ଭୁବନେଶ୍ବର : ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ଆଉ ତିିନିଟି ଜିଲ୍ଲା ଯଥା ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାର ୯ଟି ସହରାଞ୍ଚଳରେ ମୋ ବସ୍ ସେବା ଆରମ୍ଭ ହେବ। ନଗର ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ବୋଲି ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ସୂଚନା ଦେଇଛନ୍ତି।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ସମ୍ବଲପୁର-ଝାରସୁଗୁଡ଼ା- ବ୍ରଜରାଜନଗର-ବେଲପାହଡ଼ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ମୋ ବସ୍ ଚଳାଚଳ କରିବ। ଏହି ସମ୍ପ୍ରସାରଣ ଦ୍ବାରା ୩ଟି ଜିଲ୍ଲାର ପ୍ରାୟ ୧୧,୬୧,୦୦୦ ସହରାଞ୍ଚଳ ବାସିନ୍ଦା ଉପକୃତ ହେବେ।
ସୂଚନାଯୋଗ୍ୟ, କ୍ରୁଟ୍ ପକ୍ଷରୁ ନଭେମ୍ବର ୬, ୨୦୧୮ରେ ମୋ ବସ୍ ସେବା ଭୁବନେଶ୍ବରରେ ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାରେ ୩୯୦ ଟି ବସ୍ ଚଳାଚଳ କରୁଛି। ଦୈନିକ ୨.୩ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି। ଏହା ପୂର୍ବରୁ ହକି ବିଶ୍ୱକପ ସମୟରେ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ଏହା ରାଉରକେଲା-ବୀରମିତ୍ରପୁର-ରାଜଗଙ୍ଗପୁର ମଧ୍ୟରେ ଚଳାଚଳ କରୁଥିଲା।