ଭୁବନେଶ୍ବର : ନିଜ ନିଜ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବିଧାୟକ। ଶୁକ୍ରବାର ଦିନ ପ୍ରଶ୍ନକାଳରେ ଶିଳ୍ପ ସଂକ୍ରାନ୍ତୀୟ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକମାନେ ଏହି ଦାବି ଉଠାଇବା ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପାଇଁ ଏହା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି। ଦେବୀ ପ୍ରସାଦ ମିଶ୍ରଙ୍କ ଏକ ମୂଳ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ରାଜ୍ୟ ସରକାରଙ୍କ ଦ୍ବାରା ନୂଆ ଶିଳ୍ପନୀତି ୨୦୨୨ ଡିସେମ୍ବରରେ ପ୍ରଣୟନ କରାଯାଇଛି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ ମାଧ୍ୟମରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ୭୪୧ଟି ପ୍ରସ୍ତାବ ଦାଖଲ ହୋଇଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦,୪୮,୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୧୦,୩୭,୭୦୧ଟି ନିଯୁକ୍ତିର ଆକଳନ କରାଯାଇଛି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ବନୟଶିଳ୍ପ, ଚିନି କାରଖାନା ଓ ୱଗନ୍ କାରଖାନା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାରେ ବେରୋଜଗାର ସମସ୍ୟା ଗୁରୁତର ଥିବାରୁ ସରକାର ଏହାକୁ ତୁରନ୍ତ ବିଚାର କରିବାକୁ ସେ କହିଥିଲେ। ବିଧାୟକ ଶଙ୍କର ଓରାମ ଶିଳ୍ପାନୁଷ୍ଠାନର ଛୋଟ ଛୋଟ ସମସ୍ୟା ଜିଲ୍ଲା ସ୍ତରରେ ସମାଧାନ ହେବା ଉପରେ ଗୁରୁତ୍ବାରୋପ କରିଥିଲେ। ତାରାପ୍ରସାଦ ବାହିନୀପତି ଜୟପୁର ପେପର୍ ମିଲ୍ କଥା ଉଠାଇଥିଲେ। ମକରନ୍ଦ ମୁଦୁଲି, ନୃସିଂହ ସାହୁ, ତାରାପ୍ରସାଦ ବାହିନୀପତି, ସୂର୍ଯ୍ୟବଂଶୀ ସୁରଜ, ଅରବିନ୍ଦ ଢାଲି ଓ ସୁରେଶ ରାଉତରାୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/industries.jpg)