ମାଡ଼ ମାରି ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ବି ବିଦା
ଗିରଫ ଦାବିରେ ବିଜେପି କର୍ମୀଙ୍କ ବିକ୍ଷୋଭ

ଖୋର୍ଦ୍ଧା/ବାଲୁଗାଁ/ଭୁବନେଶ୍ବର : ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ତତ୍‌କ୍ଷଣାତ ଦଳରୁ ନିଲମ୍ବନ କରିଛନ୍ତି। ଏହା ସହ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ହଟାଇ ଦେଇଛନ୍ତି। ଗଣ୍ଡଗୋଳର କିଛି ସମୟ ଭିତରେ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ପୂର୍ବରୁ ଶ୍ରୀ ଜଗଦ୍ଦେବ ବିଭିନ୍ନ ସମୟରେ ଗଣ୍ଡଗୋଳ କରିଥିବାର ଅଭିଯୋଗ ହୋଇ ଆସୁଥିଲା। କେତେବେଳେ ସାଧାରଣ ଲୋକ, ବିରୋଧୀ ଦଳର କର୍ମୀଙ୍କ ସହ ତ କେତେବେଳେ ସରକାରୀ ଅଧିକାରୀମାନଙ୍କ ସହ। ଏହାକୁ ନେଇ ସେ ସବୁବେଳେ ବିବାଦୀୟ ରହି ଆସିଛନ୍ତି। ଏଥର ଦଳର ସଭାପତି ତାଙ୍କ ପ୍ରତି ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଧାନସଭା ଅଧିବେଶନ ଚାଲିଥିବାରୁ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ୍‌ କରୁଥିବାରୁ ତାଙ୍କ ବିରୋଧରେ ତତ୍‌କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଆଜି ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିଧାୟକ ଶ୍ରୀ ଜଗଦ୍ଦେବ ଦିନ ପ୍ରାୟ ୧୧ଟାରେ ପହଞ୍ଚିଥିଲେ। ସ୍ଥାନୀୟ ବିଜେପିର ନଗର ମଣ୍ତଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବିଧାୟକଙ୍କ ଯୋଗଦାନକୁ ବିରୋଧ କରିଥିଲେ। ବିଧାୟକଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦେଇନଥିଲେ। ଏହାକୁ ନେଇ ବିଧାୟକ ଓ ସେଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ମାରିବା ପାଇଁ ହାତ ଉଠାଇଥିଲେ। ଏହାକୁ ନେଇ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ୧୦/୧୫ ମିନିଟ୍ ଧରି ଉଭୟ ପକ୍ଷ ପରସ୍ପରକୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ହୋଇଥିଲେ। ଏହି ଘଟଣାରେ ଶ୍ରୀ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ବିଧାୟକ ତାଙ୍କୁ ମୁଥ ମାରିବା ସହ ବିଧାଗୋଇଠା ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଥାନାରେ ଏତଲା ଦାଏର ହୋଇ ନ ଥିବାରୁ ଅପରାହ୍ନରେ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶ୍ରୀ ସେଠୀ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସେ ବାଲୁଗାଁ ଏନ୍ଏସିର ୧୧ଟି ୱାର୍ଡର ଡ୍ରେନେଜ୍ ସମସ୍ୟା ନେଇ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ ନିର୍ବାହୀ ଅଧିକାରୀ ବିଧାୟକ ଆସୁଥିବା ସୂଚନା ଦେଇ ଫାଟକ ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହି ସମୟରେ ବିଧାୟକ ତାଙ୍କୁ ଦେଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ମୁଥ ମାରିଥିଲେ। ଏଥିରେ ସେ ତଳେ ପଡ଼ିଯିବାରୁ ବିଧାୟକ ଓ ତାଙ୍କ ସମର୍ଥକମାନେ ତାଙ୍କୁ ବିଧାଗୋଇଠା ମାରି ଚାଲିଥିଲେ। ପରେ ତାଙ୍କୁ ତାଙ୍କର ଦଳର କର୍ମୀମାନେ ଉଦ୍ଧାର କରିଥିଲେ। ସେହିଭଳି ବାଲୁଗାଁର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥାନାରେ ବିଧାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଆକ୍ରମଣର ଭିଡିଓ ମୋବାଇଲ୍‌ରେ ରେକର୍ଡ କଲାବେଳେ ବିଧାୟକ ତାଙ୍କ ମୋବାଇଲ୍ ଛଡ଼ାଇ ନେବା ସହ ଆକ୍ରମଣ କରିଛନ୍ତି ବୋଲି ଦର୍ଶାଇଛନ୍ତି।

ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ବିଧାୟକ କହିଛନ୍ତି ଯେ ସେଭଳି କିଛି ଘଟି ନାହିଁ। ସେ କାର୍ଯ୍ୟକ୍ରମ ଅନୁସାରେ ଭତ୍ତା ଓ ଆବାସ ବଣ୍ଟନ କରିବାକୁ ସେ ବାଲୁଗାଁ ଏନ୍ଏସି ଯାଇଥିଲେ। ଏହି ସମୟରେ କେତେକ ବିଜେପି କର୍ମୀ ଆବାସ ଯୋଜନା ବିଧାୟକ ବାଣ୍ଟିପାରିବେ ନାହିଁ ବୋଲି ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଯାଇ ଫେରୁଥିଲେ। ସେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭିତରକୁ ଚାଲିଯାଇଥିଲେ। ବାହାରେ ବିଜେପି ଓ ତାଙ୍କ ଦଳର କର୍ମୀଙ୍କ ମଧ୍ୟରେ ବଚସା ଓ ଗଣ୍ତଗୋଳ ଘଟିଥିବା ପରେ ଶୁଣିଲେ। ତେବେ ସାମ୍ବାଦିକ ଓ ତାଙ୍କ ମଧ୍ୟରେ କିମ୍ବା ତାଙ୍କ ଦଳୀୟ କର୍ମୀଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା କଥା ସେ ଜାଣନ୍ତି ନାହିଁ। ତେବେ ସେ ଶୁଣିବାକୁ ପାଇଛନ୍ତି ଯେ ବିଜେପି କର୍ମୀମାନେ ତାଙ୍କ ଦଳର କର୍ମୀମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସେ ଜଣେ ଜନ ପ୍ରତିନିଧି, ଗଣତନ୍ତ୍ରରେ ବିଧାୟକ ଭାବେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାରେ ତାଙ୍କର ଅଧିକାର ରହିଛି।
ଏହି ଘଟଣାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଅଭିଯୋଗ କ୍ରମେ ଏତଲା ରୁଜୁ ହୋଇଛି। ବାଲୁଗାଁ ଥାନାରେ ଭାତୀୟ ପିଙ୍ଗଳ କୋଡ୍‌ର ଧାରା ୩୪୧, ୨୯୪, ୩୨୩, ୫୦୬, ୩୪ ଓ ଅନୁସୂଚିତ ଜାତି-ଜନଜାତି ନିର୍ଯାଚନା ନିରୋଧ ଆଇନର ଦଫା ୩ (ଆଇ) ଆର୍ ଓ ଏସ୍‌ରେ ୧୫୬/୨୦୨୧ରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୫ ତାରିଖରେ ଟାଙ୍ଗୀ ବ୍ଲକ୍‌ ଉନ୍ନୟନ ବୈଠକରେ ଯୋଗ ଦେବା ସମୟରେ ବ୍ଲକ୍‌ ଅଧ୍ୟକ୍ଷ ବିଜୟ ଜେନା ଓ ବିଧାୟକ ଜଗଦ୍ଦେବଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହା ପୂର୍ବରୁ ବେଗୁନିଆ ବିଧାୟକ ଥିବା ସମୟରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଅନୁରୂପ ଭାବେ ବିରୋଧୀଙ୍କୁ ଆକ୍ରମଣ କରିବା ଘଟଣାରେ ଏକାଧିକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର