ଘଟଗାଁ : ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ। ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ଦେବାଶିଷ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ସାମ୍ବାଦିକ ଜଣଙ୍କ ଘଟଗାଁ ଥାନାରେ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଘଟଗାଁ ଥାନା ଗଦାଧରପୁର ପଞ୍ଚାୟତ ଖୁଣ୍ଟା ଗ୍ରାମରେ ଆଜି ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ଖେଳ ସରିବା ପରେ ଏକ ଖବରକାଗଜର ଜଣେ ସାମ୍ବାଦିକ ବିଭୁପ୍ରସାଦ ଚକ୍ର ଫଟୋ ଉଠାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଦେବାଶିଷ ଏବଂ ତାଙ୍କର ତିନିଜଣ ସହଯୋଗୀ ରଂଜିତ ପଲେଇ, ରମେଶ ପଲେଇ ଓ ବିଜୟ ପଲେଇ ତାଙ୍କୁ ଆକ୍ରମଣ କରିଥିଲେ। ବିଭୁଙ୍କ ମୋବାଇଲ ଏବଂ ଗାଡ଼ି ଛଡ଼ାଇ ନେଇଥିଲେ। ଏନେଇ ବିଭୁ ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ବିଭୁଙ୍କ ନାମରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ରାଜା ନାଏକ ନାମକ ଜଣେ ଯୁବକ ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ବିଭୁ ଫୁଟ୍ବଲ୍ ଖେଳ ଚାଲିଥିବା ସମୟରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିଲେ ବୋଲି ରାଜା ଅଭିଯୋଗ କରିଛନ୍ତି।
ଏନେଇ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କୁ ପଚାରିବାରୁ, ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି କେସ୍ ନମ୍ବର ୧୨୪/୨୧ ଓ ୧୨୫/୨୧ରେ ଦୁଇଟି ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ghatgoan-ps.jpeg)