ପୁଅକୁ ପୁଲିସ ପିଟିବାରୁ ସାରା ରାତି ଥାନା ଆଗରେ ଧାରଣାରେ ବସିଲେ ବିଧାୟକ ଶଙ୍କର ଓରାମ

ରାଉରକେଲା: ଥାନା ସାମ୍ନାରେ ଧାରଣାରେ ବସିଲେ ବିଧାୟକ | ନିଜ ପୁଅକୁ ପୁଲିସ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ କରି ଥାନା ସାମ୍ନାରେ ନିଜ ସମର୍ଥକଙ୍କ ସହ ଅନଶନରେ ବସିଲେ ବିଧାୟକ | ସୁନ୍ଦରଗଡ ରଘୁନାଥପାଲ୍ଲୀ ଥାନା ସମ୍ମୁଖରେ ସୋମବାର ବିଳମ୍ବିତ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ବୀରମିତ୍ରପୁରର ବିଜେପି ବିଧାୟକ ଶଙ୍କର ଓରାମ ନିଜ ପୁଅଙ୍କୁ ପୁଲିସ ପିଟିଥିବା ଅଭିଯୋଗରେ ଅନଶନରେ ବସିଥିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟାରେ ରାଉରକେଲା ଶିଳ୍ପାଞ୍ଚଳରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବିଧାୟକ ଶଙ୍କର ଓରାମଙ୍କ ପୁଅ ଓ ତାଙ୍କର ୪ ଜଣ ସାଙ୍ଗ ଆସିଥିଲେ |

ବିବାହ ଭୋଜିରୁ ଘରକୁ ଫେରୁଥିବା ବେଳେ ପିସିଆର ପୁଲିସ ଉଠାଇ ନେଇ ନିର୍ଦ୍ଧୁମ ମାଡ ମାରିଥିଲା | ଏହି ଖବର ପାଇବା ପରେ ଝାଡ଼ଖଣ୍ଡକୁ ବିବାହ ଭୋଜି ଖାଇବାକୁ ଯାଇଥିବା ବିଧାୟକ ରାତି ୧୨ଟାରେ ରଘୁନାଥପାଲ୍ଲୀ ଥାନାକୁ ଆସିଥିଲେ | ମାଡ଼ ମାରିବା ପ୍ରତିବାଦରେ ରଘୁନାଥପାଲ୍ଲୀ ଥାନାରେ ବିଧାୟକ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ |

ରାତି ୧୨ଟାରୁ ସକାଳ ୮ଟା ଯାଏଁ ବିଧାୟକ ଧାରଣାରେ ବସିବା ପରେ ଆଜି ସକାଳେ ପାନପୋଷ ଏସଡିପିଓ ଅସୀମ ପଣ୍ଡା ଆସି ବିଧାୟକଙ୍କୁ ବୁଝାସୁଝା କରିଥିଲେ | ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ଦେବା ପରେ ବିଧାୟକ ଅନସନରୁ ହଟିଥିଲେ |

ସମ୍ବନ୍ଧିତ ଖବର