ବ୍ରହ୍ମପୁର : ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟରେ ହାଜର ହୋଇଥିଲେ। ବିଧାୟକ ଜେନାଙ୍କ ନାମରେ ରୁଜୁ ହୋଇଥିବା ୪ଟି ମାମଲାରେ ତାଙ୍କର ବୟାନ୍ ରେକର୍ଡ଼ କରା ଯାଇଥିଲା। ଦୁଇଟି ମାମଲାରେ ଆସନ୍ତାକାଲି ଜବାବସୁଆଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ୟ ଦୁଇଟି ମାମଲାରେ ଆସନ୍ତା ୧୨ ତାରିଖରେ ଜବାବସୁଆଲ ହେବ।
ସୂଚନା ଅନୁସାରେ, ବିଧାୟକ ଜେନାଙ୍କ ନାମରେ ଗତ ୨୦୧୭ରେ ଟାଉନ୍ ଥାନାରେ ଏକ ଦୁଷ୍କର୍ମ ମାମଲା(ଏସ୍ଟି-୧୧୭/୧୭) ରୁଜୁ ହୋଇଥିଲା। ଏହା ସହିତ ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକରେ ହୋଇଥିବା ଏକ ହତ୍ୟା ମାମଲା(ଏସ୍ଟି-୧୩୦/୧୭), ପୂର୍ବତନ କର୍ପୋରେଟର୍ ରଂଜିତ ନାୟକଙ୍କ ଘରକୁ ବୋମାମାଡ଼ ମାମଲା(ଏସ୍ଟି-୧୮୦/୧୮) ଓ ପାଟପୁର ଥାନା କଙ୍କୋରଡ଼ାରେ ବ୍ୟବସାୟୀଙ୍କ ଉପରେ ବୋମାମାଡ଼ ମାମଲା(ଏସ୍ଟି-୧୯୮/୧୮)ରେ ପୁଲିସ ବିଧାୟକ ରମେଶଙ୍କ ନାମ ଯୋଡ଼ିଥିଲା। ଏଡିଜେ-୩ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି। ଆଜି ବିଧାୟକ ରମେଶ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ତାଙ୍କର ବୟାନ୍ ରେକର୍ଡ଼ କରାଯାଇଛି। ଆସନ୍ତା କାଲି ଏସ୍ଟି-୧୮୦/୧୮ ଓ ଏସ୍ଟି-୧୯୮/୧୮ ମାମଲାର ଜବାବସୁଆଲ ହେବ। ବିଧାୟକ ଜେନାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ନିର୍ମଳ ସାହୁ ଓ ସରୋଜ ଗୌଡ଼ ମକଦ୍ଦମା ପରିଚାଳନା କରୁଛନ୍ତି।