ନୂଆପଡ଼ା : ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଚାଲିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ହଠାତ୍ ନୂଆପଡ଼ା ଜିଲ୍ଲାର ମାଓପ୍ରବଣ ଅଞ୍ଚଳରେ ପହଞ୍ଚିବା ଓ ସାଙ୍ଗରେ ନେଇଥିବା ଶାବଳ ଓ ରଫାରେ ମାଟି ଖୋଳି ରାସ୍ତା କାମ ଯାଞ୍ଚ କରିବା ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀଙ୍କ ଏଭଳି ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ କି ପୁଲିସ ନିକଟରେ କିଛି ଖବର ନଥିଲା ବୋଲି ମଧ୍ୟ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ସଦର ବ୍ଲକ ଅନ୍ତର୍ଗତ ମାଓପ୍ରବଣ ଅଞ୍ଚଳ ଟିକିରାପଡ଼ା ଠାରୁ ସନ୍ତୋଷୀପଡ଼ା ଯାଏ ପକ୍କା ରାସ୍ତା ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଉପାନ୍ତ ଅଞ୍ଚଳ ବିକାଶ ଯୋଜନାରେ ଚୁଲାଭାଟା ପଞ୍ଚାୟତର ଏହି ରାସ୍ତା ପାଇଁ ୧କୋଟି ୬୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ତେବେ ରାସ୍ତା କାମ ଅତି ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଆର୍ଡି ବିଭାଗର ଟୋଲ୍ ଫ୍ରି୍ ନମ୍ବରରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ଅବଗତ ହେବା ପରେ ଏହାର ତଦନ୍ତ ପାଇଁ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦାୟିତ୍ବ ଦେବା ସହ ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ।
New Indian Expressନିର୍ଦେଶ ପାଇବାପରେ ମନ୍ତ୍ରୀ ରବିବାର ଅପରାହ୍ନ ୩ଟାରେ ମାଓପ୍ରବଣ ପଣ୍ଡିରୀପାଣି ଦେଇ ସେଠାରେ ପହଞ୍ଚିଥିଲେ। ଏକ ଇନୋଭା ଗାଡ଼ିରେ ଶାବଳ, ରଫା ସହ ମାଟି ଖୋଳିବା ଉପକରଣ ଧରି ସେ ଆସିଥିଲେ। ଗାଡ଼ିରୁ ଏସବୁ ଉପକରଣ ଆଣି ଏହି ରାସ୍ତାକୁ ଖୋଳି ଗ୍ରାମବାସୀଙ୍କ ଉପସ୍ଥିତିରେ ସରଜମିନ୍ ତଦନ୍ତ କରିଥିଲେ। ମନ୍ତ୍ରୀ ପ୍ରାୟ ୨୦ ମିନିଟ୍ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ ନୂଆପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି, ସଂଞ୍ଜୟ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଅଞ୍ଚଳରେ ପ୍ରାୟ ଏକ ଘଣ୍ଟା ଧରି ରହିବା ପରେ ସେ ନୂଆପଡ଼ାକୁ ଫେରି ଆସିଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀଙ୍କ ଏହି ଗସ୍ତ ସଂପର୍କରେ ଜିଲ୍ଲାର କୌଣସି ପ୍ରାଶାସନିକ ଅଧିକାରୀଙ୍କ ପାଖରେ ସୂଚନା ନଥିଲା। ଏନେଇ ନୂଆପଡ଼ା ଡିଆଇବି ଡିଏସ୍ପି ମିତ୍ରଭାନୁ କଶ୍ୟପଙ୍କୁ ପଚାରିବାରୁ, ଜିଲ୍ଲାକୁ ରବିବାର ମନ୍ତ୍ରୀ ଆସିବାର ଖବର ଆସିନଥିଲା ବୋଲି କହିଥିଲେ। ମନ୍ତ୍ରୀଙ୍କ ଏହି ଅଚାନକ ଗସ୍ତ ଓ ଶାବଳରେ ମାଟି ଖୋଳି ତଦନ୍ତ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/minister.jpg)