କଲେଜ ଗଭର୍ଣ୍ଣିଂ ବଡିରେ ରହିବେନି ନେତା, ସଭାପତି ପଦରେ ବସିବେ ଶିକ୍ଷାବିତ୍‌

ସାମିଲ ହେବେ ଅଭିଭାବକ, ଟ୍ୟୁସନ କଲେ ଅଧ୍ୟାପକଙ୍କୁ ଦଣ୍ଡ

ଭୁବନେଶ୍ବର : ରାଜନୀତିମୁକ୍ତ ହେବ ଯୁକ୍ତ୩ କଲେଜ। ଦୁଇ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଫଳରେ କ୍ୟାମ୍ପସରେ ଛାତ୍ର ରାଜନୀତି ଏକପ୍ରକାର ବନ୍ଦ ହୋଇଛି। କ୍ୟାମ୍ପସ ହିଂସା କମିଛି। ପାଠପଢ଼ା ସ୍ବାଭାବିକ ହୋଇଛି। ଏଭଳି ସଫଳତା ପରେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ଯୁକ୍ତ୩ କଲେଜ ପରିଚାଳନା କମିଟି(ଗଭର୍ଣ୍ଣିଂ ବଡି)ରେ ରହିବେନି ନେତା। ବିଧାୟକ, ପୂର୍ବତନ ବିଧାୟକଙ୍କୁ ଆଉ କମିଟିରେ ରହିବାକୁ ସୁଯୋଗ ମିଳିବନି। ନେତାଙ୍କ ବଦଳରେ ଶିକ୍ଷାବିତ୍‌ମାନଙ୍କୁ କଲେଜ ପରିଚାଳନା କମିଟିର ଦାୟିତ୍ବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

କମିଟିର ରୂପରେଖ ନେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ସଭାପତି ହେବେ। ୨ରୁ ୩ ଜଣ ଅଭିଭାବକଙ୍କୁ ବି ସାମିଲ କରାଯିବ। ପୁରାତନ ଛାତ୍ରଛାତ୍ରୀଙ୍କୁ ବି କମିଟିରେ ସାମିଲ କରିବା ନେଇ ବିଚାର ଆଲୋଚନା ଜାରି ରହିଛି। କମିଟିର ସଭାପତି କିଭଳି ଚୟନ ହେବେ ସେନେଇ ଖୁବ୍‌ଶୀଘ୍ର ଏକ ନିୟମାବଳୀ ଜାରି ହେବ। ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ପରିଚାଳନାଗତ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦିଆଯିବ। କୌଣସି ନିର୍ବାଚନ ପ୍ରତିନିଧି ପରିଚାଳନା କମିଟି ଦାୟିତ୍ବରେ ରହିବେନି। ଏନେଇ କ୍ୟାବିନେଟ୍‌ ମୋହର ବାଜିବା ପରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

ବର୍ତମାନ ନିୟମ ଅନୁଯାୟୀ ଗୋଟିଏ ପରିଚାଳନା କମିଟିରେ ପାଖାପାଖି ୧୫ ଜଣ ସଦସ୍ୟ ରହୁଛନ୍ତି। ବିଧାୟକ, ପୂର୍ବତନ ବିଧାୟକଙ୍କ ପରି ନେତା କମିଟିର ସଭାପତି ରହୁଛନ୍ତି। ଏମାନଙ୍କ ବ୍ୟତୀତ ବିଧାୟକଙ୍କ ପ୍ରତିନିଧି, ଗ୍ରାମାଞ୍ଚଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସହରାଞ୍ଚଳରେ ମ୍ୟୁନିସିପାଲିଟି ଚେୟାରମ୍ୟାନ, ସଭାପତିଙ୍କ ଦ୍ବାରା ମନୋନୀତ ଦୁଇ ଜଣ ମହିଳା ପ୍ରତିନିଧି, ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ନିଯୁକ୍ତ ମହିଳା ପ୍ରତିନିଧି, ଉଚ୍ଚଶିକ୍ଷା ନିର୍ଦେଶକଙ୍କ ଦ୍ବାରା ‌ପ୍ରେରିତ ମହିଳା ପ୍ରତିନିଧି, କଲେଜକୁ ୫୦ ହଜାରରୁ ଅଧିକ ଟଙ୍କା ଦେଉଥିବା ବ୍ୟକ୍ତି ନ ହେଲେ ବିଶିଷ୍ଟ ଶିକ୍ଷାବିତ୍‌, ଏସ୍‌ସି/ଏସ୍‌ଟି ବର୍ଗରୁ ଜଣେ, ସଂଖ୍ୟାଲଘୁ ବର୍ଗରୁ ଜଣେ ରହିବେ। ଏଥିସହ କଲେଜର ୪ ଜଣ ରହିବା ବାଧ୍ୟତାମୂଳକ। କଲେଜ ଅଧ୍ୟକ୍ଷ କମିଟିର ସଚିବ ରହିବେ। ତାଙ୍କ ସହ ଜଣେ ଲେଖାଏ ଅଧ୍ୟାପକ ଓ ଅଧ୍ୟାପିକା, ଜଣେ କର୍ମଚାରୀ କମିଟିର ସଦସ୍ୟ ରହିବେ। ଏହି କମିଟିରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ରହିବେ କି ନାହିଁ ସେନେଇ ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାନ୍ତି।

କଲେଜ ସହ କୋଚିଂ ସେଣ୍ଟରରେ ପଢ଼ାଉଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କୁ ନାଲିଆଖି ଦେଖାଇଛନ୍ତି ମନ୍ତ୍ରୀ ଶ୍ରୀ ସାହୁ। ସେ ସ୍ପଷ୍ଟ କରିଛନ୍ତି ଯେ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକମାନେ କୋଚିଂ ସେଣ୍ଟର କିମ୍ବା ଘରୋଇ ଟ୍ୟୁସନ କରିପାରିବେ ନାହିଁ। ଯଦି ଏସମ୍ପର୍କରେ କୌଣସି ତଥ୍ୟ ଉଚ୍ଚଶିକ୍ଷା ବିଭାଗ ନିକଟରେ ପହଞ୍ଚିବ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ। ଅଭିଭାବକ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ଏଭଳି ଘଟଣାକୁ ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟିକୁ ଆଣିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଆୟୋଜିତ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମନ୍ତ୍ରୀ ଶ୍ରୀ ସାହୁ ଆହ୍ବାନ ଦେଇଛନ୍ତି।

ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଲେ ଯେ ଉଚ୍ଚଶିକ୍ଷା ସଂସ୍କାରରେ ଅଭିଭାବକମାନେ ସହଯୋଗର ହାତ ବଢ଼ାଇବାକୁ ଆହ୍ବାନ ଦେଇଥିଲେ। ଏଥିସହ କହିଥିଲେ ଯେ ଗତ ଦୁଇ ବର୍ଷ ହେଲା କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି। ଯେଉଁଥିପାଇଁ ପାଠପଢ଼ା ‌ସ୍ବାଭାବିକ ଚାଲିଛି। ସମସ୍ତଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଉଚ୍ଚଶିକ୍ଷାରେ ଓଡ଼ିଶା ମାଇଲଖୁଣ୍ଟ ଛୁଇଁବ। ଏହି ଆଲୋଚନାଚକ୍ରରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ନିରଦ ବରଣ ଖୁଣ୍ଟିଆ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଶିକ୍ଷାବିତ୍‌ ଭଗବାନ ପ୍ରକାଶ, ବିନାୟକ ରଥ, ଆର ଏନ୍‌ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଅନ୍ୟପକ୍ଷରେ କଲେଜ ପରିଚାଳନା ସମିତିର ସଭାପତି ଭାବେ ବିଧାୟକଙ୍କ ବଦଳରେ ଶିକ୍ଷାବିତ୍‌ଙ୍କୁ ନିଯୁକ୍ତି ଦିଆଯିବା ନିଷ୍ପତ୍ତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ସ୍ବାଗତ କରାଯାଇଛି। ଏହା ମାଧ୍ୟମରେ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ କମ୍‌ ହେବ। ଆଗାମୀ ଦିନରେ ଏହାର କାର୍ଯ୍ୟକରିତାକୁ ନେଇ ସରକାର ତୁରନ୍ତ ପଦକ୍ଷେପ ନେଲେ ଏହାର ସୁଫଳ ମିଳିପାରିବ। ରାଜ୍ୟ ସରକାର ନିଜର ଦଳୀୟ କର୍ମୀଙ୍କୁ କଲେଜ ପରିଚାଳନା କମିଟିରେ ଥଇଥାନ ନ କରି ପ୍ରକୃତ ଶିକ୍ଷାବିତ୍‌ଙ୍କୁ ସଭାପତି ଭାବେ ନିଯୁକ୍ତି ଦିଅନ୍ତୁ ବୋଲି ଏବିଭିପି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର