ଜିଲ୍ଲାସ୍ତରୀୟ ପରବ ନାଟକ ମହୋତ୍ସବ: ମଂଚରେ ଏକକ ଅଭିନୟ କଲେ ତାରା

କମଳାକାନ୍ତ, ରବି, ସୂଜାତା, ଗୋପାଳ, ଉଷା ଓ ଚିତ୍ତରଂଜନ ସମ୍ବର୍ଦ୍ଧିତ

ଜୟପୁର: ସ୍ଥାନୀୟ ଗୀତାଂଜଳୀ କଲ୍ୟାଣ ମଣ୍ଡପ ପରିସରରେ ପରବ ଲୋକ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ପରବ ନାଟକ ମହୋତ୍ସବ ଆରମ୍ଭ ହୋଇଛି। ଶୁକ୍ରବାର ସଂଧ୍ୟାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ‌ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଜୟପୁର ସହର କଳାର ମାଟି ବୋଲି କହିଥିଲେ। କିଭଳି ଡଙ୍ଗରରୁ ପରବ ଆରମ୍ଭ ହୋଇଥିଲା ସେ ସଂପର୍କରେ ଅଙ୍ଗେ ନିଭା କଥା ସଂପର୍କରେ ସୂଚନା ଦେଇଥିଲେ। ଲୁକ୍କାୟିତ କଳାକାରଙ୍କୁ ମଂଚ ପ୍ରଦାନ ସହ  ଦେଶ ବିଦେଶର କଳାକାରଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଉଦେଶ୍ୟରେ ପରବ ଆରମ୍ଭ ହୋଇଥିଲା। ପରବ ଏବେ ଠିକେ ବାଟବଣା ହେବା ଭଳି ତାଙ୍କୁ ଲାଗୁଛି ବୋଲି କହିଥିଲେ। ସହରବାସୀ, କଳାକାର ଆଦିଙ୍କ ଦାବିରେ ନାଟକ ମହୋତ୍ସବ, ଚିତ୍ର କଳା ପ୍ରଦର୍ଶନୀ ସହ ଫୁଟବଲ, ଭଲିଭଲ ଓ ଦୌଡକୁଦର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏଥରକ ଜୟପୁରରେ କରାଯାଉଛି ବୋଲି ବିଧାୟକ ସୂଚନା ଦେଇଥିଲେ। ସମସ୍ତଙ୍କ ଅନୁରୋଧରେ ସେ ମଂଚରେ ଏକକ ଅଭିନୟ ବି କରିବା ସହ କଳାକାରଙ୍କ ଜୀବନ ଓ ଯନ୍ତ୍ରଣା ସଂପର୍କରେ ସାମ୍ୟକ୍ ସୂଚନା ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ବାରାଜ୍ୟ ଶିଶା, ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରିତି ସୁଧା ଜେନା ଯୋଗ ଦେଇ ଜୟପୁର କଳାର ମାଟି ବୋଲି କହିଥିଲେ।ପ୍ରିୟା ଥିଏଟର ଗ୍ରୁପ୍‌ ଓ ଜୟପୁର କଳା ଓକଳାକାର ଗ୍ରୁପର ସହ‌ଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରିୟା ଗ୍ରୁପର ସଭାପତି ସଂଜୟ ବେହେରା ସଭାପତିତ୍ବ କରିଥିଲେ। ମଂଚକୁ ରଘୁନାଥ ବିଶ୍ବାଳ ସଂଯୋଜନା କରିଥିଲେ। ଶୁକ୍ରବାର ବରିଷ୍ଠ କଳାକାର କମଳାକାନ୍ତ ରଥ, ରବି ପାତ୍ର, ଓ ସୂଜାତା ଆଚାରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଗତ କାଲି ସେମିଳିଗୁଡା ବ୍ଲକର ନାଟକ ମଂଚସ୍ଥ ହୋଇଥିଲା।

ସେହିଭଳି ଆଜି ଅତିଥି ଭାବେ ଜୟପୁର ଏସଡିପିଓ ହରିଶା ବି.ସି, ଓ ଜିଲ୍ଲାସୂଚନା ଓ ଲୋକସଂପର୍କୀ ଅଧିକାରୀ ଶ୍ରୀ ଶିଶା ଯୋଗ ଦେଇ କଳାକାରଙ୍କୁ ପ୍ରତ୍ସାହିତ କରିଥିଲେ। ଶନିବାର ବୈପାରୀଗୁଡାବ୍ଲକର ଜୟ ଶ୍ରୀରାମ ନାଟ୍ୟସଂସ୍ଥା ପକ୍ଷରୁ ଭକ୍ତ ପ୍ରହ୍ଲାଦ, କୋରାପୁଟବ୍ଲକ ପକ୍ଷରୁ ନିଜର ହେତୁ ନିଜେ ବୁଢ଼ାଇଲୁ ଓ ପଟାଙ୍ଗୀ ବ୍ଲକ ପକ୍ଷରୁ ଅବାଂଚିତ ମାତୃତ୍ବକୁ ନେଇ ତିନୋଟି ନାଟକ ମଂଚସ୍ଥ କରାଯାଇଥିଲା। ଆଜି ସେଭଳି ନାଟ୍ୟନିର୍ଦ୍ଦେଶକ ଗୋପାଳ କୃଷ୍ଣ ସାମନ୍ତରାୟ, ଉଷା ଦାଶ ଓଚିତ୍ତରଂଜନ ମହାପାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର