ବାଲିକୁଦା: ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରଘୁନନ୍ଦନ ଦାସଙ୍କୁ ବିଜେଡି ଟିକେଟ ନ ମିଳିବା ଘଟଣାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ରଘୁନନ୍ଦନଙ୍କ ସମର୍ଥକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ରଘୁନନ୍ଦନଙ୍କ ଶତାଧିକ ସମର୍ଥକ ବାଲିକୁଦା ବଜାର ନିକଟରେ ଥିବା ମା ଥାନାପତି ନିକଟରେ ଏକ ବୈଠକରେ ଏକାଠି ହୋଇଛନ୍ତି। ଏଥିରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ୩୫ ପଞ୍ଚାୟତର ପ୍ରତ୍ୟକ ୱାର୍ଡରୁ ରଘୁଙ୍କ ସମର୍ଥକ ଯୋଗଦେଇଥିଲେ।
ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜଟାଧାରି ଦାସ, ପୂର୍ବତନ ସରପଞ୍ଚ ସରୋଜକାନ୍ତ ମହାପାତ୍ର, ବ୍ଲକ ସଭାପତି ରତ୍ନାକର ନାୟକଙ୍କ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଚକ୍ରାନ୍ତକାରୀଙ୍କ ଷଡ୍ଯନ୍ତ୍ର ଯୋଗୁଁ ରଘୁନନ୍ଦନ ଟିକେଟରୁ ବାଦ୍ ପଡିଛନ୍ତି ବୋଲି ସମର୍ଥକମାନେ ଅଭିଯୋଗ ଆଣିବା ସହିତ ବିଧାୟକଙ୍କ ଲୋକପ୍ରିୟତାର ପ୍ରମାଣ ଦେବାପାଇଁ ଏକ ବିଶାଳ କର୍ମୀ ସମାବେଶ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମାବେଶରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିକଟରେ ଟିକେଟ ପରିବର୍ତ୍ତନ ଦାବି ରଖାଯିବ ବୋଲି ମଧ୍ୟ ମତ ଦେଇଛନ୍ତି। ପୂର୍ବରୁ ସମର୍ଥକ ଚାହିଁଲେ ସେ ସ୍ବାଧୀନ ଭାବେ ଲଢିବାକୁ ପଛଘୁଞ୍ଚା ଦେବେନାହିଁ ବୋଲି ରଘୁନନ୍ଦନ କହିଥିବାରୁ ଆଗକୁ ରଘୁନନ୍ଦନଙ୍କ ପଦକ୍ଷେପ ବାଲିକୁଦା-ଏରସମାରେ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଲ୍ଲେଖଯୋଗ ଯେବିଜେଡି ଏଥର ବାଲିକୁଦା-ଏରସମାରୁ ଶାରଦାପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।