ଓଡ଼ିଶା ତାଗିଦ୍‌କୁ ଖାତିର୍‌ କରୁନି ଆନ୍ଧ୍ର, ଗଙ୍ଗାବାଡ଼ ପଞ୍ଚାୟତରେ ମନରେଗା କାମ ଜାରି

ପାରଳାଖେମୁଣ୍ତି : ଆନ୍ଧ୍ର ପ୍ରଶାସନ ରୀତିମତ ଓଡ଼ିଶାରେ ଅନୁପ୍ରବେଶ ଓ ସରକାରୀ ଯୋଜନାରେ କାମ କରି ବିବାଦ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ମାସେ ହେଲା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତରେ ଜୋର୍‌ ଜବରଦସ୍ତ ପଶି ଓଡ଼ିଶା ଜମିରେ ପୋଖରୀ,କେନାଲ ଖୋଳା କାମ କରୁଛି। ଗଜପତି ଜିଲ୍ଲା ପ୍ରଶାସରର ତାଗିଦ୍‌, ଅଞ୍ଚଳବାସୀଙ୍କ ବିରୋଧକୁ ଖାତିର୍‌ କରୁନାହାନ୍ତି ଆନ୍ଧ୍ର ଅଧିକାରୀ। ଦୁଇ ଦୁଇ ଥର ରାୟଗଡ଼ ତହସିଲଦାର ଓ ପୁଲିସ ଫୋର୍ସ ଯାଇ କାମ ବନ୍ଦ କଲେଣି। ତଥାପି ଏଠାକାର ପ୍ରଶାସନ ସହ ଲୁଚକାଳି ଖେଳୁଛନ୍ତି ଆନ୍ଧ୍ର ଅଧିକାରୀ। ପୁନର୍ବାର ଆନ୍ଧ୍ରର ମଞ୍ଜୁଷା ମଣ୍ତଳ ଅଧୀନ ସାବା ଗ୍ରାମ ପଞ୍ଚାୟତର ଶ୍ରମିକମାନେ ଗଙ୍ଗାବାଡ଼ ପଞ୍ଚାୟତରେ ପଶି କାମ କରିବା ପାଇଁ ପ୍ରୟାସ କରୁଛନ୍ତି।

ଦୁଇ ସପ୍ତାହ ପୂର୍ବେ ଓଡ଼ିଶା ସୀମା ମଧ୍ୟରେ ମାଣିକପାଟଣା ନିକଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ମନେରେଗା ଯୋଜନାରେ କାମକୁ ଗଜପତି ଜିଲ୍ଲା ପ୍ରଶାସନ ବନ୍ଦ କରିଥିଲେ। ଗଜପତି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସେ ସମୟରେ ମଞ୍ଜୁଷା ମଣ୍ତଳ ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରି ପୁନର୍ବାର ଓଡ଼ିଶା ମାଟି ଉପରେ ଆନ୍ଧ୍ରପ୍ରଦେଶର କାମ ହେବନାହିଁ ବୋଲି ଆଲୋଚନା କରି ତାଗିଦ୍‌ କରିଥିଲେ। ସେହିଦିନ ମଧ୍ୟ ଆନ୍ଧ୍ରପ୍ରେଦଶର କିଛି ବ୍ୟକ୍ତି ପୋଖରୀ ଖନନ କଲେ ସମସ୍ତଙ୍କର ଲାଭ ହେବ ବୋଲି ଯୁକ୍ତି ଦର୍ଶାଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଏହାକୁ ଖଣ୍ତନ କରିଥିଲେ। ଏହି ଘଟଣାର କିଛିଦିନ ପରେ ପୁନର୍ବାର ସାବା ଅଞ୍ଚଳର ଶ୍ରମିକ ମାନେ ଉକ୍ତ କାମ ଜାରି ରଖିବା ପାଇଁ ପ୍ରୟାସ କରିଥିଲେ। ପରେ ଘଟଣାସ୍ଥଳରେ ର‌ାୟଗଡ଼ ତହସିଲଦାର ପହଞ୍ଚି କାମ ବନ୍ଦ କରିଥିଲେ। ଗଜପତି ଜିଲ୍ଲା ପ୍ରଶାସନ ବାରମ୍ବାର କହିବା ସତ୍ତ୍ବେ ଏବଂ ମଞ୍ଜୁଷା ମଣ୍ତଳ ଅଧିକାରୀମାନଙ୍କୁ ବିବାଦୀୟ ପରିସ୍ଥିତି ନକରିବା ପାଇଁ ଅନୁରୋଧ ସତ୍ତ୍ବେ କାମ ଜାରି ରହୁଛି । ଗତକାଲି ଏହି ସମ୍ପର୍କରେ ମଞ୍ଜୁଷା ମଣ୍ତଳର କିଛି ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ମିଳିଥିଲା ।

ସେମାନଙ୍କ କହିବା ମୁତାବକ ଆନ୍ଧ୍ରପ୍ରଦେଶରେ ନରେଗା କାମ ପ୍ରବଳ ଚାଲିଛି ଏବଂ ଆନ୍ଧ୍ର ସରକାର ଏହାର ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ମଞ୍ଜୁଷା ମଣ୍ତଳରେ ମଧ୍ୟ ଏହି ଯୋଜନା ସକ୍ରିୟ ହୋଇଛି । ତେବେ ଉକ୍ତ କାମ କରିବା ପାଇଁ ସାବା ପଞ୍ଚାୟତରେ ସ୍ଥାନର ଅଭାବ ଯୋଗୁଁ ଏଠାକାର ମନରେଗା କାମ ଓଡ଼ିଶା ମାଟିରେ ହେଉଛି । ସେଠାକାର ଅଧିକାରୀମାନେ ଏହାକୁ ଏହାକୁ ସ୍ବୀକାର କରିଥିବାବେଳେ ଓଡ଼ିଶା ମାଟିରେ ବନ୍ଧ ନିର୍ମାଣ ହେଲେ ସମସ୍ତଙ୍କର ଫାଇଦା ହେବ ବୋଲି ସେମାନେ ଯୁକ୍ତି ଦର୍ଶାଉଛନ୍ତି। ଗଜପତି ପ୍ରଶାସନ କାହିଁକି ଏହାକୁ ବିରୋଧ କରୁଛି ବୋଲି ଓଲଟା କହିଥିଲେ।

ସମ୍ବନ୍ଧିତ ଖବର