ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି। ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ। ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଛି। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର। ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି ସେ।
ଏହାପୂର୍ବରୁ ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ।
ଏହାପୂର୍ବରୁ ଶଙ୍ଖ ଭବନରେ ପହଞ୍ଚି ମନ୍ମଥ କହିଥିଲେ, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି। ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/3c8b5050-dc18-4c3d-88b0-8441e78f24f3.jpg)