ଶକ୍ତି ଦେଖାଇଲେ ଓଡ଼ିଶା ନେତା: କୋଟିଆରେ ଏକାଠି ହେଲେ ସବୁ ଦଳର ବିଧାୟକ, ନେତା

ଆନ୍ଧ୍ର ବିଧାୟକଙ୍କ କାର୍ଯ୍ୟକ୍ରମ ବାତିଲ
ତେଲଗୁ ପୁସ୍ତକ ସହ ପୋଷାକ ଜବତ
ଆନ୍ଧ୍ରର ୬ଜଣ ଶିକ୍ଷକ ଗିରଫ

କୋରାପୁଟ : ଦଳ, ବଳ ନେଇ ପ୍ରଥମଥର ଆନ୍ଧ୍ରକୁ ପଛକୁ ଫେରିବା ପାଇଁ ବାଧ୍ୟ କରିଛି ଓଡ଼ିଶା। ରାଜନେତାଙ୍କ ରଣହୁଙ୍କାର ସାଙ୍ଗକୁ ଓଡ଼ିଶା ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଆନ୍ଧ୍ରର ସବୁ ଚକ୍ରାନ୍ତ ଫସର ଫାଟିଛି। ସାଲୁର ବିଧାୟକ ଶେଷ ମୁହୂର୍ତ୍ତରେ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଥିବା ବେଳେ ଓଡ଼ିଶା ପୁଲିସ ଦ୍ବାରା ଆନ୍ଧ୍ରର ୬ଜଣ ଶିକ୍ଷକଙ୍କୁ ଗିରଫ ହୋଇଛନ୍ତି। ସ୍ବାଧୀନତା ଦିବସର ଠିକ୍‌ ଦିନକ ପରେ ଆନ୍ଧ୍ରର ବିସ୍ତାରବାଦୀ ନୀତି ଉପରେ ଏମିତି ବଡ଼ ଚୋଟ ପକାଇଛି ଓଡ଼ିଶା।

ଓଡ଼ିଶାର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବାପରେ ଛାନିଆ ହୋଇଯାଇଥିଲା ଆନ୍ଧ୍ର। ତେଣୁ ସ୍ବାଧୀନତା ଦିବସ ପାଳନ ସହ ଆଜି ଏଠାରେ ବିରାଟ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆନ୍ଧ୍ରର ଏହି ଦୁଇଟି ଷଡ଼୍‌ଯନ୍ତ୍ରକୁ ବିଫଳ କରିବାକୁ ପୂରା ଜୋର ଲଗାଇ ଦେଇଥିଲା ପ୍ରଶାସନ। ଏଥିରେ ପ୍ରଶାସନକୁ ସହଯୋଗ କରିଛନ୍ତି ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତା। ନୀତି ଓ ଚିନ୍ତାଧାରାରେ ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗରେ ରାଜନେତା ଏକାଠି ହୋଇ ଆଜି ଓଡ଼ିଶା ପାଇଁ ଦୃଢ଼ତାର ସହ ଲଢ଼ିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସାଲୁର ବିଧାୟକଙ୍କ ବୃକ୍ଷରୋପଣ, ଭିତ୍ତିପ୍ରସ୍ତର ସ୍ଥାପନ ଓ ଜଙ୍ଗଲଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା ପ୍ରଶାସନ ଏବଂ ବିଭିନ୍ନ ସ୍ଥାନରେ ବାଡ଼ ବାନ୍ଧି ସୀମା ସିଲ୍‌ କରିଥିଲା। ୫ ପ୍ଲାଟୁନ ପୁଲିସ ଫୋର୍ସ ଗତକାଲି ବିଳମ୍ବିତ ରାତିରେ ସୀମାରେ ପହରା ଦେବା ଆରମ୍ଭ କରିଥିଲେ। ପାଟାଙ୍ଗି ବିଧାୟକ ପ୍ରୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ବିଜେଡି ଜିଲ୍ଲା ସଭାପତି ତଥା ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ରାମ କାଡାମ, ବିଜେପି ନେତା ଜୟରାମ ପାଙ୍ଗୀ, ପ୍ରଫୁଲ୍ଲ ପାଙ୍ଗୀ, ରବି ନନ୍ଦ, ମୀନାକ୍ଷୀ ବାହିନୀପତି, ବାଲା ରାୟ, ମୁନା ରଥଙ୍କ ସହ ଅନେକ ନେତା ଆଜି ସକାଳୁ କୋଟିଆରେ ପହଞ୍ଚି ଯାଇଥିଲେ। ଆନ୍ଧ୍ର ସରକାରଙ୍କ ବିରୋଧୀ ନାରାବାଜିରେ କମ୍ପିଥିଲା ଫାଟୁସିନେରୀ। ଏହି ଖବର ପାଇ ଶେଷ ମୁହୂର୍ତ୍ତରେ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ସାଲୁର ବିଧାୟକ ଏବଂ ପ୍ରଶାସନ।

ସେହିପରି ଆନ୍ଧ୍ର ସରକାର ଆଜିଠାରୁ ବିଦ୍ୟାଳୟ ଗୁଡ଼ିକୁ ଖୋଲିବାପାଇଁ ଘୋଷଣା କରିଥିବାରୁ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସା, ଫାଟୁସିନେରୀ, ଧୂଳିପଦର, ଉପରସେମ୍ବି, ଗଞ୍ଜେଇପଦର ଓ ଫଗୁଣସିନେରୀ ଅଞ୍ଚଳକୁ ଆନ୍ଧ୍ରର ୬ଜଣ ଶିକ୍ଷକ ପଶି ଆସିଥିଲେ। ପାଠ୍ୟ ପୁସ୍ତକ ସହ ପୋଷାକ ବାଣ୍ଟିବାକୁ ଏହି ଶିକ୍ଷକମାନେ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ ଚଢ଼ଉ କରି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା। ପଚରାଉଚୁରା ସମୟରେ ସେମାନଙ୍କ ଠାରୁ ସାଂଘାତିକ ତଥ୍ୟ ମିଳିଥିଲା। ତେଲଗୁ ଶିକ୍ଷାର ପ୍ରଚାର ପ୍ରସାର ଓ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ସେମାନେ ଆସିଥିବା ପୁଲିସକୁ କହିଥିଲେ। ନିଜର ବିଦ୍ୟାଳୟ ନଥିବା ବେଳେ ଓଡ଼ିଶା ଭିତ୍ତିଭୂମି‌କୁ ବ୍ୟବହାର କରି ଶିକ୍ଷାଦାନ କରୁଥିବା ସ୍ବୀକାର କରିଥିଲେ। ସତ ମାନିଯିବାରୁ କିଛି ଘଣ୍ଟା ଅଟକ ରଖିବା ପରେ ସିଆର୍‌ପିସିର ଧାରା ୪୪ ଅନୁସାରେ ଜାମିନରେ ଛଡ଼ା ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ଠାରୁ ଦୁଇ ବସ୍ତା ପୁସ୍ତକ ଏବଂ ପୋଷାକ ଜବତ କରାଯାଇଛି।

ଏ ନେଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଯୋଜନା ଅନୁସାରେ ସକାଳୁ ଆନ୍ଧ୍ର ସୀମା ସିଲ କରାଯାଇଥିଲା। କିଛି ଶିକ୍ଷକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବହି ଏବଂ ପୋଷାକ ଜବତ କରାଯାଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ଓଡ଼ିଶାରେ ପଶିବାକୁ ଦିଆଯିବନାହିଁ। ଆଜି ଯେମିତି ପ୍ରଶାସନ, ପୁଲିସ ଏବଂ ସବୁ ଦଳର ନେତା ଏକାଠି ହୋଇ ଲଢ଼ିଲେ ଆଗକୁ ବି ଏମିତି ଲଢ଼ିବୁ। ସାଲୁର ବିଧାୟକ ଓ ପ୍ରଶାସନ ଓଡ଼ିଶାରୁ ଦୂରେଇ ରୁହନ୍ତୁ ନଚେତ ପରିମାଣ ସାଂଘାତିକ ହେବ ବୋଲି ଚେତାଇ ଦେଇଛନ୍ତି। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ଫାଟୁସିନେରୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ବ୍ୟପାକ ପୁଲିସ ଫୋର୍ସ ସହ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଭଗବାନଙ୍କ ଦୟାରୁ ସେମିତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ବିଜୟନଗରମ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଛି। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଥିବାରୁ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ, ସାଲୁର ବିଧାୟକ ରଜନ୍ନା ଦୋରା ପିଡ୍ଡିକା କହିଛନ୍ତି ଯେ, ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କା ହେବାରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦ‌େଶକୁ ମାନି ଆଜିର କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ତେବେ ଖୁବ୍‌ଶୀଘ୍ର ବାତିଲ କାର୍ଯ୍ୟକ୍ରମ ନିମନ୍ତେ ଦିନ ଧାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର