ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତ ୨୦୧୪ ନିର୍ବାଚନରେ ସେ ବିଜୁ ଜନତା ଦଳ ଟିକଟରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ବୀ ବିଜେପିର ସୁଷମା ବିଶ୍ୱାଳଙ୍କୁ ପରାଜିତ କରିଥିଲେ।

ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଦଳ ମତେ ଅଣଦେଖା କରିବା ସହ ମୋ ବିରୋଧରେ ଷଡଯନ୍ତ୍ର ହୋଇଛି। ଇଂଜିନିୟର ଚାକିରି କରୁଥିବା ସୁକାନ୍ତ ଗତ ବର୍ଷ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ। ଘଟଣାକ୍ରମରେ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଥିବା ସୁଷମା ବିଶ୍ୱାଳ ଇତି ମଧ୍ୟରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେ ନୀଳଗିରିରୁ ବିଜେଡି ଟିକେଟ୍‌ ପାଇବା ନେଇ ଚର୍ଚ୍ଚା ମଧ୍ୟ ଶୁଣାଯାଉଛି।

ସୁକାନ୍ତ ଗତ ନିର୍ବାଚନରେ ପ୍ରାୟ ୧୩,୭୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସୁଷମାଙ୍କ ଯୋଗଦାନ ଓ ତାଙ୍କୁ ଟିକେଟ୍‌ ନମିଳିବା ଚର୍ଚ୍ଚା ଯୋଗୁଁ ସୁକାନ୍ତ ନାୟକ ଇସ୍ତଫା ଦେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ଦଳ ପକ୍ଷରୁ ଅଣଦେଖା ହୋଇଥିବା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେପିରେ ଯୋଗଦାନ କରିବା ନେଇ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପୁଣି ବିଜେଡିକୁ ଫେରିଛନ୍ତି ଯାଜପୁର ଅଞ୍ଚଳର ଜଣାଶୁଣା ରାଜନେତା ତଥା ସାହିତ୍ୟିକ ହୁସେନ୍‌ ରବି ଗାନ୍ଧୀ। ଏଥି ପୂର୍ବରୁ ଶ୍ରୀ ଗାନ୍ଧୀ ରାଜ୍ୟ ଚମଡ଼ା ନିଗମର ଅଧ୍ୟକ୍ଷ ଥିଲେ।

ସମ୍ବନ୍ଧିତ ଖବର