ଯାଜପୁର ଜିଲ୍ଲାରେ ମନରେଗା ମହାଦୁର୍ନୀତି: ବହୁ ପ୍ରକଳ୍ପ ଚୋରି, ଜବକାର୍ଡଧାରୀ ବେକାର

ଯାଜପୁର/ସିଂହପୁର : କରୋନା ସମୟରେ ଜୀବିକା ହରାଇଥିବା ପ୍ରବାସୀ ଓ ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନାରେ ‌କୋଟି କୋଟି ଟଙ୍କା ବ୍ୟୟବରାଦ କରିଚାଲିଛନ୍ତି। ସେଥି ମଧ୍ୟରେ ଶ୍ରମଭିତ୍ତିକ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମନିଯୁୁକ୍ତି ଯୋଗାଇ ଦିଆଯାଇଛି ବୋଲି କାଗଜପତ୍ରରେ ଦାବି କରାଯାଉଛି। ଅଥଚ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଜରୀ ପଞ୍ଚାୟତରେ ଅନେକ ମିଥ୍ୟା ପ୍ରକଳ୍ପ ନାମରେ ହଜାର ହଜାର ଶ୍ରମଦିବସ କାଗଜପତ୍ରରେ ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି। ମନରେଗା ମହାଦୁର୍ନୀତିର ବହୁ ତଥ୍ୟ ଆନ୍ଦୋଳନ ପରେ ପଦାକୁ ଆସିଛି। ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଏକାଧିକ ମିଥ୍ୟା ପ୍ରକଳ୍ପର ତଥ୍ୟ ଲାଗିଛି।

ପ୍ରକାଶ ଥାଉକି କାମଦେବ ମାହାରା ଖୋଳେଇରେ ୧ଲକ୍ଷ ୪୯ହଜାର ୭୧୪ଟଙ୍କା ବ୍ୟୟ ଦର୍ଶାଯାଇଛି। ଏଭଳି କିଛି କାମ କରାଯାଇନାହିଁ। ସେହିପରି ଶ୍ମଶାନଘାଟ ଠାରୁ ଜଳସେଚନ ବନ୍ଧ ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣରେ ୧ଲକ୍ଷ ୮୩ହଜାର ୯୪୮ଟଙ୍କା ବ୍ୟୟ କରାଯାଇ ୮୮୪ଶ୍ରମଦିବସ ହୋଇଛି ବୋଲି ଦର୍ଶାଯାଇଛି। ବିଲସାହି କଲଭର୍ଟ ଠାରୁ ଗଡ଼ଗଡି ନାଳ ପର୍ଯ୍ୟନ୍ତ ଡ୍ରେନ ସଫେଇ ନାମରେ ୧,୯୨,୫୧୦ଟଙ୍କା ମିଥ୍ୟା ବିଲ କରାଯାଇ ୯୩୦ଶ୍ରମ ଦିବସ ସୃଷ୍ଟି କରାଯିବାର ରେକର୍ଡ କହୁଛି। ଏପରି କିଛି କାମ ହୋଇନାହିଁ। ଦିନକୁ ଦିନ ପ୍ରକଳ୍ପ ଚୋରିର ଚିଠା ଲମ୍ବିବାରେ ଲାଗିଛି।

ସେହିପରି ନାଉବାଙ୍କ ଗ୍ରାମ୍ୟରାସ୍ତାର ବନୀକରଣରେ ୯୮ହଜାର ୬୪୦ଟଙ୍କା, ଧଳସାହି ଛକ ଖେଳପଡିଆ ଉନ୍ନତୀକରଣ ବାବଦରେ ୧ଲକ୍ଷ ୭୦ହଜାର ୧୬ଟଙ୍କା ବ୍ୟୟ କରି ୯୬୬ଶ୍ରମଦିବସ ସୃଷ୍ଟି ହୋଇଥିବାର ଦର୍ଶାଯାଇଥିବା ବେଳେ ନିମ୍ନମାନର କାମ ହୋଇଛି। ଜଳସେଚନ ବନ୍ଧଠାରୁ ବାଘୁଆନାଳୀ ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣରେ ୨ଲକ୍ଷ ୭୪ହଜାର ଟଙ୍କା ବ୍ୟୟ କରାଯାଇ ୧୪୪୬ ଶ୍ରମଦିବସ ସୃଷ୍ଟି ହୋଇଥିବାର ଦର୍ଶାଯାଇଛି। ସାମଲସାହି ନଦୀବନ୍ଧଠାରୁ ନୂଆମାହାରା ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣରେ ୧ଲକ୍ଷ ୭୯ହଜାର ୩୩୪ଟଙ୍କା ବ୍ୟୟ ଦର୍ଶାଇ ୮୫୮ଶ୍ରମିିକ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଛି। ଦଣ୍ଡାମୁଣ୍ଡଠାରୁ ଅଶୋକ ପାତ୍ର ଜମି ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣରେ ୧ଲକ୍ଷ ୮୨ହଜାର ୧୦ଟଙ୍କା ୮୭୦ଶ୍ରମ ଦିବସ ବାବଦରେ ବ୍ୟୟ କରାଯାଇଛି। .ଗଦାଧର ସାମଲ ଜମିଠାରୁ ଟିକି ବରଗଛ ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣରେ ୮୮୮ଶ୍ରମ ଦିବସ ବଦଳରେ ୧ଲକ୍ଷ ୯୦ହଜାର ୯୨୦ଟଙ୍କା ବ୍ୟୟ ଦର୍ଶାଯାଇଛି। ଏଠାରେ ନାମକୁ ମାତ୍ର କାମ ହୋଇଛି। କିନ୍ତୁ ଚଳିତ ବର୍ଷ ଆଦୌ କାର୍ଯ୍ୟ ନକରି ବିଲ ଉଠିଛି। ଚେକ୍ଡ୍ୟା‌ମ ଠାରୁ ଚିତଳ ପାଟିଆ ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣ ଅତି ନିମ୍ନମାନର କାର୍ଯ୍ୟ ହୋଇ ୨ଲକ୍ଷ ୫୨ହଜାର ୮୪୦ଟଙ୍କା ବଦଳରେ ୧୧୭୬ ଶ୍ରମଦିବସ କାଗଜପତ୍ରରେ ଦର୍ଶାଯାଇଛି।

କାମକୁ ଗୋପନ ରଖିବା ପାଇଁ ଅନେକ ସ୍ଥାନରେ ସୂଚନା ଫଳକ ନାହିଁ। ଶ୍ରମିକମାନେ କାର୍ଯ୍ୟ ନପାଇ ଘରେ ବସିଥିବା ବେଳେ ଶ୍ରମିକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ମିଥ୍ୟା ଦସ୍ତଖସ୍ତ କରି ସରକାରୀ ଅନୁଦାନ ହଡ଼ପ ହୋଇଛି। ଏହି ମହାଦୁର୍ନୀତିର ପର୍ଦ୍ଦାଫାସ କରିବା ସହିତ କାମ ନପାଇ ଘରେ ବସିଥିବା ଜବକାର୍ଡଧାରୀଙ୍କୁ କାମ ଯୋଗାଇବାକୁ ଦାବି କରି ଅନଶନ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଅଥଚ ଆଜି ପର୍ଯ୍ୟନ୍ତ ତଦନ୍ତ କିମ୍ବା ବେକାରୀ ଶ୍ରମିକମାନଙ୍କୁ କାମ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଗଲା ନାହିଁ। ଏହାକୁ ନେଇ ଜରୀ ପଞ୍ଚାୟତରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଦୁର୍ନୀତିର ତଦନ୍ତ ପାଇଁ ପ୍ରଶାସନ କୁନ୍ଥକୁନ୍ଥ କାହିଁକି ବୋଲି ପ୍ରଶ୍ନ ହେଉଛି।

ସମ୍ବନ୍ଧିତ ଖବର