ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦିଷ୍ଟ ‘ମୋ ପୋଖରୀ’ ମନରେଗା ଯୋଜନା ଅନୁଦାନର ଦୁରୁପଯୋଗ ହେଉଥିବା ଅଭିଯୋଗ ଆସିଛି ବାମଣ୍ଡା ପଞ୍ଚାୟତ ବାମଣ୍ଡା ଗ୍ରାମରୁ।
ଅଭିଯୋଗ ଅନୁସାରେ ମନରେଗାର ‘ମୋ ପୋଖରୀ’ ଯୋଜନାରେ ଏକ ପୋଖରୀ ପାଇଛନ୍ତି ବାମଣ୍ଡା ଗ୍ରାମର ମେଘୁ ପ୍ରଧାନ। ମାତ୍ର ସେ ଉକ୍ତ ପୋଖରୀ ନିଜ ଜମିରେ ନ କରି ବାମଣ୍ଡା ମୌଜା ପ୍ଲଟ ନଂ. ୮୨୩ରେ ଥିବା ଗୋଚର ଜମିରେ ଖୋଳାଉଥିବାରୁ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାମବାସୀ ଗୋଚର ଜମିରେ ତାହା ନକରିବା ପାଇଁ ବାରମ୍ବାର ବାରଣ କଲେ ମଧ୍ୟ ମେଘୁ ତାଙ୍କ କଥାକୁ ଭ୍ରୁକ୍ଷେପ ନକରି ଗୋଚର ଜମିରେ ହିଁ ଜେସିବି ଓ ଟ୍ରାକ୍ଟର ଦ୍ୱାରା ପୋଖରୀ ଖୋଳୁଥିବା ଜଣାଯାଇଛି। ଫଳରେ ଗ୍ରାମବାସୀ ଏ ନେଇ ଶନିବାର ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରି ତାଙ୍କୁ ସେଠାରୁ ଉଚ୍ଛେଦ ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଶରତ ପୁରୋହିତଙ୍କୁ ପଚାରିବାରେ ‘ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପାଇବା ପରେ ଆମେ ଏ ବାବଦରେ ବାମଣ୍ଡା ଆରଆଇଙ୍କୁ ଜଣାଇ ଜାଗା ମାପ ପାଇଁ କହିଛୁ। ମାପ ପରେ ତାଙ୍କ ରିପୋର୍ଟ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ’ ବୋଲି କହିଥିଲେ। ତେବେ କେବଳ ବାମଣ୍ଡା ପଞ୍ଚାୟତ ନୁହେଁ ଅନ୍ୟ ପଞ୍ଚାୟତଗୁଡିକରେ ମଧ୍ୟ ଅନୁରୂପ ଅନେକ ପୋଖରୀ ଖୋଳା ଯାଉଥିବା ଆଲୋଚନା ହେଉଛି।