ଜଗତସିଂହପୁର: କୁଜଙ୍ଗ ବ୍ଲକ୍ ବାଗୋଇ ପଞ୍ଚାୟତର ବଟ ମହାପୁରୁଷ ମଠରେ ବିଧାୟକ ସମ୍ବିତ ରାଉତରାୟ ଓ କାଞ୍ଚନ ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଆଜି କାଞ୍ଚନ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ପୃଥକ୍ ପୃଥକ୍ ଲିଖିତ ଅଭିଯୋଗ ହୋଇଛି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଦୀପ୍ତିମୟୀ ବସ୍ତିଆ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଭିଡିଓକୁ ଏଡିଟ୍ କରାଯାଇ ତାଙ୍କୁ ଅଯଥାରେ ବଦନାମ୍ କରାଯାଉଛି ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି।
କାଞ୍ଚନଙ୍କ ଅଭିଯୋଗ ମୁତାବକ, ବନବିହାରୀ ମଠର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା ବେଳେ ବିଧାୟକ ଉପସ୍ଥିତ ଥିଲେ। ସେହି ଗାଁର ଜଣେ ବାସିନ୍ଦା ଓ ମଠର ସେବିକା ହିସାବରେ ସେଠାରେ ସେ ପହଞ୍ଚି ବିଧାୟକଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ବିଧାୟକ ତାଙ୍କୁ ଗାଳିଗୁଲଜ କରିବା ସହ ସର୍ବସାଧାରଣରେ ଅପମାନିତ କରିଥିଲେ। ଏଣୁ ଏନେଇ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଥାନାରେ କରିଥିବା ଲିଖିତ ଅଭିଯୋଗରେ କାଞ୍ଚନ ଦର୍ଶାଇଛନ୍ତି। ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ବିଧାୟକ ଶ୍ରୀ ରାଉତରାୟ ଖଣ୍ଡନ କରିବା ସହ କହିଛନ୍ତି ଯେ ଉକ୍ତ ମଠରେ କାଞ୍ଚନଙ୍କ ସହ ତାଙ୍କର କୌଣସି ପାଟିତୁଣ୍ଡ ହୋଇନାହିଁ। ମଠର ନିର୍ମାଣ କାମ କରୁଥିବା ଯୁବକମାନଙ୍କୁ ସେ ବିରୋଧ କରୁଥିଲେ। ତାଙ୍କୁ ସେ ବୁଝାଶୁଝା କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କିଛି ଖଳ ପ୍ରକୃତିର ଲୋକ ଏହି ସମୟରେ ଭିଡିଓ ଉତ୍ତୋଳନ କରି ଏହାକୁ କାଟ୍ ଛାଣ୍ଟ୍ କରି ସୋସିଆଲ୍ ମିଡିଆରେ ଭାଇରାଲ କରିଛନ୍ତି। ଉକ୍ତ ମଠର ଉନ୍ନତି ପାଇଁ ବିଧାୟକଙ୍କ ପାଣ୍ଠିରୁ ପୂର୍ବରୁ ୧୨ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ବର୍ତ୍ତମାନ ୫-ଟି ଯୋଜନାରେ ୧୭ ଲକ୍ଷ ଆସିଛି। ପୂର୍ବରୁ ମଧ୍ୟ ଏକାଧିକ ଥର ସେ ଉକ୍ତ ମଠକୁ ଯାଇଛନ୍ତି। ଏଣୁ ବିରୋଧୀ ଏହାକୁ ନେଇ ଅଯଥାରେ ରାଜନୀତି କରିବା ଯେଉଁ ପ୍ରୟାସ କରୁଛନ୍ତି, ତାହା ଆଦୌ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/54564f56sfhfhs.jpg)