ବାବୁମାନେ ମନ୍ତ୍ରୀଙ୍କୁ ବିଭ୍ରାନ୍ତ କରୁଛନ୍ତି, ପିଇବା ପାଣି ସମସ୍ୟା ନେଇ ଅସନ୍ତୋଷ ଓଗାଳିଲେ ବିଧାୟକ

ନବୀନ ବାବୁଙ୍କ ନାଁ ନେଇ ଫାନ୍ଦ କରନି: ମହାରଥୀ

ଧୈର୍ଯ୍ୟ ଧର, ୨୦୨୪ ସୁଦ୍ଧା ସବୁ ଗାଁକୁ ପାଣି ମିଳିବ: ମନ୍ତ୍ରୀ
ଭୁବନେଶ୍ବର: ପିଇବା ପାଣିକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଯେଉଁ ତଥ୍ୟ ଦେଉଛନ୍ତି, ସେଥିରେ ସତ୍ୟତା ନାହିଁ। ଅଫିସର୍‌ମାନେ ତାଙ୍କୁ ଭୁଲ୍‌ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ୨୮ ହଜାର ଗାଁକୁ ପାଣି ଯାଇନି। ଯେଉଁ ଜାଗାକୁ ପାଇପ ପାଣି ଯାଇଛି, ତାହା ମଧ୍ୟରୁ ଅଧିକାଂଶ ଅଚଳ। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ମନ୍ତ୍ରୀ ଆଉ ଅସତ୍ୟ ତଥ୍ୟର ସାହାରା ନ ନେଇ ତୁରନ୍ତ ସମାଧାନ ବାଟ କାଢ଼ନ୍ତୁ। ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳ ମତ ନିର୍ବିଶେଷରେ ବିଧାୟକମାନେ ଏମିତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ ପାଦେ ଆଗକୁ ଯାଇ ଚଢ଼ା ଗଳାରେ କହିଥିଲେ ଯେ ନବୀନ ବାବୁଙ୍କ ନାଁ ନେଇ ମନ୍ତ୍ରୀ ଫାନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଠିକ୍ ଉତ୍ତର ଗୃହରେ ରଖନ୍ତୁ।

ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ସରଗରମ ଆଲୋଚନା। କୋରାପୁଟ ସମେତ ଓଡ଼ିଶାର କେତେ ଗାଁକୁ ପାଇପ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ହୋଇଛି ବୋଲି ସେ ପଚାରିଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ଥିଲା, ରାଜ୍ୟରେ ମୋଟ ୪୭,୩୬୬ ଗାଁ ମଧ୍ୟରୁ ୧୯,୫୦୪ଟି ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। କୋରାପୁଟ ଜିଲ୍ଲାର ୧୯୩୨ ଗାଁ ମଧ୍ୟରୁ ୫୪୮ଟି ଗାଁକୁ ପାନୀୟ ଜଳ ଦିଆଯାଉଛି। ଜିଲ୍ଲାରେ ହୋଇଥିବା ମୋଟ୍‌ ୪୯୧ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୭ଟି ପ୍ରକଳ୍ପ ସାମୟିକ ଭାବେ ଅଚଳ ଅବସ୍ଥାରେ ଅଛି ଓ ସେଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ପଚାରିଲେ, କେଉଁ ଅଫିସର୍‌ କ୍ଷେତ୍ର ସ୍ତରକୁ ଯାଇ ତଦାରଖ କରିଥିଲେ ଯେ କୋରାପୁଟରେ ମାତ୍ର ୭ଟି ପ୍ରକଳ୍ପ ଅଚଳ ହୋଇଛି ବୋଲି ଦେଖିଲେ? ବାସ୍ତବରେ ୫୦ ପ୍ରତିଶତରୁ ଅଧିକ ପ୍ରକଳ୍ପ ଖରାପ ହୋଇଗଲାଣି। ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି। ଗୋଟିଏ ଉଚ୍ଚସ୍ତରୀୟ ଟିମ୍ ଗଠନ କରି କୋରାପୁଟ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇ ବାସ୍ତବ ସ୍ଥିତି ଜାଣନ୍ତୁ। ମନ୍ତ୍ରୀ କହିଥ‌ିଲେ, ଆମ ପାଖରେ ୭ଟି ପ୍ରକଳ୍ପ ଅଚଳ ହୋଇଥିବାର ସୂଚନା ଅଛି। ଯଦି ଅଧିକ ପ୍ରକଳ୍ପ ଅଚଳ ଅଛି, ବିଧ‌ାୟକ ନିର୍ଦ୍ଦିଷ୍ଟ ଭାବେ ଜଣାଇଲେ ଆମେ ପଦକ୍ଷେପ ‌େନବୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବଲାଙ୍ଗୀରରେ ଯେତେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଛି, ସେଥିରୁ ଅର୍ଦ୍ଧାଧିକ ଖରାପ। ମନ୍ତ୍ରୀ ଏ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ମଗାଇବା ସହ ସେଗୁଡ଼ିକ ସଜାଡ଼ିବାର ବ୍ୟବସ୍ଥା କରନ୍ତୁ। ଦୁଇ ବର୍ଷ ତଳେ ମୁଁ ଗୋଟିଏ ଓଭର୍‌ହେଡ୍‌ ଟ୍ୟାଙ୍କ ଉଦ୍‌ଘାଟନ କରିଥିଲେ ବି ଏ ପର୍ଯ୍ୟନ୍ତ ତାହା କାମ କରିନି। ବିଜେପି ସଭ୍ୟ କୁସୁମ ଟେଟେ କହିଥିଲେ ଯେ ସୁନ୍ଦରଗଡ଼ରେ ସୌର ଶକ୍ତି ଚାଳିତ ପିଇବା ପାଣି ଯୋଗାଣ ପ୍ରକଳ୍ପ ହୋଇଛି। କିନ୍ତୁ ମେସିନ୍ ଖରାପ ହୋଇଗଲା ପରେ କେହି ସଜାଡ଼ୁ ନାହାନ୍ତି। ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କଲେ ବି କେହି ଯାଉ ନାହାନ୍ତି। ସନ୍ତୋଷ ସିଂହ ସାଲୁଜା‌ କହିଥିଲେ ଯେ ସରକାର ୨୦୨୪ ଭିତରେ କିପରି ସବୁ ଗାଁକୁ ପାଣି ଦେବେ? କେନ୍ଦ୍ର ସରକାର କାହିଁକି ପିଇବା ପାଣି ପ୍ରକଳ୍ପରେ ରାଜ୍ୟକୁ ଅଧିକ ଅନୁଦାନ ଦେଉ ନାହାନ୍ତି? ଅତନୁ ସବ୍ୟସାଚ୍ଚୀ ନାୟକ ମାର୍ଶାଘାଇରେ ଏକ ପ୍ରୋସେସିଂ ପ୍ଲାଣ୍ଟ୍‌ କାମ ଆଗେଇ ପାରୁ ନ ଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଷ୍ଣୁ ଚରଣ ସେଠୀ ମରାମତି କାମ କରୁଥିବା କର୍ମଚାରୀମାନେ ରାଜନୈତିକ ଆକ୍ରୋଶର ଶିକାର ହେଉଥିବା ସମ୍ପର୍କରେ କହିଥିଲେ। ପ୍ରଦୀପ ଅମାତ ତାଙ୍କ ନିର୍ବାଚନମଣ୍ଡଳୀରେ ଗୋଟିଏ ପିଇବା ପାଣି ପ୍ରକଳ୍ପର କାମ ୧୩ ବର୍ଷ ହେଲା ସରୁ ନାହିଁ ବୋଲି ଜଣାଇଥିଲେ।

ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ ସମାଲୋଚନା କରି କହିଥିଲେ ଯେ ମନ୍ତ୍ରୀ ଗଣମାଧ୍ୟମରେ କହୁଛନ୍ତି ଯେ ୨୦୨୦ ଭିତରେ ସବୁ ଅଞ୍ଚଳକୁ ପିଇବା ପାଣି ଦିଆଯିବ। ୨୭ ହଜାରରୁ ଅଧିକ ଗାଁକୁ ଏତେ କମ୍ ସମୟ ମଧ୍ୟରେ କେଉଁ ମେକାନିଜିମ୍‌ରେ ପିଇବା ପାଣି ଯୋଗାଇ ଦେବେ? ମନ୍ତ୍ରୀଙ୍କୁ ଏଠାରେ ଯେଉଁ ପ୍ରଶ୍ନ ପଚରାଯାଉଛି ସେଥିରୁ ଉତ୍ତର ମିଳୁଛି ‘ତୁରନ୍ତ ପଦକ୍ଷେପ ନେବୁ।’ ସେହି ‘ତୁରନ୍ତ’ର ସଜ୍ଞା କ’ଣ ? ଯେଉଁଠି ରାସ୍ତା କାମ ହେଉଛି, ସେଠି ପାଣି ପାଇପ ଖରାପ ହେଲେ ତାହାକୁ ସଜଡ଼ା ଯାଉନି। ପୁରୀରେ ଏମିତି ଅନେକ ପ୍ରକଳ୍ପ ଖରାପ ହୋଇଛି। ଖାଲି ନବୀନ ବାବୁଙ୍କ ନାଁ ନେଇ ଫାନ୍ଦ କରିବାକୁ ଚେଷ୍ଟା ନ କରି ମନ୍ତ୍ରୀ ଠିକ୍ ଉତ୍ତର ରଖନ୍ତୁ।

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ୨୦୨୦ ସୁଦ୍ଧା ସବୁ ସହରାଞ୍ଚଳକୁ ଓ ୨୦୨୪ ସୁଦ୍ଧା ସବୁ ଗ୍ରାମାଞ୍ଚଳକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥି ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧୭,୩୭୨ କୋଟି ଟଙ୍କା ବ୍ୟୟବରାଦ କରିସାରିଲେଣି। ଗତ ୫ ବର୍ଷ ଭିତରେ କେନ୍ଦ୍ର ସରକାର ଏ ବାବଦକୁ ମାତ୍ର ୫୪୯ କୋଟି ଟଙ୍କା ଦେଇଛନ୍ତି। ଯେଉଁଠି ପୁରୁଣା ପ୍ରକଳ୍ପ ଖରାପ ହୋଇଛି, ସେଗୁଡ଼ିକ ତୁରନ୍ତ ମରାମତି କରାଯିବ। ସୌରଶକ୍ତି ଚାଳିତ ପ୍ରକଳ୍ପ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ପିଇବା ପାଣି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାର ଗୁରୁତର ସହ ପଦକ୍ଷେପ ନେଉଛନ୍ତି। ୨୦୨୪ ସୁଦ୍ଧା ନିଶ୍ଚିତ ଭାବେ ସବୁ ଗାଁରେ ପାଇପ ଯୋଗେ ପାଣି ପହଞ୍ଚିବ। ଏଥିରେ କାହାରି ସନ୍ଦେହ ରହିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ବହୁ ବିଧାୟକ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ। ତେବେ ବାଚସ୍ପତି କହିଥିଲେ ଯେ ନିର୍ବାଚନମଣ୍ଡଳୀରେ ଏହା ଏକ ମୌଳିକ ସମସ୍ୟା। ତେଣୁ ବିଧାୟକମାନେ ପିଇବା ପାଣି ପ୍ରକଳ୍ପ ବାବଦରେ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାନ୍ତୁ। ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର