ଅନୁଗୁଳ: ଏବେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ଚାଲିଛି। ଶାନ୍ତି କନ୍‌ଷ୍ଟ୍ରକସନ୍ ସମ୍ବଲପୁର ପ୍ରା. ଲିଃ, ନନ୍ଦ ଇନ୍‌ଫ୍ରା କନ୍‌ଷ୍ଟ୍ରକସନ୍ ପ୍ରା. ଲିଃ ଓ ବିକେଡି-ଏସ୍‌ଇସି-ଏସ୍‌ଏମ୍‌ଟି (ଜେଭି) ଠିକାସଂସ୍ଥା ଏହାର କାମ ପାଇଛନ୍ତି। ଶାନ୍ତି କନ୍‌ଷ୍ଟ୍ରକସନ୍ ସମ୍ବଲପୁର ପ୍ରା. ଲିଃର ପ୍ରୋଜେକ୍ଟ୍‌ ଇଂଜିନି୍ଅର୍‌ଙ୍କ ଅଭିଯୋଗ ମୁତାବକ, ନିଜକୁ ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧି ବୋଲି ପରିଚୟ ଦେଇ ଗଂଗାଧର ଜିତ୍‌ ତାଙ୍କ ସମର୍ଥକଙ୍କ ସହ ପ୍ରକଳ୍ପ କ୍ଷେତ୍ରକୁ ଆସି ସାଇଟ୍‌ ଇନ୍‌ଚାର୍ଜ ସୁମନ୍ତ ବେହେରାଙ୍କୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେଳବାଇ ଅଧିକାରୀ/କର୍ତ୍ତୃପକ୍ଷ ବିଧାୟକଙ୍କୁ ଦେଖା କରିବା ପରେ ହିଁ କାମ ଆରମ୍ଭ ହେବ ବୋଲି ସେ ଠିକାଦାରଙ୍କୁ କହିଥିଲେ। ଭୟରେ ଉକ୍ତ ଠିକା ସଂସ୍ଥା କାମ ବନ୍ଦ କରିଦେଇଥିବା ବେଳେ ଚଳିତ ମାସ ୩ ତାରିଖରେ ଏନେଇ ଠିକାସଂସ୍ଥା ରେଳବାଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Advertisment

ଅନ୍ୟପଟେ ତାଳଚେରର ନନ୍ଦ ଇନ୍‌ଫ୍ରା କନ୍‌ଷ୍ଟ୍ରକସନ୍ ପ୍ରା. ଲିଃ ଗତ ୧୧ ତାରିଖରେ ରେଳବାଇକୁ ଲେଖିଥିବା ଚିଠିରେ ଦର୍ଶାଇଛି ଯେ ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧି ନିଜ ସମର୍ଥକଙ୍କ ସହ ପ୍ରୋଜେକ୍ଟ୍‌ ସାଇଟ୍‌କୁ ଆସି ଜୋରଜବରଦସ୍ତ କାମ ବନ୍ଦ କରିଦେଇଥିଲେ। ରେଳବାଇ କର୍ତ୍ତୃପକ୍ଷଙ୍କ ସହ ବିଧାୟକଙ୍କ ଆଲୋଚନା ପରେ ହିଁ କାମ ଆରମ୍ଭ ହେବ ବୋଲି ସେମାନେ ଧମକ ଦେବା ପରେ ଠିକାଦାର କାମ ବନ୍ଦ କରିଦେଇଛନ୍ତି। ସେହିପରି ଖମାର ଷ୍ଟେସନ୍‌ ନିକଟରେ କାମ କରୁଥିବା ବିକେଡି-ଏସ୍‌ଇସି-ଏସ୍‌ଏମ୍‌ଟି (ଜେଭି) ଠିକାସଂସ୍ଥାକୁ କିଛି ଲୋକ ଧମକାଇ ବିଧାୟକ ମୁକେଶ ପାଳଙ୍କୁ ଭେଟିବା ପରେ କାମ ହେବ ବୋଲି କହି ପ୍ରକଳ୍ପ କାମ ବନ୍ଦ କରିଦେଇଥିବା ଉକ୍ତ ସଂସ୍ଥା ଗତ ୧୩ ତାରିଖରେ ଚିଠି ଲେଖି ଜଣାଇଛି। ଅକ୍ଟୋବର ୯ ତାରିଖରୁ ୧୩ ତାରିଖ ଭିତରେ ପାଳଲହଡ଼ା ଅଞ୍ଚଳରେ ଚାଲିଥିବା ୩ଟି ସାଇଟ୍‌ର ୩ଟି ଏଜେନ୍ସି ପାଖରୁ ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ପୂର୍ବତଟ ରେଳବାଇର ଅନୁଗୁଳ ଡେପୁଟି ମୁଖ୍ୟଯନ୍ତ୍ରୀ-୨ ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ରେଳପଥ କାମ କରୁଥିବା ଠିକାସଂସ୍ଥାର କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ଓ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରୁଥିବା ବ୍ୟକ୍ତିଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଡେପୁଟି ମୁଖ୍ୟଯନ୍ତ୍ରୀ ଆଲୋଚନା କରିଥିଲେ। ତେବେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ରେଳବାଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ସେପଟେ ଏ ସମ୍ପର୍କରେ ବିଧାୟକ ଶ୍ରୀ ପାଳଙ୍କୁ ‌ପଚାରିବାରେ, ଠିକାସଂସ୍ଥା ଓ ରେଳବାଇ କର୍ତ୍ତୃପକ୍ଷ ଆଣିଥିବା ସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଅମୂଳକ ବୋଲି କହିଛନ୍ତି। ବର୍ଷ ବର୍ଷ ଧରି ସର୍ବସାଧାରଣ ‌ରାସ୍ତା ଖୋଳି ରଖିବାକୁ ରେଳବାଇ କର୍ତ୍ତୃପକ୍ଷଙ୍କୁ କିଏ ଅଧିକାର ଦେଇଛି ବୋଲି ଶ୍ରୀ ପାଳ ପଚାରିଛନ୍ତି। ଲୋକେ ପ୍ରତିଦିନ ହଇରାଣ ହରକତ ହେଉଛନ୍ତି, ଲୋକ ପ୍ରତିନିଧି ଭାବେ ଆମକୁ ଉତ୍ତର ଦେବାକୁ ପଡ଼ୁଛି; ଏଭଳି କ୍ଷେତ୍ରରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଆଲୋଚନା କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଡକାଇଲେ ବି କାହିଁକି ଆସୁନାହାନ୍ତି? ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଭଳି ରେଳବାଇ କର୍ତ୍ତୃପକ୍ଷ ବି ଲୋକଙ୍କ ସ୍ବାର୍ଥ କଥା ଭୁଲି ଯାଇଛି ବୋଲି ବିଧାୟକ କହିବା ସହ କାମ କେବେ ସରିବ ରେଳବାଇ ଆଗେ କହୁ ବୋଲି ସେ କହିଛନ୍ତି।