‘ମୋ ଛତୁଆ’ ୱେବସାଇଟ୍, ଆପ୍ ଉନ୍ମୋଚିତ

ଛତୁଆର ମାନବୃଦ୍ଧି ସହିତ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ

ଭୁବନେଶ୍ବର : ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ବାରା ‘ମୋ ‌ଛତୁଆ’ ୱେବସାଇଟ୍‌, ଆପ୍ ଓ ସୂଚନା ପରିଚାଳନା ବ୍ୟବସ୍ଥା ଉନ୍ମୋଚିତ ହୋଇଛି। ପୋଖରୀପୁଟସ୍ଥିତ ମିସନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହ ଘରକୁ ନେବା ଖାଦ୍ୟ ବା ଟେକ୍ ହୋମ୍ ରାସନ୍‌ ସ‌ଂଶୋଧିନ ନିୟମାବଳୀକୁ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ‌ୱେବସାଇଟ୍‌ର ଲୋକାର୍ପଣ କରି ଶ୍ରୀମତୀ ସାହୁ କହିଲେ, ଅପପୁଷ୍ଟ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ମହିଳା, ଗର୍ଭବତୀ, କିଶୋରୀ ଓ ଶିଶୁମାନଙ୍କ ଆବଶ୍ୟକୀୟ ପୁଷ୍ଟିସାଧନ ପାଇଁ ପରିପୂରକ ଖାଦ୍ୟ ଯୋଜନା ଦ୍ବାରା ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହାସତ୍ତ୍ବେ ମଧ୍ୟ ଖାଦ୍ୟ ଯୋଗାଣରେ ଅଧିକ ସ୍ବଚ୍ଛତା ଆଣିବା ଓ ପରିଚାଳନା ବ୍ୟବସ୍ଥାକୁ ନିୟମିତ ଭାବେ ନିରୀକ୍ଷଣ ଓ ତଦାରଖ କରିବା ଦିଗରେ ଏହି ୱେବସାଇଟ୍‌ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ଛତୁଆର ମାନବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମନ୍ବିତ ପ୍ରୟାସ ବୋଲି ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ।

‘ମୋ ଛତୁଆ’ ୱେବସାଇଟ୍ ସଂପର୍କରେ ସୂଚନା ଦେଇ ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଲେ, ଏହି ୱେବସାଇଟ୍ ଜରିଆରେ ଛତୁଆ ଯୋଗାଣ, ମାନ ନିର୍ଧାରଣ, ସାମଗ୍ରୀ କ୍ରୟ, ପ୍ରସ୍ତୁତି ଓ ବଣ୍ଟନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇ ପାରିବ। ଏହାସହ ଆପ୍ ଦ୍ବାରା ସଂପୂର୍ଣ୍ଣ ପ୍ରକ୍ରିୟାକୁ ଅନଲାଇନ୍‌ରେ ତଦାରଖ କରାଯିବା ସହିତ ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ମିଶ୍ରଣ କରିବେ। ଯାଞ୍ଚ କମିଟିଙ୍କ ଉପସ୍ଥିତିରେ ନିର୍ଦ୍ଦିଷ୍ଟ ଦିନରେ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କୁ ଛତୁଆ ବଣ୍ଟନ କରାଯିବ। ଏହାସହ ସ୍ବୟଂ ସହାୟକ ଗୋଷ୍ଠୀମାନେ ଅନଲାଇନ୍ ବିଲ୍ ପୈଠ କରିବେ ଓ ଦେୟ ମଧ୍ୟ ଇ-ପେମେଣ୍ଟ ଜରିଆରେ କରାଯିବ। ଏଥିପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀ, ଅଙ୍ଗନବ‌ାଡ଼ି ସୁପରଭାଇଜରମାନେ ଜାରି କରାଯାଇଥିବା ଗାଇଡଲାଇନ୍‌ର ଅନୁପାଳନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ।

‘ମୋ ଛତୁଆ’ ୱେବସାଇଟ୍‌ରେ ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ଆବଶ୍ୟକ ଯନ୍ତ୍ରପାତି, ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସମସ୍ତ ତଥ୍ୟ, ପ୍ରଶିକ୍ଷଣ ମଡ୍ୟୁଲ, ନିୟମାବଳୀ, କାର୍ଯ୍ୟାଦେଶ, ନିର୍ଦେଶାବଳୀ ପ୍ରଭୃତି ଉପଲବ୍ଧ ହେବ। ଅପରପକ୍ଷରେ ଆଜି କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ଗବେଷଣା ପ୍ରତିଷ୍ଠାନ ସହିତ ମହିଳା ଓ ଶିଶୁବିକାଶ ବିଭାଗର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟ ବୈଜ୍ଞାନିକ ଶ୍ରୀଦେବୀ ଅନ୍ନପୂର୍ଣ୍ଣା ସିଂହ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ହିତାଧିକାରୀମାନେ କିଭଳି ଉତ୍କୃଷ୍ଟ ମାନର ଆବଶ୍ୟକ ପୁଷ୍ଟିକର ଶୁଖିଲା ଖାଦ୍ୟ ପାଇପାରିବେ ସେଥିପାଇଁ ଏହି ପ୍ରତିଷ୍ଠାନ ଜରିଆରେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଛତୁଆର ଗୁଣାତ୍ମକ ମାନ ନିୟମିତ ଯାଞ୍ଚ ହେବ।

ଆଜିର ସମ୍ମିଳନୀରେ ବିଭାଗୀୟ କମିସନର ତଥା ନିର୍ଦେଶିକା ସୁଜାତା କାର୍ତିକେୟନ, ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ, ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ଇନିସିଏଟିଭ୍‌ର ଉପ-ସଭାପତି ଦେବଜିତ ମିତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ୩୦ଟି ଜିଲ୍ଲାରୁ ସମାଜ ମଙ୍ଗଳ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର