୨୭ରୁ ପର୍ଯ୍ୟଟକଙ୍କ ଲାଗି ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ଗଡ଼ିବ ମୋ ବସ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ । ଏହି ଅବସରରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ମୋ ବସ ସେବା ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ମୋ ବସ ସେବା ରୁଟ ନଂ ୫୦ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରୁ ବାହାରି ପୁରୀ ଯିବ । ଠିକ ସେହିପରି ୭୦ ନମ୍ବର ରୁଟରେ ମୋ ବସ କୋଣାର୍କ ଅଭିମୁଖେ ଗଡ଼ିବ ।

କ୍ରୁଟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତିରେ ପ୍ରଥମେ ୨ଟି ବିନା ଏସି ବସ ସେବା ଆରମ୍ଭ ହେବ । ରବିବାର ଦିନ ଗୋଟିଏ ଲେଖାଏଁ ବସ ଉଭୟ ରୁଟରେ ଚାଲିବ । କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି । ଯାତ୍ରୀମାନେ ନିର୍ଦ୍ଧାରିତ ବସ ଭଡ଼ା ଖୁଚୁରା ଆକାରରେ ଦିଅନ୍ତୁ ବୋଲି ଶ୍ରୀ ବୋଥ୍ରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ଦ୍ୱାରା ନୋଟ ଆଦାନପ୍ରଦାନ ଜନିତ ଭୂତାଣୁ ସଂପ୍ରସାରଣ ରୋକିବ ଓ ଯାତ୍ରୀ ଓ ଗାଇଡମାନେ ନିଜକୁ ସୁରକ୍ଷିତ ରଖିପାରିବେ । ସେ କହିଛନ୍ତି, ରୁଟ ନଂ ୫୦ରେ ସର୍ବାଧିକ ୭୦ ଟଙ୍କା ଓ ରୁଟ ନଂ ୭୦ରେ ସର୍ବାଧିକ ୬୦ ଟଙ୍କା ବସ ଭଡ଼ା ରହିବ ।

୫୦ ନମ୍ବର ରୁଟ ମାଷ୍ଟରକ୍ୟାଣ୍ଟିନ, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ, ମାଳୀପାଟପୁର ଓ ପୁରୀରେ ରହିବ । ଠିକ ସେହିପରି ୭୦ ନମ୍ବର ରୁଟର ସମସ୍ତ ମୁଖ୍ୟ ବସଷ୍ଟପ ଦେଇ ମୋ ବସ ଯାତ୍ରା କରିବ । ମାସ୍କ ପିନ୍ଧିଥିବା ଯାତ୍ରୀ କେବଳ ବସରେ ଯାତ୍ରା କରିପାରିବେ । ବସରେ ବିଶେଷ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷାକୁ କ୍ରୁଟ ଗୁରୁତ୍ୱ ଦେଇଛି ।

ସମ୍ବନ୍ଧିତ ଖବର