ଉଷାଦେବୀଙ୍କ ସମ୍ପତ୍ତି କମିଛି

ବ୍ରହ୍ମପୁର : ଚିକିଟି ରାଣୀ ଉଷା ଦେବୀ ଚିକିଟି ବିଧାନସଭା ଆସନରୁ ୨୦୦୦ ମସିହାରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି। ୨୦୧୪ରୁ ଏହି ଆସନରେ ଲଢି ରାଜ୍ୟ ସରକାରଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ। ଚଳିତ ବର୍ଷ ଏହି ବିଧାନକ୍ଷେତ୍ରରୁ ଲଢିବା ଲାଗି ସେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କର ଗତ ୫ବର୍ଷ ମଧ୍ୟରେ ସମ୍ପତ୍ତିର ପରିମାଣ କମିଥିବା ଜଣାପଡିଛି। ସେ ବ୍ୟାଙ୍କ ଲୋନ ଆଣି ଇନୋଭ କାର କିଣି ୬ଲକ୍ଷ ୪୦ହଜାର ୯୪୬ ଋଣ ରହିଥିବା ଦର୍ଶାଇଛନ୍ତି।

୬୬ବର୍ଷ ବୟସ୍କା ଉଷାଦେବୀ ୧୯୬୮ ମସିହାରେ ଆନ୍ଧ୍ରପ୍ରଦେଶର କାକିନଡା ସ୍ଥିତ ସେଣ୍ଟ ଯୋଶେଫ ସ୍କୁଲରୁ ମାଟ୍ରିକ ପାସ କରିଛନ୍ତି। ୧୯୬୯ରେ ସେଣ୍ଟ ଯୋଶେଫ ସ୍କୁଲରେ ପ୍ରି ୟୁନିଭରସିଟି ଡ୍ରିଗ୍ରୀ ହାସଲ କରିଛନ୍ତି। ୨୦୧୪ରେ ତାଙ୍କର ଅସ୍ଥାବର ସମ୍ପତ୍ତି ଥିଲା ୩୦ଲକ୍ଷ ୩୪ହଜାର ୪୯୮ ଟଙ୍କା। ସେଥିରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ ରହିଥିଲା ୧୭ଲକ୍ଷ ୬୯ହଜାର ୪୯୭। ପୋଷ୍ଟାଲ ଓ ବୀମା ଆଦି ବିନିଯୋଗ ରହିଥିଲା ୩ ଲକ୍ଷ ୬୫ହଜାର। ଆଉ ୩ ଶହ ଗ୍ରାମ ସୁନା ଅଳଙ୍କାର ରହିଥିଲା ଯାହାର ବଜାର ଦର ୯ଲକ୍ଷ ଟଙ୍କା। ଅସ୍ଥାବର ସମ୍ପତ୍ତି କିଛି ନାହିଁ। କିନ୍ତୁ ତାଙ୍କ ସ୍ବାମୀଙ୍କ ନାମରେ .୬୯୧ ଏକର ଜମି ତଥା ୩୦ହଜାର ୧୦୦ବର୍ଗଫୁଟ ଜମି ରହିଛି। ସେଥିରୁ ୫ହଜାର ବର୍ଗଫୁଟରେ ନିର୍ମାଣ ହୋଇଛି। ଏହାର ବଜାର ଦର ୧କୋଟି ୧୦ଲକ୍ଷ ଟଙ୍କା। ଗୃହ ଋଣ ଓ ଗାଡି ଋଣ ବାବଦକୁ ସେ ୨୮, ୧୯୧ଟଙ୍କା ଋଣୀ ରହିଥିଲେ। ୨୦୧୯ ଅର୍ଥାତ ବର୍ତ୍ତମାନ ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୦ ଲକ୍ଷ ୯୫ ହଜାର ୫୩୬। ସେଥି ମଧ୍ୟରୁ ୯ଲକ୍ଷ ୮୧ହଜାର ୬୭୯ଟଙ୍କା ବିଭିନ୍ନ ବ୍ୟାଙ୍କରେ ଜମା ରହିଛି। ୩ ଲକ୍ଷ ୧୩ ହଜାର ୮୫୭ଟଙ୍କା ବୀମା ଓ ପୋଷ୍ଟାଲ ବଣ୍ତ ଆଦି କ୍ଷେତ୍ରରେ ବିନିଯୋଗ କରିଛନ୍ତି। ତାଙ୍କର ହାତରେ ନଗଦ ୨ଲକ୍ଷ ଟଙ୍କା ରହିଛି। ତାଙ୍କ ପାଖରେ ୨ଶହ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ବଜାର ଦର ୬ ଲକ୍ଷ ଟଙ୍କା ହେବ। ଅସ୍ଥାବର ସମ୍ପତ୍ତି କିଛି ନାହିଁ। କିନ୍ତୁ ତାଙ୍କ ସ୍ବାମୀଙ୍କ ନାମରେ .୬୯୧ ଏକର ଜମି ତଥା ୩୦ ହଜାର ୧୦୦ବର୍ଗଫୁଟ ଜମି ରହିଛି। ସେଥିରୁ ୫ ହଜାର ବର୍ଗଫୁଟରେ ନିର୍ମାଣ ହୋଇଛି। ଏହାର ବଜାର ଦର ୧କୋଟି ୧୦ଲକ୍ଷ ଟଙ୍କା। ବର୍ତ୍ତମାନ ବ୍ୟାଙ୍କରୁ ଋଣ ନେଇ ଏକ ଇନୋଭା କାର କିଣିଛନ୍ତି। ଗାଡି ବାବଦକୁ ଋଣ ୬ଲକ୍ଷ ୪୦ହଜାର ୯୪୬ଟଙ୍କା ରହିଛି। ସେ ୨୦୧୮-୧୯ରେ ୧୪ଲକ୍ଷ ୩ହଜାର ୮୩୭ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର