ହାଟଡିହି ବ୍ଲକ୍ ମନରେଗା ଦୁର୍ନୀତି: ମଷ୍ଟରରୋଲ୍‌ରେ ଅସଂଖ୍ୟ ଜାଲ୍‌ ଦସ୍ତଖତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲୁଛି। ପୂର୍ବରୁ ମନରେଗା କ୍ୟାସ୍‌ବୁକ୍‌ରୁ ଅଗ୍ରିମ ଟଙ୍କା ‌ନେଇ ଅଧିକାରୀମାନେ ଫେରାଇ ନଥିବା ଏବଂ ଗୋଟିଏ କାମକୁ ଏକାଧିକ ଥର କରାଯାଇ ଅର୍ଥ ତୋଷରପାତ ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ମନରେଗା କାର୍ଯ୍ୟରେ ବ୍ୟବହୃତ ମଷ୍ଟରରୋଲ୍‌ରେ ଜାଲିଆତି ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ରୁ ଜଣାପଡ଼ିଛି। ୨୦୧୫-୧୬ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା କାମର ମଷ୍ଟରରୋଲରେ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ କରାଯାଇଛି। ଶ୍ରମିକମାନେ ନିଜେ ଦସ୍ତଖତ କରି ନଥିବା ବେଳେ ସଂପୃକ୍ତ ଜିଆର୍‌ଏସ୍‌ମାନେ ସେମାନଙ୍କର ଦସ୍ତଖତ କରିଛନ୍ତି। ଏଭଳି ଜାଲିଆତି କରି ଶ୍ରମିକଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ପଠାଯାଇଛି। ଏ ବାବଦକୁ ପ୍ରାୟ ୧ ଲକ୍ଷ ୮୬ ହଜାର ୫୭୯ ଟଙ୍କା ଅନିୟମିତତା ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ରୁ ସ୍ପଷ୍ଟ ହୋଇଛି।

ହାଟଡିହି ବ୍ଲକ୍‌ ବାଲିବରେଇ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଜମି ଉନ୍ନତୀକରଣ କାର୍ଯ୍ୟ ମନରେଗା ଯୋଜନାରେ ହୋଇଥିଲା। ଏହି କାମ ନିରୋଦ ସାମଲଙ୍କ ବାଡ଼ିରେ ହୋଇଥିଲା। ଏହାର ମଷ୍ଟରରୋଲ୍‌ ନମ୍ବର ହେଉଛି-୩୨୧୮୮। ଏହି ମଷ୍ଟରରୋଲ୍‌ର ସିରିଏଲ୍‌ ନମ୍ବର ୫, ୬, ୮, ୯ ଏବଂ ୧୦ରେ ଥିବା ଶ୍ରମିକଙ୍କ ନାମରେ ଜାଲ୍‌ ଦସ୍ତଖତ କରାଯାଇଛି। ସେହିପରି ମଷ୍ଟରରୋଲ୍‌ ନମ୍ବର-୩୨୧୮୯, ୩୪୭୭୦, ୩୪୭୭୧, ୩୩୯୦୮, ୩୩୯୦୯ରେ ପ୍ରାୟ ୪୧ଜଣ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ କରାଯାଇଛି। ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ କୁମାର ଥାଟୋଇ ଏହି ଜାଲ୍‌ ଦସ୍ତଖତ କରିଥିବା ସ୍ବତନ୍ତ୍ର ଅଡିଟ୍‌ ବେଳେ ଜଣାପଡ଼ିଛି। ସଢ଼ା ପଞ୍ଚାୟତ ମଉଦା ଗ୍ରାମର ସାନପୋଖରୀ କାର୍ଯ୍ୟର ମଷ୍ଟରରୋଲ୍‌ରେ ମଧ୍ୟ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ କରାଯାଇଛି। ମଷ୍ଟରରୋଲ୍‌ ନମ୍ବର ୩୬୮୫ରେ ପ୍ରାୟ ୧୦ ଜଣ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ ହୋଇଛି। ବାସ୍ତବ କଥା ହେଉଛି, ଏଠାରେ ଶ୍ରମିକମାନେ କାମ କରି ନାହାନ୍ତି। ସେମାନଙ୍କ ନାମରେ ଜାଲ୍‌ ଦସ୍ତଖତ କରାଯାଇ ସେମାନଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ପଠାଯାଇ ପରେ ତାକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଜମ୍ଭିରା ପଞ୍ଚାୟତ ବରାଙ୍ଗରେ ୨୦୨୦-୨୧ ଆର୍ଥିକ ବର୍ଷରେ ଜମି ଉନ୍ନତୀକରଣ ହୋଇଥିବା ବେଳେ ଏଠାରେ ମଧ୍ୟ ମଷ୍ଟରରୋଲ୍‌ରେ ଜାଲିଆତି ହୋଇଛି। ମଷ୍ଟରରୋଲ୍‌ ନମ୍ବର-୩୫୪୭୭ରେ ୧୦ଜଣ ଶ୍ରମିକଙ୍କ ନାମରେ ଜାଲ୍‌ ଦସ୍ତଖତ କରାଯାଇ ୨୧ ହଜାର ୨୪୦ ଟଙ୍କା ଅନିୟମିତତା କରାଯାଇଛି। ଜମ୍ଭିରା ଗ୍ରାମର ଅଙ୍କୁର ଜେନାଙ୍କ ଫାର୍ମ ପଣ୍ଡ ଖୋଳା ଯାଇଥିବାବେଳେ ଏଠାରେ ଶ୍ରମିକ କାମ କରିନାହାନ୍ତି। କିନ୍ତୁ କିଛି ଲୋକଙ୍କ ଜାଲ୍‌ ଦସ୍ତଖତ କରାଯାଇ ଟଙ୍କା ନିଆଯାଇଛି। କପୁଣ୍ଡି ଗ୍ରାମର ଅଲେଖ ଦ୍ବିବେଦୀଙ୍କ ଫାର୍ମପଣ୍ଡ ଖୋଳାରେ ଜାଲିଆତି ହୋଇଛି। ଏହି କାମର ମଷ୍ଟରରୋଲ୍‌ ନମ୍ବର-୩୭୪୨, ୩୭୪୩, ୩୭୪୪ରେ ୨୭ଜଣ ଶ୍ରମିକଙ୍କ ଦସ୍ତଖତ ଜାଲିଆତି କରାଯାଇଛି। ଜିଆର୍‌ଏସ୍‌ ବିକାଶ ଚନ୍ଦ୍ର ଜେନା ନିଜେ ସମସ୍ତ ଶ୍ରମିକଙ୍କ ଦସ୍ତଖତ କରି ମଷ୍ଟରରୋଲ୍‌ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ହାଟଡିହି ପଞ୍ଚାୟତ ଜଳକଳଙ୍ଗ ଗ୍ରାମରେ ରାସ୍ତା ତିଆରି ପାଇଁ ପ୍ରସ୍ତୁତ ହୋଇଥିବା ମଷ୍ଟରରୋଲ୍‌ ନମ୍ବର-୧୨୫୩୫ରେ ମଧ୍ୟ ଏକାଧିକ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ କରି ଟଙ୍କା‌ ଉଠାଯାଇଛି। ୨୦୧୭-୧୮ରେ ଗୋପ ଗ୍ରାମରେ ହୋଇଥିବା ଫାର୍ମପଣ୍ଡ ଖୋଳା ବେଳେ ମଧ୍ୟ ଶ୍ରମିକଙ୍କ ସଂପର୍କରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। ମଷ୍ଟରରୋଲ୍‌ ନମ୍ବର-୧୬୩୪ ଏବଂ ୮୬୫ରେ ଏଭଳି ଭାବେ ଏକାଧିକ ଶ୍ରମିକଙ୍କ ଜାଲ୍‌ ଦସ୍ତଖତ କରାଯାଇ ଟଙ୍କା ନିଆଯାଇଥିବା ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ଧରିଛନ୍ତି।

ଏହି ଜାଲ୍‌ ଦସ୍ତଖତ କରିଥିବା ଜିଆର୍‌ଏସ୍‌ଙ୍କ ସଂପର୍କରେ ମଧ୍ୟ ନିଜ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଛି ସ୍ବତନ୍ତ୍ର ଅଡିଟ୍‌ ଟିମ୍‌। ଜିଆର୍‌ଏସ୍‌ ବିକାଶ ‌ଚନ୍ଦ୍ର ଜେନା, ପୂର୍ଣ୍ଣେନ୍ଦୁ କୁମାର ଥାଟୋଇ, ଅନନ୍ତ ଚରଣ ସ୍ବାଇଁ, ପ୍ରମିଳା ଗିରି ପ୍ରମୁଖ ଜିଆର୍‌ଏସ୍‌ ଏହି ଜାଲିଆତିରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଠାରୁ ୧ ଲକ୍ଷ ୬୮ ହଜାର ୫୭୯ ଟଙ୍କା ଆଦାୟ କରିବା ଦିଗରେ ପଦକ୍ଷେପ ନେବାକୁ ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର