ଆଜିଠୁ ମୋ ବସ୍ ଚଳାଚଳ ସ୍ୱାଭାବିକ ହେବ
ଭୁବନେଶ୍ୱର : ଡିସେମ୍ବର ୧ରୁ ଭୁବନେଶ୍ବର, କଟକ, ପୁରୀ ଓ ଖୋର୍ଦ୍ଧାରେ ମୋ ବସ୍ ଚଳାଚଳ ସ୍ବାଭାବିକ ହେବ। କେବଳ ରୁଟ୍ ୨୯କୁ ଛାଡ଼ି ମଙ୍ଗଳବାର ଠାରୁ ୨୨ଟି ରୁଟ୍ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟାତ କରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରୁଟ୍ର ସୂଚନା ଅନୁଯାୟୀ, କରୋନା ଜନିତ ସଟ୍ଡାଉନ୍ ଓ ଲକ୍ଡାଉନ୍ ଯୋଗୁଁ ମାର୍ଚ୍ଚ ୨୪ରୁ ମୋ ବସ୍ ସେବା ବନ୍ଦ ହୋଇଯାଇଥିଲା। ହେଲେ ଏହି ସମୟରେ କଣ୍ଟେନମେଣ୍ଟ ଜୋନ୍ରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ମୋ ବସ୍କୁ ବ୍ୟବହାର କରାଯାଇଥିଲା। ଏହାପରେ ମେ ୨୬ରୁ ୭ଟି ରୁଟ୍ରେ ୪୦ଟି ବସ୍ ଚଳାଚଳ କରିଥିଲା। ଯାତ୍ରୀ ବଢିବାରୁ ଏହି ରୁଟ୍ରେ ଜୁନ୍ ମାସରୁ ମୋଟ୍ ୬୬ଟି ବସ୍ ଯାତାୟାତ କରୁଥିଲା। ଜୁଲାଇରେ ଆଉ ଗୋଟିଏ ରୁଟ୍ରେ ବସ୍ ଚଳାଚଳ ଆରମ୍ଭ କରିଥିଲା। ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ଓ କୋଣାର୍କକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ନଭେମ୍ବରରେ ୧୭ଟି ରୁଟ୍ରେ ୧୦୯ଟି ବସ୍ ଚଳାଚଳ କରୁଥିଲା। ଏବେ ସ୍ଥିତି ପ୍ରାୟତଃ ସ୍ବାଭାବିକ ହୋଇଯାଇଥିବାରୁ ୨୨ଟି ରୁଟ୍ରେ ୧୪୪ଟି ବସ୍ ଯାତାୟାତ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ସମସ୍ତ ୨୦୦ଟି ବସ୍ ଗଡ଼ିବ ବୋଲି କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି।