ପୁରୀ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର୍ ପ୍ରଚାର ଆରମ୍ଭ ହୋଇଯାଇଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ ଜୟନ୍ତଙ୍କ ଏକ ପ୍ରଚାରପତ୍ର ଚର୍ଚ୍ଚାରେ ରହିଛି। ଜୟନ୍ତ ତାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ପୁରୀର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସଂପନ୍ନ ହୋଇଛି ବୋଲି ଦର୍ଶାଇଛନ୍ତି। କିଛିଦିନ ପୂର୍ବରୁ ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରେ ଜଣେ ପରାଜିତ ପ୍ରାର୍ଥୀଭାବେ ୫ ବର୍ଷରେ କ’ଣ କରିଛନ୍ତି, ସେ ସଂପର୍କିତ ଏକ ପୁସ୍ତିକା ଲୋକାର୍ପିତ କରିବା ପରେ ପରେ ଗତକାଲି ବିଳମ୍ବିତ ରାତିରେ ବିଧାୟକଙ୍କ କାର୍ଯ୍ୟାଳୟରୁ ବି ଏହି ପ୍ରଚାରପତ୍ର ସାର୍ବଜନୀନ କରାଯାଇଛି।
ପ୍ରଚାରପତ୍ରରେ ଜୟନ୍ତ ଉଲ୍ଲେଖକରିଛନ୍ତି, ପୁରୀ ନିର୍ବାଚନମଣ୍ଡଳୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ କେନ୍ଦ୍ର, ଜେଲ୍ରୋଡ୍ ବହୁତଳ ପାର୍କିଂ, ମ୍ୟୁନିସିପାଲ୍ କଲ୍ୟାଣମଣ୍ଡପ ନବୀକରଣ, ରେଳଷ୍ଟେସନ୍ ଉନ୍ନତୀକରଣ, ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ, ବସଷ୍ଟାଣ୍ଡ୍ ଉନ୍ନତୀକରଣ, ସମୁଦ୍ର କୂଳ ଯାତ୍ରୀ କାର ପାର୍କିଂ ବ୍ୟବସ୍ଥା, ବ୍ଲୁ-ଫ୍ଲାଗ ବିଚ୍ ନିର୍ମାଣ, ମହୋଦଧି ମାର୍କେଟ୍ ନିର୍ମାଣ, ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ, ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ନିର୍ମାଣ, ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ, କମ ଖର୍ଚ୍ଚରେ ଧର୍ମଶାଳା ନିର୍ମାଣ, ବିମାନବନ୍ଦର ନିର୍ମାଣର ଶୁଭାରମ୍ଭ, ସମସ୍ତ କଲେଜ ଓ ଅର୍ଦ୍ଧାଧିକ ବିଦ୍ୟାଳୟକୁ ଅନୁଦାନ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସର ଉନ୍ନତୀକରଣ, ମୁକ୍ତା ଯୋଜନାରେ ଜାଗାଆଖଡ଼ା ଆଦିର ଉନ୍ନତି କରାଯାଇଛି। ସେହିଭଳି ସିଏସ୍ଆର୍ ପାଣ୍ଠି ସହ ଶତପ୍ରତିଶତ ବିଧାୟକ ପାଣ୍ଠିରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ସେଚ ଦର୍ଶାଇଛନ୍ତି। ବିଧାୟକଙ୍କ ଏହି ପ୍ରଚାରପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।