ମୋ କଲେଜ ଅଭିଯାନ: ୧୫ କଲେଜ ପାଇଁ ୮୫ ଲକ୍ଷ ମଞ୍ଜୁରି

ଭୁବନେଶ୍ୱର : ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଉକ୍ତ ୧୩ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ଅନୁଗୁଳ ଜିଲ୍ଲା ତାଳମୂଳସ୍ଥିତ ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ରେମୁଣା ଡିଗ୍ରି ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲା ଗାଇସିଲଟ୍‌ ବ୍ଲକ୍‌ର ପଞ୍ଚାୟତ ସମିତି ମହାବିଦ୍ୟାଳୟ, କଟକ ଜିଲ୍ଲା ଅସୁରେଶ୍ୱରସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ, ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ, ମହାନଦୀବିହାର ମହିଳା ଡିଗ୍ରି ମହାବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ରହିଛି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀପ୍ରିୟା ଡିଗ୍ରି ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରି ମହାବିଦ୍ୟାଳୟ ଓ ସାରସ୍ୱତ ସନ୍ତକ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲା ଜମନକିରା ଡିଗ୍ରି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାଇକେଲ ଷ୍ଟାଣ୍ଡ୍, ବାସ୍କେଟ ବଲ୍‌ କୋଟ୍‌, କମନ ରୁମ, ଶୌଚାଳୟ ଓ ପାଚେରି ନିର୍ମାଣ ସହ କଲେଜ କୋଠାର ମରାମତି ଆଦି କାର୍ଯ୍ୟ କରାଯିବ। ସେହିପରି କମ୍ପ୍ୟୁଟର୍‌, ଆସବାବପତ୍ର କିଣାଯିବା ସହ କ୍ୟାଣ୍ଟିନ୍‌ ଓ ରିଢିଂ ରୁମ୍‌ର ନବୀକରଣ କରାଯିବ। ଏଥିସହ କଲେଜଗୁଡ଼ିକରେ ଥଣ୍ଡା ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା ହେବ। ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହା ଅଧୀନରେ ୭୫୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି, ରାଜ୍ୟ ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର