ଯାଜପୁର : ରାଜ୍ୟର ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନା ଦୀର୍ଘ ଏକ ବର୍ଷ ହେଲା ବନ୍ଦ ହୋଇପଡ଼ିଥିବାବେଳେ ଇତିମଧ୍ୟରେ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଶହ ଶହ କୋଟି କ୍ଷତି କରିଥିବା ନୀଳାଚଳ କାରଖାନାର ମହାଦୁର୍ନୀତିର ଫର୍ଦ୍ଦ ଗୋଟିଏ ପରେ ଗୋଟିଏ ଲୋକଲୋଚନକୁ ଆସିବାରେ ଲାଗିଛି। ଏବେ ଜଣାପଡ଼ିଛି ଯେ, କୋକ୍‌କିଣାରେ ବି ୧୬୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି।

Advertisment

ନୀଳାଚଳ ଇସ୍ପାତ କାରଖାନାର ମୁଖ୍ୟ ଅଂଶୀଦାର ଏମ୍‌ଏମ୍‌ଟିସି ସମସ୍ତ ସାମଗ୍ରୀ କ୍ରୟବିକ୍ରୟ ଉପରେ ୩ ପ୍ରତିଶତ କମିଶନ ନେଉଥିବା ବେଳେ ନିଜ ନିୟନ୍ତ୍ରଣରେ ରଖିଥିଲା। ଏହି ସୁଯୋଗରେ ଏମ୍‌ଏମ୍‌ଟିସିର କେତେକ ଅସାଧୁ ଅଧିକାରୀ ଶହ ଶହ କୋଟି ଟଙ୍କାର ଘୋଟାଲା କରିଛନ୍ତି। ଯାହାକି ଏବେ ଧରାପଡ଼ିଛି। ନୀଳାଚଳ ପାଇଁ ବିଦେଶରୁ ଉଚ୍ଚ ମାନର କୋକ୍ ବହୁମୂଲ୍ୟରେ କିଣି ବାହାରେ ବିକ୍ରି କରି ନିମ୍ନମାନର କୋକ୍ ନୀଳାଚଳକୁ ‌ଯୋଗାଣ ହୋଇଥିବା ଭଳି ସାଂଘାତିକ କଥା ଧରାପଡ଼ିଛି। ଏହି କାରବାରରେ ୧୬ଶହ କୋଟି ଟଙ୍କା ଘୋଟାଲା ହୋଇଛି। ଏହି ଟଙ୍କା ନୀଳାଚଳ ଉପରେ ପକାଇବା ପାଇଁ ଏମ୍‌ଏମ୍‌ଟିସି- ନୀଳାଚଳର ଅସାଧୁମେଣ୍ଟ ଉଦ୍ୟମ କରିଥିଲେ, ତାହା ଫସର ଫାଟିଛି। ଏହି ଟଙ୍କା ବିଦେଶ କମ୍ପାନିକୁ ନୀଳାଚଳ ‌ପୈଠ କରିବାକୁ ମନା କରିବା ସହିତ ଏମ୍‌ଏମ୍‌ଟିସିକୁ ଦେବାକୁ କହିଛି। ଚଳିତମାସରେ ଏହି କେଳେଙ୍କାରୀ ସଂପର୍କରେ ଇଡି ଛାନଭିନ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଫଳରେ ସମ୍ପୃକ୍ତ ଅସାଧୁମେଣ୍ଟ ଛାନିଆ ହୋଇପଡ଼ିଛନ୍ତି।

'ସମ୍ବାଦ' ଅନୁସନ୍ଧାନ ଟିମ୍ ହାତରେ ଲାଗିଥିବା ତଥ୍ୟ ମୁତାବକ ନୀଳଚଳ ଇସ୍ପାତ କାରଖାନାର କୋକଓଭାନ୍ ପାଇଁ ଏମ୍‌ଏମ୍‌ଟିସି ଅ‌ଷ୍ଟ୍ରେଲିଆର ଏକ କମ୍ପାନି ଆ‌ଙ୍ଗୋଲୋ- ଆମେରିକାନ ମେଟ୍ରୋଲୋଜିକାଲ କୋକ୍ ପ୍ରାଇଭେଟ ଲିମିଟେଡ୍ ସହ ଗତ ୨୦୦୭ ମାର୍ଚ୍ଚ ୭ ତାରିଖରେ ଚୁକ୍ତି କରିଥିଲା। ଏହି କମ୍ପାନି ୪ ଲକ୍ଷ ୬୬ ହଜାର ମେଟ୍ରିକ ଟନ୍ କୋକ୍ ଯୋଗାଇବାକୁ ଚୁକ୍ତିବଦ୍ଧ ହୋଇଥିଲା। ୨୦୦୮ ଜୁଲାଇ ଓ ୨୦୦୯ ସେପ୍ଟେମ୍ବର ମଧ୍ୟରେ ଏହି କୋକ୍ ଏମ୍‌ଏମ୍‌ଟିସି ଆଣିଥା‌ନ୍ତା। ୨୦୦୯ ଅଗଷ୍ଟ ମଧ୍ୟରେ ସମ୍ପୃକ୍ତ କମ୍ପାନି ଦୁଇଥରରେ ଯଥାକ୍ରମେ ୨୩୬୬ ଟନ ଓ ୯୬୦୦ ଟନ୍ କୋକ୍ ନୀଳାଚଳ କାରଖାନାକୁ ଏମ୍‌ଏମ୍‌ଟିସି ଜରିଆରେ ଯୋଗାଇଥିଲା। ଏହି କୋକ୍ ଏତେ ନିମ୍ନମାନର ଥିଲା ଯେ କୋକଓଭେନ୍ କାମ କଲାନାହିଁ। କୋକ୍ ‌ଓଭେନ କର୍ତ୍ତୃପକ୍ଷ ଏହା ବ୍ୟବହାର କରିବାକୁ ରାଜି ହୋଇନଥିଲେ। ଫଳରେ ୪ଲକ୍ଷ ୪୫ହଜାର ମେଟ୍ରିକ ଟନ୍ କୋକ୍ ପାରାଦୀପରେ ପଡ଼ିରହିଲା। ଯାହାର ମୂଲ୍ୟ ସୁଧମୂଳ ମିଶି ୧୬ଶହ କୋଟି ଟଙ୍କା ଆ‌ଙ୍ଗୋଲୋ ଆମେରିକାନ ମେଟ୍ରୋଲୋଜିକାଲ କୋକ୍ ପ୍ରାଇଭେଟ ଲିମିଟେଡ୍ ଦାବି କରିଛି। ଉଚ୍ଚତମ ନ୍ୟାୟାଳୟ ମଧ୍ୟ କୋକ୍ ଯୋଗାଣକାରୀଙ୍କ ଯୁକ୍ତି ଗ୍ରହଣ କରି ଅର୍ଥ ‌ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାରାଦୀପରେ ପଡ଼ିଥିବା ନିମ୍ନମାନର କୋକ୍ ତାହାର ନୁହେଁ ବୋଲି ମଧ୍ୟ ଅଷ୍ଟ୍ରେଲୀୟ କମ୍ପାନି ଜଣାଇଛି। ଯୋଗାଣ ପୂର୍ବରୁ ତୃତୀୟ ପକ୍ଷ ଦ୍ବାରା କୋକ୍‌ର‌ ମାନ ପରୀକ୍ଷା କରି ପଠାଯାଇଛି ବୋଲି କମ୍ପାନି ମତ ରଖିଛି। କମ୍ପାନି ଯୋଗାଣ କରିଥିବା ଉଚ୍ଚମାନର ବଦଳରେ ନିମ୍ନମାନର କୋକ୍ ଆସିଲା କେଉଁଠୁ? କୋକ୍ କିଣିଥିବା ଏମ୍‌ଏମ୍‌ଟିସିର ଅଧିକାରୀ ଏହି ଘୋଟାଲାରେ ହରଡ଼ଘଣାରେ ପଡ଼ିବା ପରେ କୋକ୍ ଯୋଗାଣକାରୀ ସଂସ୍ଥା ଦାବି କରୁଥିବା ୧୬ ଶହ କୋଟି ଟଙ୍କା ନୀଳଚଳ ଇସ୍ପାତ କାରଖାନା ଉପରେ ଲଦି ଦେଇଛନ୍ତି। ଏହି ଅର୍ଥ ପ୍ରଦାନ କରିବାକୁ ଏମ୍‌ଏମ୍‌ଟିସି ଅଧିକାରୀ ବାରମ୍ବାର ଦାବି କରୁଛନ୍ତି।

ଚଳିତମାସରେ ନୀଳାଚଳର ଅନ୍ୟତମ ଅଂଶିଦାର ରାଜ୍ୟ ସରକାରଙ୍କ ଓଏମ୍‌ସି‌ କର୍ତ୍ତୃପକ୍ଷ ଏହି କେଳେଙ୍କାରୀକୁ ବିରୋଧ କରି ଏମ୍‌ଏମ୍‌ଟିସିର ଅଧ୍ୟକ୍ଷ ଓ ଡିପାମ୍(ଡିଆଇପିଏଏମ)ର ଯୁଗ୍ମ ସଚିବଙ୍କୁ ଚିଠି ଲେଖି ୧୬ଶହ କୋଟି ଟଙ୍କା ଏମ୍‌ଏମ୍‌ଟିସି ଦେବାକୁ ବାରମ୍ବାର ବିଭିନ୍ନ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଜଣାଇଛନ୍ତି। ଅଷ୍ଟ୍ରେଲିଆରୁ ଆସିଥିବା ଉଚ୍ଚ ମାନର କୋକ୍ ଗଲା କୁଆଡ଼େ? ନିମ୍ନମାନର କୋଇଲା ଆସିଲା କେଉଁଠୁ? ଏହି କାରବାରରେ କେଉଁମାନେ ଦାୟୀ? ବନ୍ଦ ହୋଇ ବିକ୍ରି ହେବାକୁ ଯାଉଥିବା ନୀଳାଚଳ ଇସ୍ପାତ କାରଖାନାରୁ ଏହି ୧୬ଶହ କୋଟି ଟଙ୍କା ବୋଝ କେଉଁମାନେ ଦେଉଛନ୍ତି? ସେମାନଙ୍କର ସ୍ବାର୍ଥ କଣ? ଇତ୍ୟାଦି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।