ଚିକିଟି: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ଲାଗି ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ାର ୯ଟି ସହରାଞ୍ଚଳରେ ମୋ ବସ୍ ସେବା ଆରମ୍ଭ ହେବ। ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟର୍‌ରେ ମୋ ବସ୍ ଚଳାଚଳ କରିବ। ତେବ‌େ ଆଶ୍ଚର୍ଯ୍ୟର କଥା ହେଉଛି, ଖୋଦ୍ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ନିର୍ବାଚମଣ୍ଡଳୀ ଚିକିଟିକୁ ଏହି ସେବାରୁ ବାଦ୍ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଚିକିଟି ନିର୍ବାଚନମଣ୍ଡଳୀରୁ ବ୍ରହ୍ମପୁରକୁ ସରକାରୀ ତଥା ସିଟି ବସ୍ ଯାତାୟାତ କରୁ ନଥିବାରୁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଯାତ୍ରୀ ବହୁ ସମୟରେ ଅସୁବିଧା ଭୋଗୁଥିବାର ନଜିର୍ ରହିଛି। ଘରୋଇ ବସ୍ ଏହାର ସୁଯୋଗ ନେଇ ଯାତ୍ରୀଙ୍କଠୁ ନିର୍ଦ୍ଧାରିତ ଦରଠୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହୋଇଛି। ୩୫ କିଲୋମିଟର ରାସ୍ତା ପାଇଁ ବସ୍ ଗୁଡ଼ିକ ୫୦ ଟଙ୍କା ଭଡ଼ା ନେଉଛନ୍ତି। ଘରୋଇ ମିନିବସ୍ ଗୁଡ଼ିକ ସରକାରଙ୍କ ଦ୍ବାରା କିଲୋମିଟର ପିଛା ନିର୍ଦ୍ଧାରିତ ଦରଠୁ ଅଧିକ ୧୮ ଟଙ୍କା ନେଉଛନ୍ତି। କାରଣ ସରକାରୀ ନିୟମାନୁସାରେ, ସାଧାରଣ ବସ୍ (ଅର୍ଡିନେରି ବସ୍) ପାଇଁ ସରକାର କିଲୋମିଟର ପିଛା ୮୯ ପଇସା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଚିକିଟିରୁ ବ୍ରହ୍ମପୁର ଯାତାୟାତ କରୁଥିବା ଘରୋଇ ବସ୍ ଗୁଡ଼ିକ କିଲୋମିଟର ୧ ଟଙ୍କା ୪୨ ପଇସା ହିସାବରେ ୫୦ ଟଙ୍କା ଭଡ଼ା ନେଉଛନ୍ତି। ସେପଟେ ସରକାରୀ ବସ୍ ଚଳାଚଳର ସୁବିଧା ନଥିବାରୁ ବିଚରା ଯାତ୍ରୀଟିଏ ନିରୁପାୟ ସାଜି ଟଙ୍କା ଗଣିବାକୁ ବାଧ୍ୟ ହେଉଛି। ସରକାରୀ କର୍ମଚାରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ, ବେପାରୀ ଏବଂ ବିଭିନ୍ନ ବର୍ଗର ଲୋକ ପ୍ରତିଦିନ ବ୍ରହ୍ମପୁର ସହରକୁ ଘରୋଇ ବସ୍‌ରେ ଆସୁଛନ୍ତି। ବହୁବାର ଦାବି ସତ୍ତ୍ବ‌େ ସରକାରୀ ବସ୍ ଚଳାଚଳ କରାଇବା ଦିଗରେ ସରକାର ଆଗ୍ରହ ଦେଖାଇନାହାନ୍ତି।

ଫଳରେ ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଚିକିଟି ଓ ପାତ୍ରପୁର ବ୍ଲକ ସଦରମହକୁମାରୁ ମୋ ବସ୍ ସରକାର ଆରମ୍ଭ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସବୁ ଫସର ପାଟିଛି। ଚିକିଟିକୁ ଏହି ସେବାରୁ ବାଦ୍ ଦିଆଯିବା ପରେ ସର୍ବସାଧାରଣରେ ନୈରାଶ୍ୟ ଭାବେ ଦେଖିବାକୁ ମିଳିଛି। ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ଚିକିଟିକୁ ମଧ୍ୟ ମୋ ବସ୍ ସେବାରେ ସାମିଲ କରିବାକୁ ଦାବି ହୋଇଛି।