ବିଧାୟକଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ : ପ୍ରଭାବୀ ହେବାର କୌଶଳ ଶିଖିଲେ ବିଧାୟକ

ଭୁବନେଶ୍ବର : ବିଧାନସଭାରେ କିପରି ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଇଁ କହିହେବ, ନିଜର ବୁଦ୍ଧି ବିବେକ ଖଟାଇ ରାଷ୍ଟ୍ରର ସ୍ବାର୍ଥ ପାଇଁ ସ୍ବର ଉଠାଇହେବ, ତାହାର କୌଶଳ ଶିଖିଛନ୍ତି ବିଧାୟକ। ବିଧାୟକ ଓ ବିଧାୟିକାଙ୍କ ପାଇଁ ଅନୁଷ୍ଠିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସବୁ ସଦସ୍ୟ ଓ ସଦସ୍ୟାମାନଙ୍କୁ ଏପରି କୌଶଳ ଶିକ୍ଷା ଦିଆଯାଇଛି। ବିଧାନସଭା ଓ ଲୋକସଭା ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥେଷ୍ଟ ଉପାଦେୟ ହେବ ବୋଲି ବାଚସ୍ପତି ଓ ନବନିର୍ବାଚିତ ବିଧାୟକମାନେ ମତ ରଖିଛନ୍ତି।

ଶନିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ବିଧାୟକମାନଙ୍କୁ ଗୃହ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର କୌଶଳ ଶିକ୍ଷା ଦିଆଯାଇଥିଲା। ଥରେ ନିର୍ବାଚିତ ହୋଇ ଆସିବା ପରେ ଲୋକଙ୍କ ଆସ୍ଥା କିପରି ବଜାୟ ରଖିହେବ ସେ ନେଇ ସଦସ୍ୟ ଓ ସଦସ୍ୟାମାନଙ୍କୁ ତାଲିମ ଦେଇଥିଲେ ଲୋକସଭା ସଚିବାଳୟର ନିର୍ଦ୍ଦେଶକ (ପି.ଆର.ଆଇ.ଡି.ଇ) ପୁଲିନ୍ ଭୂତିଆ। ସେ କହିଥିଲେ, ଜଣେ ପ୍ରଭାବୀ ବିଧାୟକ ହେବାକୁ ହେଲେ ପ୍ରତିଟି ସଦସ୍ୟଙ୍କୁ ସମ୍ମାନ ଦେବାକୁ ପଡ଼ିବ। ନିଜ ବ୍ୟବହାରରେ ଶାଳୀନତା ଆଣିବା ସହ ଅନ୍ୟକୁ ଶୁଣିବାର କୌଶଳ ଶିଖିବାକୁ ହେବ। ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ପଡ଼ିବ। ଜଣେ ହେଲେ ବି ସଦସ୍ୟ ଗୃହ ଭିତରେ କାହାରି ମାନସିକତାକୁ ଆଘାତ ଦେବା ଭଳି ଆଚରଣ କରିବେ ନାହିଁ। ଗୃହ ଭିତରେ ପ୍ରଶ୍ନକାଳ ହେଉ କି ସ୍ବତନ୍ତ୍ର ଆଲେଖ୍ୟ, କହିବା ପୂର୍ବରୁ ଜଣେ ଭଲ ସଦସ୍ୟ ସମ୍ପୃକ୍ତ ବିଷୟ ଉପରେ ଗବେଷଣା କରିଥିବା ଦରକାର। କେବଳ ପ୍ରଶ୍ନ କାଳରେ ଉପସ୍ଥିତ ନ ରହି ବିଧେୟକ ଆଲୋଚନାରେ ଭାଗ ନେବା ସହ ଗୃହ ଭିତରେ କେଉଁ ସଦସ୍ୟ କିପରି ନିଜର ଅଭିମତ ରଖୁଛନ୍ତି ତାକୁ ଅନୁଧ୍ୟାନ କରିବା ଉଚିତ। ଏପରିକି ବଜେଟ୍‌ ଆଲୋଚନାରେ ଭାଗ ନେବା ବେଳେ ନିର୍ଦ୍ଦିଷ୍ଟ ବିଭାଗ ସଂକ୍ରାନ୍ତରେ ତଥ୍ୟ ମହଜୁଦ୍ ରଖିବା ସହ ଜାତୀୟସ୍ତରରେ କେନ୍ଦ୍ର ଓ ଅନ୍ୟ ରାଜ୍ୟସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ଉପରେ ବି ଉଦାହରଣ ଦେଇହେବ। ବଜେଟ୍‌ ଆଲୋଚନା ବେଳେ ପରିସଂଖ୍ୟାନ ଦେବା ବେଳେ ଯେପରି ଠିକ୍ ପରିସଂଖ୍ୟାନ ଦିଆଯାଇପାରିବ ତା ଉପରେ ସଦସ୍ୟମାନେ ଯତ୍ନବାନ ହେବା ଉଚିତ ବୋଲି ଶ୍ରୀ ଭୂତିଆ ପରାମର୍ଶ ଦେଇଥିଲେ। ପ୍ରଭାବୀ ବିଧାୟକ ହେବା ପାଇଁ ସଦସ୍ୟ ଓ ସଦସ୍ୟାମାନଙ୍କୁ ନିଜ ଅନୁଭୂତି ବାଣ୍ଟିଥିଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅପରାହ୍ନ ଅଧିବେଶନରେ ବିଧାନସଭା ବଜେଟ୍‌ ପ୍ରକ୍ରିୟା ସମ୍ପର୍କରେ ଲୋକସଭା ସଚିବାଳୟ ନିର୍ଦ୍ଦେଶକ ଏମ୍.କେ. ମଧୁସୂଦନ ଓ ବିଜେପି ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ଆଲୋଚନା କରିଥିଲେ। ସେହିପରି ଗୃହରେ ସାର୍ବଜନୀନ ଗୁରୁତ୍ବପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉତ୍ଥାପନ ପ୍ରକ୍ରିୟା ସମ୍ବନ୍ଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସଦସ୍ୟମାନଙ୍କୁ ବୁଝାଇଥିଲେ। ଇ-ବିଧାନ ଓ ଜାତୀୟ ଇ-ବିଧାନ ଆପ୍ଲିକେସନ (ନେଭା) ଉପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଂସଦୀୟ ବ୍ୟାପାର ବିଭାଗ ଉପମହାନିର୍ଦ୍ଦେଶକ ଏନ୍. ଏସ୍. ଅର୍ଣ୍ଣେଜା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଲେ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ବାରା ବିଧାୟକ, ବିଧାୟିକା, ମନ୍ତ୍ରୀଗଣ ଏବଂ ବିଶେଷକରି ନୂଆକରି ନିର୍ବାଚିତ ହୋଇଆସିଥିବା ସଦସ୍ୟମାନେ ଗୃହ ଭିତରେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ଅଧିକ ସକ୍ଷମ ହୋଇପାରିବେ। ସେମାନ ନିଜକୁ ପ୍ରସ୍ତୁତ କରି ବିଧାନସଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ ହୋଇପାରିବ। ବିଧାନସଭା ପରିଚାଳନା ବିଧିବ୍ୟବସ୍ଥା, ଆଇନ ପ୍ରଣୟନ, ବଜେଟ୍ ପ୍ରସ୍ତୁତି, ବିଶେଷ ଅଧିକାର, ବୈଧାନିକ ପ୍ରଥା, ପରମ୍ପରା ଓ ଆଚାରବ୍ୟବହାର ସମ୍ପର୍କରେ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣ ନିଶ୍ଚିତ ଭାବେ ସହାୟକ ସାବ୍ୟସ୍ତ ହେବ। ସବୁ ବିଧାୟକମାନେ ନିୟମିତ ଭାବେ ଗ୍ରନ୍ଥାଗାରକୁ ଯାଇ ଅଧ୍ୟୟନ କରିବା ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବରିଷ୍ଠ, ଅଭିଜ୍ଞ, ଓ ଅନୁଭୂତିସମ୍ପନ୍ନ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯେପରି ବିଧାନସଭା କାର୍ଯ୍ୟ ବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଯେଉଁ ଆଲୋଚନା କଲେ ତାହା ସମସ୍ତଙ୍କ ପାଇଁ ଉପାଦେୟ ହେବ। ପ୍ରଶିକ୍ଷଣ ପାଇବା ପରେ ବିଧାୟକମାନଙ୍କର ଦକ୍ଷତା ନିଶ୍ଚିତ ରୂପେ ବୃଦ୍ଧି ପାଇବ ବୋଲି ଶ୍ରୀମତି ମଲ୍ଲିକ ଆଶା ପ୍ରକାଶ କରିଥିଲେ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖି ନୂଆ ବିଧାୟକ ମହମ୍ମଦ ମୋକିମ ଓ କେ. ନାରାୟଣ ରାଓ କହିଥିଲେ ବିଧାନସଭା ଆସିବା ପାଇଁ ସମସ୍ତଙ୍କ ସ୍ବପ୍ନ ଥାଏ। କିନ୍ତୁ ନିର୍ବାଚିତ ହୋଇ ଆସିବା ପରେ ଲୋକଙ୍କ କଥା ଭୁଲିଯାଆନ୍ତି। ଏହି ପ୍ରଶିକ୍ଷଣ ଶିବିର ବିଧାୟକମାନଙ୍କୁ ତାଙ୍କ ଦାୟିତ୍ବ ସମ୍ପର୍କରେ ସଚେତନ କରିଦେଇଛି। ଏହା ଜରିଆରେ ମିଳିଥିବା ଜ୍ଞାନ ଗୃହ ଭିତରେ ସେମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି ଦୁହେଁ ମତ ରଖିଥିଲେ।

ସୂଚନା ଥାଉ କି, ଲୋକସଭା ସଚିବାଳୟ (ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ) ଏବଂ ଓଡ଼ିଶା ବିଧାନସଭା ସଚିବାଳୟ ଦ୍ବାରା ମିଳିତ ଭାବେ ଆୟୋଜିତ ହୋଇଥିବା ଏହି ପ୍ରିଶିକ୍ଷଣ କାର୍ଯ୍ୟକ୍ରମକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଆଜି ଉଦଯାପନୀ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର