ଉପାନ୍ତ ବ୍ଲକରେ ବାଟମଣା ମନରେଗା: ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଜବ୍‌କାର୍ଡଧାରୀ

ଜିଆର୍‌ଏସ୍‌ଙ୍କ ପାଖରେ ଶହ ଶହ ଜବକାର୍ଡ
ନୂଆଗାଁରେ ୨୮, ୩୫୬ ଲୋକଙ୍କୁ ମିଳିଛି ଜବକାର୍ଡ

ରାଉରକେଲା: ସୁନ୍ଦରଗଡ ନୂଆଗାଁ ବ୍ଲକ ସୋରଡାର ବିମଳ ମୁଣ୍ଡା। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ବର୍ଷକୁ ୧୦୦ ଦିନର କାମ ମିଳିବାକୁ ଜବ କାର୍ଡ ପାଇଛନ୍ତି। କାମ ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ ଅଫିସ ଦୌଡିଛନ୍ତି। ସୁଫଳ ନ ମିଳିବାରୁ ସୁରଟରେ ଦାଦନ ଖଟୁଛନ୍ତି। ବାରିଲେପଟା ପଞ୍ଚାୟତ ପତ୍ରାପାଲିର ଜବକାର୍ଡଧାରୀ ଉଲେଶ ମହାନ୍ତ ବି ସୁରଟରେ। ସେମିତି କାମ ନ ପାଇ ପରିବାର ଲୋକଙ୍କ ପେଟ ପୋଷିବାକୁ ନରେଶ ମହାତୋ ମୁମ୍ବାଇ, ଜୁବେର ଓରାମ ଗୁଜୁରାଟରେ ଦାନନ ଖଟୁଛନ୍ତି। କେବଳ ଏହି ୪ ଜଣ ନୁହେଁ ବ୍ଲକରେ ଏମିତି ଶହ ଶହ ଲୋକ ଜବକାର୍ଡ ଥାଇ ବାହାରକୁ ଦାନନ ଖଟିବାକୁ ଯାଇଛନ୍ତି। କିଏ ପଞ୍ଜାବ, କୋଲକାତା ତ ଅନ୍ୟ କିଏ ଦିଲ୍ଲୀ, ଆନ୍ଧ୍ରରେ କାମ କରୁଛନ୍ତି। ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାର ଉପାନ୍ତ ବ୍ଲକରେ ମନରେଗା ବାଟବଣା ହୋଇଛି।

ଗୋଟିଏ ପଟେ ଜବ୍‌ କାର୍ଡ ଥାଇ ଲୋକମାନେ ଦାଦନ ମୁହାଁ ହେଉଥିବାବେଳେ ପଞ୍ଚାୟତ ଅଧିକାରୀମାନେ ନିଜ ପାଖରେ ଶତାଧିକ କାର୍ଡ ରଖିଛନ୍ତି। ଏସବୁ କାର୍ଡରେ ବାହାର ଲୋକଙ୍କୁ କାମ କରାଇ ମୋଟା ‌ଅଙ୍କର କମିଶନ ଖାଉଛନ୍ତି। ପଞ୍ଚାୟତ ଅଧିକାରୀ ଭଳି ବ୍ଲକର ବିଭାଗୀୟ ଅଧିକାରୀମାନେ ମଧ୍ୟ ସେହି ସମାନ ପନ୍ଥା ଆପଣେଇଛନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଜିଲ୍ଲାର ନୂଆଗାଁ ବ୍ଲକ ଏହାର ନଗ୍ନ ଉଦାହରଣ। ମନରେଗାରେ ବର୍ଷକୁ ବ୍ଲକରେ ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ରାସ୍ତା ମରାମତି, କଲର୍ଭଟ , ଡ୍ରେନ୍‌ ଓ ଗାଡୱାଲ୍‌ ଆଦି କାମ ରେ ଏସବୁ ଟଙ୍କା ବିନିଯୋଗ ହେଉଛି। କାମ ନେଉଥିବା ଠିକା ସଂସ୍ଥାମାନେ ଜବକାର୍ଡଧାରୀଙ୍କୁ କାମ ଦେବା ପରିବର୍ତ୍ତେ ମେସିନ୍‌ ଓ ବାହାର ଲୋକଙ୍କୁ କାମରେ ଲଗାଉଛନ୍ତି। ପରେ ଚଞ୍ଚକତା କରି ସାଇତି ରଖିଥିବା ଜବକାର୍ଡକୁ ବ୍ୟବହାର କରି ବିଲ୍‌ ଉଠାଇ ନେଉଛନ୍ତି। ଟେର୍‌ ପାଉ ନାହାନ୍ତି ଉଚ୍ଚ ଅଧିକାରୀ। କେବଳ ନୂଆଗାଁ ନୁହେଁ ଜିଲ୍ଲାରେ ଅନ୍ୟାନ୍ୟ ବ୍ଲକରେ ହଜାର ହଜାର ଜବ୍‌କାର୍ଡଧାରୀ ସେହି ସମାନ ଦଶା ଭୋଗୁଛନ୍ତି। କାମ ଆଶାରେ ଦୌଡୁଥିବା ଅନେକ ଜବ୍‌କାର୍ଡଧାରୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଭଳି ବେଆଇନ କରୁଥିବା ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଧକାରୀମାନେ ଚୁପ୍‌ ବସିଛନ୍ତି।

ନୂଆଗାଁ ବ୍ଲକରୁ ମିଳିଥିବା ତଥ୍ୟ ଅନୁଯାୟୀ ବ୍ଲକର ୨୮ ହଜାର ୩୫୬ ଲୋକଙ୍କୁ ଜବ କାର୍ଡ ଦିଆଯାଇଛି। ଅଙ୍ଗୁରପାଲି ପଞ୍ଚାୟତରେ ୧୩୯୧ ଜଣଙ୍କୁ ଜବକାର୍ଡ ମିଳିଥିବାବେଳେ ବଡଯୋଜଦାରେ ୧୫୮୦, ବାଗଡେଗାରେ ୧୨୦୩, ବାରିଲେପଟାରେ ୧୩୯୨, ଚିତାପେଡିରେ ୨୩୨୫, ହାତୀବାରିରେ ୧୦୦୫, ଜାହାରିଟୋଲିରେ ୧୩୬୪ ଜଣଙ୍କୁ ଜବ୍ କାର୍ଡ ମିଳିଛି। ସେମିତି କନ୍ଦରକେଲାରେ ୧୩୮୩, କରଡେଗା ୧୫୫୮, କର୍କଟନାଶାରେ ୧୩୦୬, ଖୁଣ୍ଟଗାଁରେ ୧୪୫୦, କୋକେରମାରେ୨୪୦୭, ଲିମିଡା ୧୭୧୮, ଲୁକୁମବେଡାରେ ୧୩୬୭, ମେନ୍‌ମେନାରେ୧୨୮୫, ନୂଆଗାଁରେ ୧୧୨୭, ପୁରୁଣାପାଣିରେ୧୧୨୩, ସୋରଡାରେ୧୪୯୭, ‌ତେତେରକେଲାରେ୧୦୫୨ ଓ ଉର୍ମେଇ ପଞ୍ଚାୟତରେ ୮୨୩ ଜଣଙ୍କୁ ଜବ କାର୍ଡ ମିଳିଛି। ଏତେ ସଂଖ୍ୟକ ଲୋକଙ୍କ ଜବ୍‌କାର୍ଡ ମିଳିଥିହେଁ ପ୍ରାୟ ଅର୍ଦ୍ଧାଧିକ ଲୋକଙ୍କୁ ବର୍ଷକରେ ୧୦୦ ଦିନର କାମ ମିଳୁନଥିବା ଜବ୍‌କାର୍ଡଧାରୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର