ବାଲେଶ୍ୱର : ବାଲେଶ୍ୱର ସଦର ଆସନ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ଆଜି ଦଳର ବହୁ ହେଭିୱେଟ୍ ନେତା ଜୋରଦାର ପ୍ରଚାର କରିଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ସଦର ବ୍ଲକ ବଇଁଚା ପଞ୍ଚାୟତରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ସହିତ ସମାବେଶରେ ଆକର୍ଷଣ ଥିଲେ ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ବାତ୍ୟା ଓ ମହାମାରୀ କୋଭିଡ୍ର ସଫଳ ମୁକାବିଲା କରିପାରିଛି। କେବଳ ଭାରତବର୍ଷରେ ନୁହେଁ, ବିଶ୍ବ ଦରବାରରେ ମଧ୍ୟ ଓଡ଼ିଶା ରୋଲ୍ ମଡେଲ୍ ସାଜିଛି। ସେ ଆହୁରି କହିଥିଲେ, ନବୀନ ସରକାର ଓଡ଼ିଶାର ପରିଚୟ ବଦଳାଇ ଦେଇଛନ୍ତି। ଦିନଥିଲା, ଓଡ଼ିଶାର ଲୋକମାନେ ଖାଇବାକୁ ପାଉନଥିଲେ। ଅନାହାର ମୃତ୍ୟୁର ଅପବାଦ ମୁଣ୍ଡେଇଥିଲା ଏ ରାଜ୍ୟ। ହେଲେ ନବୀନ ପଟ୍ଟନାୟକ ଆହ୍ବାନ ଦେଲେ, ଏ ରାଜ୍ୟରେ ଆଉ କେହି ଭୋକିଲା ରହିବେ ନାହିଁ। ଫଳସ୍ବରୂପ ଲକ୍ଷଲକ୍ଷ ଗରିବ, ଅସହାୟ ଓ ଦାଦନ ପରିବାର ଆଜି ଅନାହାରରୁ ମୁକ୍ତି ପାଇଛନ୍ତି। ତେବେ ବିକାଶର ଏହି ଧାରାରୁ ବାଲେଶ୍ବର କାହିଁକି ଗୋଠଖଣ୍ଡିଆ ହୋଇରହିବ। ନବୀନଙ୍କ ନେତୃତ୍ବରେ ସାରା ଓଡ଼ିଶାରେ ପ୍ରଗତିର ସ୍ରୋତ ଜାରି ରହିଥିବାବେଳେ ବାଲେଶ୍ବରବାସୀ ଏଥିରେ ସାମିଲ ହେବାକୁ ଦ୍ବିତୀୟବାର ସୁଯୋଗ ଆସିଛି। ତେଣୁ ୧୯ ନିର୍ବାଚନରେ ଯେଉଁ ଭୁଲ ହୋଇଛି, ସେହି ଭୁଲକୁ ଆଉ ନ ଦୋହରାଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ରେ ଜିତାଇବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନେତୃତ୍ବରେ ଆୟୋଜିତ ଏହି ସଭାରେ ଆଇନ ମନ୍ତ୍ରୀ ତଥା ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପ୍ରାର୍ଥୀ ସ୍ବରୂପ ଦାସ, ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ରହି ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଦେବା ସହ ବିଜେଡିକୁ ଜିତାଇବାକୁ କହିଥିଲେ। ପରେ ଶ୍ରୀ ପଟ୍ଟନାୟକ ବାଲେଶ୍ବର ସହରର ସିଦ୍ଧିକଲ୍ୟାଣ ମଣ୍ଡପରେ ଆୟୋଜିତ ଦଳର ମହାମିଶ୍ରଣ ପର୍ବରେ ଯୋଗ ଦେଇଥିବା ବେଳେ ଗୋପୀନାଥପୁର, ସିନ୍ଧିଆ, ପରିଖି, ଓଡ଼ଙ୍ଗୀ ପଞ୍ଚାୟତରେ ଅନୁଷ୍ଠିତ ଦଳୀୟ ସମାବେଶରେ ଯୋଗ ଦେଇ ସ୍ବରୂପଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ସନ୍ଧ୍ୟାରେ ମଧ୍ୟ ସହରର ବିଭିନ୍ନ ୱାର୍ଡରେ ବିଜେଡିର ପ୍ରଚାର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ମାରାଥନ ପ୍ରଚାରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ଉମା ସାମନ୍ତରାୟ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, ଶଶୀକୁମାର ସାହୁ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/soumya-ranjan.jpg)