରଖିଛନ୍ତି। ଜିଲାପାଳଙ୍କ ଅନୁମତି ବିନା ବର୍ଷେ ଯାଏଁ ସେ ନିଜ ଚିଲିକା ନିର୍ବାଚନମଣ୍ତଳୀକୁ ଯାଇପାରିବେ ନାହିଁ। ନିର୍ବାଚନମଣ୍ତଳୀରେ ସଭାସମିତି କରିବା ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି। ସେହିପରି ସାକ୍ଷୀମାନଙ୍କୁ କୌଣସି ଉପାୟରେ ପ୍ରଭାବିତ ନକରିବା ପାଇଁ ସୁପ୍ରିମ୍‌କୋର୍ଟ ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର