ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ ରମେଶ

ବନ୍ତଳା: ଆଜି ଏକ ସଡ଼କ ଦୁର୍ଘଟଣାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ଅନୁସାରେ, ଆଠମଲ୍ଲିକ ବିଧାୟକ ଶ୍ରୀ ସାଏ ଆଜି ଭୁବନେଶ୍ୱରରୁ ନିଜ ଗାଁ ଆଠମଲ୍ଲିକ ବ୍ଲକ ପୋଡ଼ାପଦରକୁ ଫେରୁଥିଲେ। ଅପରାହ୍‌ଣ ୩ଟା ୫ରେ ଅନୁଗୁଳ ବ୍ଲକ ବନ୍ତଳା ପାଖ ଜରାଓରପୁରଠାରେ ବିପରୀତ ଦିଗରୁ ତୀବ୍ର ଗତିରେ ଆସୁଥିବା ଏକ କାର୍‌ (ଓଡ଼ି-୧୫-କେ-୬୧୪୭) ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ବିଧାୟକ ଶ୍ରୀ ସାଏଙ୍କ ଇନୋଭା ଗାଡ଼ି(ଓଡ଼ି-୦୨-ବିଡ଼ି-୪୩୨୧)ର ମଝି ଅଂଶକୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗାଡ଼ିର ଚକା ଫାଟିଯାଇଥିଲା। ବିଧାୟକଙ୍କ ଗାଡ଼ି ରାସ୍ତାପାର୍ଶ୍ବକୁ ଖସି ଯାଇଥିଲା। ତେବେ ବେଲୁନ୍ ବାହାରି ଗାଡ଼ିରେ ଥିବା ବିଧାୟକ ଶ୍ରୀ ସାଏଙ୍କ ସହିତ ତାଙ୍କ ପିଏସ୍ଓ ରମାକାନ୍ତ ମାଝୀ ଓ ଗାଡ଼ି ଚାଳକ ଭିକାରି ଚରଣ ନାୟକଙ୍କୁ ସୁରକ୍ଷା ଦେବା ଫଳରେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ଧକ୍କା ଦେଇଥିବା କାର୍‌ରେ ଥିବା ସମ୍ବଲପୁର ଜିଲ୍ଲା ହୀରାକୁଦ ଅଂଚଳର ଧୀରେଶ ପ୍ରଧାନ ଓ ସୁମନ୍ତ ବାଗ ମଧ୍ୟ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣା ସଂକ୍ରାନ୍ତରେ ବିଧାୟକଙ୍କ ଗାଡ଼ିଚାଳକ ଭିକାରି ନାୟକ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ଶ୍ରୀ ସାଏଙ୍କୁ ପଚାରିବାରୁ ‘ଜଗନ୍ନାଥଙ୍କ କୃପାରୁ ବଞ୍ଚିଗଲୁ, କାହାରି କିଛି କ୍ଷତି ହୋଇନାହିଁ ’ବୋଲି କହିଛନ୍ତି। ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରିଥିଲେ।

ସମ୍ବନ୍ଧିତ ଖବର