ବିଧାୟକ ପ୍ରଭାତଙ୍କୁ ଏସ୍‌ସିବିରେ ଚିକିତ୍ସା ପ୍ରସଂଗ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଏସସିବି ଆଇସିୟୁରେ ଭର୍ତ୍ତି ହେବା ଘଟଣାର ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶ୍ରୀ ବିଶ୍ୱାଳ ଜେଲ୍‌ ବାହାରେ ରହିବା ପାଇଁ ଅସୁସ୍ଥତା ଆଳ ଦେଖାଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଛି।

ସୁଧାଂଶୁ ଶେଖର ପରିଡା ଓ ଅକ୍ଷୟ କୁମାର ପଣ୍ଡାଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏସସିବି ମେଡିକାଲର ଆସିୟୁରେ ଶ୍ରୀ ବିଶ୍ୱାଳଙ୍କୁ ବିନା କାରଣରେ ଭର୍ତ୍ତି ପାଇଁ ଅନୁମତି ଦିଆଯାଇଥିଲା। ବିଧାୟକ ଆଇସିୟୁରେ ଭର୍ତ୍ତି ହେବା ପରେ ସାଧାରଣ ରୋଗୀ ଓ ତାଙ୍କ ଅଟେଣ୍ଡାଣ୍ଟଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ସମଗ୍ର ଘଟଣାର ତଦନ୍ତ ସହ ଏମ୍ସର ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରି ବିଧାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବା ଦରକାର। ଏଥି ସହିତ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ଏସସିବି ମେଡିକାଲ କେଲଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ୨୦୧୭, ସେପ୍ଟେମ୍ବର ୧୮ତାରିଖରେ ସିବିଆଇ ଗିରଫ କରିଥିଲା। ଏହାପରେ ସିବିଆଇ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା। ୨୦୧୭, ସେପ୍ଟେମ୍ବର ୨୩ରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେପ୍ଟେମ୍ବର ୨୫ରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ବିଶ୍ୱାଳଙ୍କୁ ଏବେ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ରଖି ଚିକିତ୍ସିତ କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଏକ ୮ ଜଣିଆ ଟିମ୍‌ ନିୟମିତ ଯାଞ୍ଚ କରୁଛନ୍ତି ବୋଲି ମେଡିକାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର