ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିର୍ବାଚନମଣ୍ତଳୀ ଅଧୀନ ନିଶ୍ଚିନ୍ତକୋଇଲି ବ୍ଲକ୍ କେରିଲୋ ପଞ୍ଚାୟତ ମା’ ରାମଚଣ୍ତୀ ପୀଠରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଯୋଗ ଦେଇ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ପର‌ିବେଶ ପଞ୍ଚାୟତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ପରିବେଶ ବଞ୍ଚିଲେ ଆମେ ବ‌ଞ୍ଚିବା, ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଉତ୍ତର ଦାୟିତ୍ବ ବୋଲି କହିବା ସହ ଖାଲି ଗଛ ଲଗାଇଲେ ହେବନାହିଁ, ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଭିତ୍ତିଭୂମିର ବିକାଶ ଓ ସହରୀକରଣ ପାଇଁ ଆବଶ୍ୟକ ନଥାଇ ମଧ୍ୟ ବହୁ ସ୍ଥାନରେ ଗଛକଟା ଚାଲିଛି। ଯାହାଫଳରେ ପରିବେଶ ପ୍ରଦୁଷିତ ହେଉଛି। ସଂପ୍ରତି ରାସାୟନିକ ସାର ବ୍ୟବହାର ଯୋଗୁ ମାଟିର ଉର୍ବରତା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି। ପୃଥିବୀକୁ ରକ୍ଷା କରିବାକୁ ହେଲେ ଆଗାମୀ ପିଢିଙ୍କ ପାଇଁ ଏବେଠାରୁ ସଚେତନତା ହେବାକୁ ପଡିବ। ପରିବେଶ ସୁରକ୍ଷା କେବଳ ସରକାର, ସାମାଜିକ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧିଙ୍କର କାର୍ଯ୍ୟ ନୁହେଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କର ଉତ୍ତରଦାୟିତ୍ବ ହେବା ଆବଶ୍ୟକ।

Advertisment

ଜନସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ପରିବେଶ ସୁରକ୍ଷା ପାଇଁ ସେହି ଅନୁପାତରେ ଗୁରୁତ୍ବ ଦେବାକୁ ହେବ। ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ତଳୀରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ବନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନମାନେ ବିଭିନ୍ନ ଅନୁଦାନରେ କେବଳ କାଗଜପତ୍ରରେ ବୃକ୍ଷ ରୋପଣ କରୁଥିବା ଅନୁଭବ ହେଉଛି। ଯଦି ବାସ୍ତବରେ ସେତିକି ଗଛ ଲଗାଯାଇଥାନ୍ତା ତେବେ ମାହାଙ୍ଗା ଆଜି ଜଙ୍ଗଲରେ ପରିଣତ ହୋଇସାରନ୍ତାଣି। ଗଣମାଧ୍ୟମର ପ୍ରତିନିଧିମାନେ ଏହାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ପାଇଁ ବିଧାୟକ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।
ସେ ଆହୁରି ମଧ୍ୟ କହିଥିଲେ, ଗଛ ଲଗାଇବା ଯେତିକି ଗୁରୁତ୍ବପୂର୍ଣ୍ଣ ଗଛର ସଂରକ୍ଷଣ ଓ ସୁରକ୍ଷା ତା’ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ଅନୁଯାୟୀ ସାରା ଦେଶରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଚାଲୁ ରହିଛି। ‌ଆସନ୍ତା ବନ ମହୋତ୍ସବ ଭିତରେ ମାହାଙ୍ଗା ନିର୍ବାଚନମଣ୍ତଳୀର ବିଭିନ୍ନ ସରକାରୀ ସ୍ଥାନ, ନଦୀବନ୍ଧ, କେନାଲ ବନ୍ଧ ଆଦି ସ୍ଥାନମାନଙ୍କରେ ୧ ଲକ୍ଷ ଗଛ ଲଗାଇବେ ବୋଲି ବିଧାୟକ କହିବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତଚନ୍ଦ୍ର ଦାଶ, ପ୍ରାକ୍ତନ ପ୍ରଧାନଶିକ୍ଷକ ଓ ପରିବେଶବିତ୍ ଅକ୍ଷୟ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍ ବଟକୃଷ୍ଣ ସ୍ବାଇଁ, ‘ସମ୍ବାଦ ସାହିତ୍ୟଘର’ ସଭାପତି ଫକିର ଚରଣ ନାୟକ, ଦେବବ୍ରତ ପଣ୍ତା, ଦେବଦତ୍ତ କର ପ୍ରମୁଖ ପରିବେଶ ସଂକ୍ରାନ୍ତରେ ତଥ୍ୟ ସମ୍ବଳିତ ବକ୍ତବ୍ୟ ରଖିଥିଲେ।