ସଙ୍କୁଚିତ ହେଲା ମନରେଗା

୧ କୋଟିର କାର୍ଯ୍ୟ ଦିବସ ହ୍ରାସ, ଗଞ୍ଜାମରେ କମ୍‌ ମଜୁରି
ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ପହଞ୍ଚୁନି

ଭୁବନେଶ୍ବର : ୨୦୨୦, ୨୦୨୧ ମସିହା ଉଭୟ ବର୍ଷ ଥିଲା କରୋନା ଏବଂ ଲକ୍‌ଡାଉନର ବର୍ଷ। ରୋଜଗାର ପାଇଁ ଶ୍ରମିକ ଯେଉଁ କଷ୍ଟ ସହିଛନ୍ତି ତାହା ସମସ୍ତେ ଦେଖିଛନ୍ତି। ଏହା ସତ୍ତ୍ବେ ୨୦୨୦ ତୁଳନାରେ ୨୦୨୧ ମସିହାରେ ୧ କୋଟିର କାର୍ଯ୍ୟ ଦିବସ ହ୍ରାସ ପାଇଥିଲା। ଉଭୟ ବର୍ଷରେ ମହିଳା ଭାଗିଦାରୀ ୪୪.୭୪ ପ୍ରତିଶତରୁ ୪୬.୧୪ ପ୍ରତିଶତକୁ ବୃଦ୍ଧି ପାଇଛି। କିନ୍ତୁ ଏହା ୫୦ ପ୍ରତିଶତ ହୋଇପାରି ନାହିଁ। ଏହା ମନରେଗା ଯୋଜନା ପ୍ରତି ଧକ୍କା ହେବ ବୋଲି ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, ଲିବ୍‌ଟେକ ଇଣ୍ଡିଆ ଏବଂ ଫାଉଣ୍ଡେସନ ଅଫ ଇକୋଲୋଜିକାଲ ସୋସାଇଟି ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦ ମସିହାରେ ୨୦ କୋଟି ୮୦ ଲକ୍ଷର କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିଲା। ୨୦୨୧ ମସିହାରେ ଏହା ୧୯ କୋଟି ୭୦ ଲକ୍ଷକୁ ହ୍ରାସ ପାଇଛି। ମାଲକାନଗିରି, ଅନୁଗୁଳ, କନ୍ଧମାଳ, କୋରାପୁଟ, ଗଞ୍ଜାମ ବ୍ୟତୀତ ସମୁଦାୟ ୨୫ ଜିଲ୍ଲାରେ ମନରେଗାର କାର୍ଯ୍ୟ ଦିବସ ହ୍ରାସ ପାଇଛି। ଏପରିକି ରାଜ୍ୟର କୌଣସି ଜିଲ୍ଲା ୧୦୦ ଦିନର କାମ ଦେଇ ପାରି ନାହାନ୍ତି। ଗଞ୍ଜାମରେ ସର୍ବାଧିକ ୭୫ ଦିନ କାର୍ଯ୍ୟ ଦିଆଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକର କାର୍ଯ୍ୟ ଦିବସ ଆହୁରି ହ୍ରାସ ପାଇଛି। କିନ୍ତୁ ଗଞ୍ଜାମରେ ମନରେଗାର ସର୍ବନିମ୍ନ ମଜୁରି ୨୨୨ ଟଙ୍କା ମଧ୍ୟ ମିଳିପାରି ନାହିଁ। ଅର୍ଥାତ ଏଠାରେ ଶ୍ରମିକମାନଙ୍କୁ ୧୪୩ ଟଙ୍କା ଦିଆଯାଇଥିବା ନେଇ ଏହି ସଙ୍ଗଠନଗୁଡ଼ିକ କରିଥିବା ସର୍ଭେକ୍ଷଣ ରିପୋର୍ଟରେ ସୂଚନା ଦିଆଯାଇଛି। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ମନରେଗା ପ୍ରାପ୍ୟ ଠାରୁ ଶ୍ରମିକ ମାନେ ଅଧିକ ମଜୁରି ପାଇଛନ୍ତି। ଏହାର କାରଣ ସମ୍ପର୍କରେ କୁହାଯାଇଛି, ଏହି ଜିଲ୍ଲାର ଦାଦନ ପ୍ରଭାବିତ ବ୍ଲକମାନଙ୍କରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଯେଉଁଠି ଅଧିକ ଦିନ କାର୍ଯ୍ୟ କରୁଥିବା ମନରେଗା ଶ୍ରମିକଙ୍କୁ କୃଷି ଶ୍ରମିକ ଭାବରେ ମାନ୍ୟତା ଦିଆଯାଇ ଅଧିକ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ମନରେଗା ଏକ ରୋଜଗାର ଭିତ୍ତିକ ଯୋଜନା ହୋଇଥିଲେ ମଧ୍ୟ ମଜୁରି ତୁଳନାରେ ସାମଗ୍ରୀରେ ଅଧିକ ଟଙ୍କା ଖର୍ଚ କରାଯାଇଥିବା ସଙ୍ଗଠନ କହିଛି।

downtoearth.org.in

୩୩ ହଜାର ୨୦୮ ଶ୍ରମିକଙ୍କ ସାଢେ ୪ କୋଟିର ପ୍ରାପ୍ୟ ନାକଚ
ଆଧାର କାର୍ଡ କିମ୍ବା ବିଭିନ୍ନ ନଥିପତ୍ର ତ୍ରୁଟି ଯୋଗୁଁ ୩୩ ହଜାର ୨୦୮ ଶ୍ରମିକଙ୍କ ୪ କୋଟିର ପ୍ରାପ୍ୟ ନାକଚ କରାଯାଇଛି। ଏହା ଖୁବ ଶୀଘ୍ର ଦିଆଯିବ ବୋଲି ଆଶା କରାଯାଉଛି। ଏପରିକି ୧୫୯୦ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ପରେ ମଧ୍ୟ ଏହି ପ୍ରାପ୍ୟକୁ ନାକଚ କରାଯାଇଛି। ନବରଙ୍ଗପୁରରେ ସର୍ବାଧିକ ୫୧୬୦ ଶ୍ରମିକଙ୍କ ପ୍ରାପ୍ୟ ନାକଚ ହୋଇଛି। ଅନୁଗୁଳରେ ୬୪୬, ବାଲେଶ୍ବର ୮୪୫, ବରଗଡ଼ ୩୧୭, ଭଦ୍ରକ ୩୨୫, ବଲାଙ୍ଗୀର ୧୩୮୨, ବୌଦ୍ଧ ୩୫୭, କଟକ ୫୨୯, ଦେବଗଡ଼ ୯୭, ଢେଙ୍କାନାଳ ୨୩୯୯, ଗଜପତି ୪୦୬, ଗଞ୍ଜାମ ୪୭୦୯, ଜଗତସିଂହପୁର ୪୯୪, ଯାଜପୁର ୫୪୨, ଝାରସୁଗୁଡ଼ା ୧୦୨, କଳାହାଣ୍ଡି ୯୯୫, କନ୍ଧମାଳ ୧୫୧୮, କେନ୍ଦ୍ରାପଡ଼ା ୭୮୦, କେନ୍ଦୁଝର ୯୫୫, ଖୋର୍ଧା ୧୯୫, କୋରାପୁଟ ୨୮୧୨, ମାଲକାନଗିରି ୨୨୨, ମୟୂରଭଞ୍ଜ ୨୪୦୭, ନୟାଗଡ଼ ୪୦୩, ନୂଆପଡ଼ା ୪୭୨, ପୁରୀ ୨୨୨, ରାୟଗଡ଼ା ୨୮୬୮, ସମ୍ବଲପୁର ୧୯୪, ସୋନପୁର ୨୪୫ ଏବଂ ସୁନ୍ଦରଗଡ଼ରେ ୬୧୦ ଶ୍ରମିକ ରହିଛନ୍ତି।

କାହାରି ଟଙ୍କା ବାକି ନାହିଁ
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିଚାଳନା କରୁଥିବା ଅଧିକାରୀଙ୍କ ଅନୁସାରେ, ମନରେଗାରେ କାହାରି ପ୍ରାପ୍ୟ ଟଙ୍କା ବାକି ନାହିଁ। ବିଭିନ୍ନ ସମୟରେ ଆଧାର କାର୍ଡ ଜନିତ ତ୍ରୁଟି ଯୋଗୁଁ ପ୍ରାପ୍ୟ ରହିଥାଏ କିନ୍ତୁ ଏହାକୁ ଠିକ କରି ଦିଆଯାଏ। ଗଞ୍ଜାମରେ କିଛି ଶ୍ରମିକ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ପୂରଣ କରିନଥିବାରୁ ସର୍ବନିମ୍ନ ମଜୁରି ଦିଆଯାଇ ନାହିଁ। ମନରେଗା ଅନ୍ତର୍ଗତରେ ଧାର୍ଯ୍ୟ ମଜୁରି ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କୁ ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର