ବିଧାୟକ ପ୍ରଶାନ୍ତଙ୍କ ଗାଡ଼ି ନମ୍ବର ନକଲି: ବଢ଼ିଲା ଅଡ଼ୁଆ, ଲାଗିବ ନୂଆ ଦଫା

ଏସ୍‌ପି କହିଲେ ଜାଲି ନମ୍ବର ବ୍ୟବହାର କରୁଥିଲେ ବିଧାୟକ

ଖୋର୍ଦ୍ଧା: ଗତ ୧୨ ତାରିଖରେ ବାଣପୁର ତହସିଲ ଅଫିସ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର କାର୍ ଦ୍ବାରା ବିଜେପି ସମର୍ଥକ ଓ ପୁଲିସ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣା ଆଜି ନାଟକୀୟ ମୋଡ଼ ନେଇଛି। ଖୋର୍ଧା ଜିଲ୍ଲା ଏସ୍‌ପି ଅଲେଖ ଚନ୍ଦ୍ର ପହି ଆଜି ଏହି ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଏସ୍‌ପି କହିଛନ୍ତି ଯେ ବିଧାୟକ ଯେଉଁ ଗାଡ଼ି ମଡ଼ାଇ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲେ, ତାହା ଏକ ଡିସକଭରି ଗାଡ଼ି ଥିଲା। ତାର ନମ୍ବର ଓଡି ୦୨ଏୱାଇ ୫୭୭୫ ଥିଲା ଓ ସେଦିନ ଏହାର ଚେସିସ୍ ନମ୍ବର ବି ଆମେ ଲିପିବଦ୍ଧ କରିଥିଲୁ। ଏହି ଗା଼ଡିକୁ ଜବତ କରି ଥାନାକୁ ଅଣାଯାଇଥିଲା। ପରେ ଏମ୍‌ଭିଆଇ ଦ୍ବାରା ଯାଞ୍ଚ କରାଯାଇଥିଲା। ଏବେ କିନ୍ତୁ ତଦନ୍ତରୁ ଜଣାପଡ଼ିଛି ଯେ ବିଧାୟକ ବ୍ୟବହାର କରୁଥିବା ଗାଡ଼ିରେ ଯେଉଁ ନମ୍ବର ପ୍ଲେଟ୍ ଲାଗିଥିଲା, ତାହା ନକଲି। ଯେହେତୁ ଶ୍ରୀ ଜଗଦ୍ଦେବ ଏହି ଘଟଣା ସହିତ ଗୋଟିଏ ନକଲି ନମ୍ବର ପ୍ଲେଟ୍ ଲଗାଇଥିଲେ, ଏଣୁ ଏହାକୁ ପୁଲିସ ଗୁରୁତ୍ବର ସହିତ ଗ୍ରହଣ କରିଛି। ସେଥିପାଇଁ ତାଙ୍କ ବିରୋଧରେ ପୂର୍ବ ମାମଲା ସହିତ ଜାଲିଆତି ଦଫା ଲାଗିବ। ପରବର୍ତ୍ତୀ ସମୟରେ କୋର୍ଟଙ୍କୁ ଜଣାଇ ଦିଆଯିବ। ଏଥିସହିତ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ ବଢିଛି। କାହିଁକି ବିଧାୟକ ନକଲି ନମ୍ବର ବ୍ୟବହାର କରୁଥିଲେ, ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ରହିଥିଲା, ତାହା ଏବେ ପୁଣି ଏକ ବଡ଼ ଅନୁସନ୍ଧାନର ଅପେକ୍ଷା ରଖୁଛି।

ଉଲ୍ଲେଖଥାଉକି, ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଆହତ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବ ଆଜି ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ବାହାରକୁ ବାହରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ତେବେ ଘଟଣା ଦିନ ଯେଉଁ କାର୍ ଚଳାଇ ବିଧାୟକ ଲୋକଙ୍କ ଉପରେ ମାଡ଼ିଯାଇଥିଲେ ସେହି କାର୍‌ର ନମ୍ବର ଓ କାରର ମଡେଲ୍‌କୁ ନେଇ ଏକ ନୂଆ ବିବାଦ ଠିଆ ହୋଇଥିଲା। ଘଟଣା ଦିନ ଏକ ଧଳା ରେଂଜ୍ ରୋଭର କାର୍‌କୁ ନିଜେ ଚଳାଇ ବିଧାୟକ ଜଗଦ୍ଦେବ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ମାଡ଼ ମାରିବା ସହ କାରଟି ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ପରେ କାର୍‌କୁ (ଓଡି ୦୨ଏୱାଇ ୫୭୭୫)କୁ ପୁଲିସ ଜବତ କରି ବାଣପୁର ଥାନାକୁ ଆଣିଥିଲା। ବର୍ତ୍ତମାନ ଥାନା ପରିସରରେ ଥିବା ଜବତ ହୋଇ ଏହି ‘ରେଂଜ୍ ରୋଭର’ କାର ରହିଛି। କିନ୍ତୁ ଆର୍‌ଟିଓ ତଥ୍ୟରେ କାର୍ ନମ୍ବର ଓ ମଡେଲ୍‌ର କୌଣସି ମେଳ ଖାଉନାହିଁ। ତଥ୍ୟରେ ଏହି ନମ୍ବରର କାର୍‌ର ମଡେଲ୍ ହ୍ୟୁଣ୍ତାଇ କ୍ରେଟା ବୋଲି ଦର୍ଶାଉଥିବା ବେଳେ ଏହା ଶିବାନୀ ଫୁଡ୍ ପ୍ରଡକ୍ଟସ ପ୍ରା ଲିଃ ନାମରେ ପଞ୍ଜୀକୃତ ହୋଇଛି।
ଅନ୍ୟପକ୍ଷରେ ବିଧାୟକ ଲୋକଙ୍କ ଉପରେ କାର୍‌ ଚଢ଼ାଇବା ଓ ଉତ୍ତ୍ୟକ୍ତ ଲୋକେ କାର୍‌ଟିକୁ ଭଙ୍ଗା ରୁଜା କରୁଥିବା ସମୟର ଭିଡିଓ ସାରା ଓଡ଼ିଶାର ଲୋକେ ଦେଖିଛନ୍ତି। କାର୍‌ଟି ଭଙ୍ଗାରୁଜା କରିବାର କିଛି ସମୟ ପୂର୍ବରୁ କାରର ନମ୍ବର ଓଡି୨୫କେ ୫୭୭୫ ଥିବା ଭିଡିଓରେ ରେକର୍ଡ ହୋଇଥିଲା। ଆର୍‌ଟିଓ ତଥ୍ୟରେ ଏହି କାର୍‌ଟି ରେଂଜ୍ ରୋଭର ଡିସ୍‌କଭରି ମଡେଲ୍ ଥିବା ଓ ଏହା କୁମାର ଦେବଦତ୍ତଙ୍କ ନାମରେ ପଂଜୀକୃତ ହୋଇଥିବା ଜଣାପଡିଛି। ଏଣୁ ଗୋଟିଏ ଗା଼ଡିରେ ଦୁଇ ଦୁଇଟି ନମ୍ବର ବ୍ୟବହାର ହେବା ଘଟଣା ମାମଲାର ଗମ୍ଭୀରତାରୁ ବଢ଼ାଇ ଦେଇଛି। ପୁଲିସ ମାମଲାକୁ ନୂଆ ରୂପ ଦେବାକୁ ଏମିତି ନାଟକ ରଚନ କରିଥିଲା ନା ବିଧାୟକ ନିଜେ କିଛି ଫନ୍ଦି କରିଥିଲେ, ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠିଥିଲା।

ବାଣପୁର ଏସ୍‌ଡିପିଓ ମାନସ ରଂଜନ ବାରିକ କହିଛନ୍ତି ଯେ ମାମଲାକୁ ଚପାଇବାକୁ ପୁଲିସ ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିଥିବା ନେଇ ହେଉଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ। ପୁଲିସ ଗାଡ଼ିଟିକୁ ଜବତ କରିବା ସମୟରେ ଗାଡ଼ିର ଯେଉଁ ନମ୍ବର ରହିଥିଲା ସେହି ନମ୍ବର (ଓଡ଼ି ୦୨ ଏୱାଇ ୫୭୭୫) ହିଁ ଏଫ୍ଆଇଆର୍‌ରେ ଉଲ୍ଲେଖ ରହିଛି। ଏବେ ଅଭିଯୋଗ ଆସିବା ପରେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି କାରରେ ଦୁଇଟି ନମ୍ବର ପ୍ଲେଟ୍ ବ୍ୟବହାର କରାଯାଉଥିଲା। ରେଂଜ ରୋଭରର ନମ୍ବର ପ୍ଲେଟ୍ ତଳେ ହ୍ୟୁଣ୍ତାଇ କ୍ରେଟାର ନମ୍ବର ପ୍ଲେଟ୍ ଲଗାଯାଇଥିଲା। ଭଙ୍ଗାରୁଜା ସମୟରେ ରେଂଜ୍ ରୋଭର ନମ୍ବର ପ୍ଲେଟ୍‌ଟି ହଜି ଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଆର୍‌ଟିଓକୁ ସୂଚିତ କରାଯାଇ ଗାଡ଼ିର ଚେସିସ୍‌ ନମ୍ବର ଓ ଇଂଜିନ୍ ନମ୍ବର ଯାଞ୍ଚ ପାଇଁ ପଠାଯାଇଛି। ଏପରିକି ରେଂଜ୍ ରୋଭର କମ୍ପାନି ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଯେ କେହିବି ନମ୍ବର ପ୍ଲେଟ୍‌ଟି ପରିବର୍ତ୍ତନ କରିପାରବ, କିନ୍ତୁ ଇଂଜିନ୍ ଓ ଚେସିନ୍ ନମ୍ବର ପରିବର୍ତ୍ତନ କରିପାରିବ ନାହିଁ। ଏ ନେଇ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ ଯେ ବିଧାୟକ ନିଜର ସତ୍ୟପାଠରେ ନିଜ ନାମରେ କୌଣସି ଗାଡ଼ି ନଥିବା ଓ ନିଜ ପତ୍ନୀଙ୍କ ନାମରେ କେବଳ ଟୋୟଟା ଇଟିଓସ୍‌ କାର୍ ଥିବା ଦର୍ଶାଇଛନ୍ତି। ଏଭଳି କ୍ଷେତ୍ରରେ ରେଂଜ ରୋଭର ଗାଡିକୁ ନେଇ ରହସ୍ୟ ସୃଷ୍ଟି ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର