କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର(ଏମ୍ସିଏଚ୍)କୁ ପୁଣିଥରେ ଉଦ୍ଘାଟନ କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି। ପୁନଃଉଦ୍ଘାଟନ ପାଇଁ ସମସ୍ତଙ୍କୁ ଡକାଡକି କରିଥିଲେ ସୁଦ୍ଧା କାହିଁକି ଓ କେଉଁ ପରିସ୍ଥିତିରେ ବାତିଲ୍ କରାଗଲା, ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ, ପୂର୍ତ୍ତ ବିଭାଗ ଉଦ୍ଘାଟନ ପାଇଁ ଲଗାଯାଇଥିବା ଫଳକକୁ ତାଡ଼ିନେଇଛି।
ତିନି ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିବା କେନ୍ଦ୍ରାପଡ଼ା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର(ଏମ୍ସିଏଚ୍)ର ପୁନଃ ଉଦ୍ଘାଟନ ପାଇଁ ଆଜି ସବୁ ପ୍ରସ୍ତୁତି ସରିଥିଲା। ଫଳକ ମରାଯାଇଥିଲା। ଫୁଲରେ ଏମ୍ସିଏଚ୍ ମୁଖ୍ୟଦ୍ବାରକୁ ସଜାଯାଇଥିଲା। ବେଲୁନ ବି ବନ୍ଧା ଯାଇଥିଲା। ଫଳକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ନବିକଶୋର ଦାସ ଏବ˚ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁ ଥିଲା। ହେଲେ ବିଧାୟକ ଶ୍ରୀ ବେହେରା ଦ୍ବିତୀୟବାର ଏହାକୁ ଉଦ୍ଘାଟନ କରିବା ପୂର୍ବରୁ କାର୍ଯ୍ୟକ୍ରମ ବାତିଲ୍ କରାଯାଇଥିଲା।
ଏମିତି କ’ଣ ହେଲା ଯେ ଆଡ଼ମ୍ବର ସହକାରେ ଆୟୋଜନ କରିଥିବା କାର୍ଯ୍ୟକ୍ରମକୁ ପ୍ରଶାସନ ଶେଷ ମୁହୂର୍ତ୍ତରେ ବନ୍ଦ ତ କଲା; ତା'ସହିତ ଶାବଳରେ ତାଡ଼ି କାନ୍ଥରେ ଲାଗିଥିବା ଉଦ୍ଘାଟନୀ ଫଳକକୁ ହଟାଇ ଦେଲା? ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ପଛରେ କାରଣ କ’ଣ ହେଇପାରେ? ମୁଖ୍ୟମନ୍ତ୍ରୀଙ୍କ ପରେ ଏକାକୀ ଶ୍ରେୟ ନେବା ପାଇଁ ଦ୍ବିତୀୟଥର ଉଦ୍ଘାଟନ ଉଦ୍ୟମ ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଲା ନା ଅନ୍ୟ ଚାରି ବିଧାୟକ ଥାଉ ଥାଉ ଫଳକରେ କେବଳ କେନ୍ଦ୍ରାପଡ଼ା ବିଧାୟକଙ୍କ ନାଁ ରହିବା ଉପର ମହଲାକୁ କ୍ଷୁବ୍ଧ କଲା? କାରଣ ଯାହା ବି ହେଉ ନା କାହିଁକି, ସାରା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉତ୍ସର୍ଗୀକୃତ ହୋଇସାରିଥିବା ଏହି ବହୁ ପ୍ରତୀକ୍ଷିତ ଏମ୍ସିଏଚ୍ ବିଲ୍ଡି˚ର ଦ୍ବିତୀୟଥର ଏକାକୀ ଉଦ୍ଘାଟନ ଉଦ୍ୟମ କରିବାକୁ ଯାଇ ବିଧାୟକ ଅପଦସ୍ଥ ହେବା ଘଟଣା କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ୧୫ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଳାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି˚ ମାଧୢମରେ ଏହି ଏମ୍ସିଏଚ୍ ବିଲ୍ଡି˚କୁ ଲୋକାର୍ପିତ କରିଥିଲେ। ଯେତେବେଳେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା, ସେତେବେଳେ କେନ୍ଦ୍ରାପଡ଼ା ବିଧାୟକ ନ ଥିଲେ ଶଶୀଭୂଷଣ ବେହେରା। ୨୦୧୬, ନଭେମ୍ବର ୨ତାରିଖରେ ୧୧୦.୧୬କୋଟି ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ ଏମ୍ସିଏଚ୍ ବିଲ୍ଡି˚ ସମେତ ଦୁଇ ଶହ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ ସ˚ପ୍ରସାରଣ ୟୁନିଟ୍ର ଶୁଭ ଦିଆଯାଇଥିଲା।