‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରମାନେ ଯୋଡ଼ିହୋଇ ବିକାଶର ଭାଗୀଦାର ହୁଅନ୍ତୁ। ଗତକାଲି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ଏହା କହିଛନ୍ତି ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶଦାସ ନାୟକ। ଏଥିସହିତ, ପୁରାତନ ଛାତ୍ରମାନେ ସେମାନଙ୍କ ଶିକ୍ଷାନୁଷ୍ଠାନର ସମସ୍ୟାର ସଠିକ୍ ଭାବେ ସମାଧାନ କରିପାରିବେ ବୋଲି କହିଛନ୍ତି।

ଶ୍ରୀ ନାୟକ ଗସ୍ତ ଅବସରରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାବେଳେ ସେ କହିଥିଲେ, ରାଜ୍ୟରେ ୮ଶହ କଲେଜ ଓ ବିଶ୍ବବିଦ୍ୟାଳୟ ‘ମୋ କଲେଜ ଅଭିଯାନ’ ସହ ଯୋଡ଼ି ହୋଇଛି। ଏଥି‌ରେ ମେଡିକାଲ କଲେଜ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପୁରାତନ ଛାତ୍ରମାନେ ସେମାନଙ୍କ ଶିକ୍ଷାନୁଷ୍ଠାନ ସହ ଯୋଡ଼ିହେଲେ ଏହି ଅଭିଯାନ ସଫଳ ହୋଇପାରିବ। ଏଥିସହିତ ବ୍ରହ୍ମପୁରର ଉଚ୍ଚପ୍ରଂଶସା କରି କହିଥିଲେ, ଏହି ମାଟି ବହୁ ମହାପୁରୁଷ ଓ ରାଜନୈତିକ ବ୍ୟକ୍ତବିଶେଷଙ୍କୁ ଜନ୍ମଦେଇଛି। ସହରର ବହୁବ୍ୟକ୍ତି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚ ପଦବିରେ ରହିଛନ୍ତି। ପୁରାତନ ଛାତ୍ରମାନେ ସେମାନଙ୍କ ଶିକ୍ଷାନୁଷ୍ଠାନ ସହ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ ଯୋଡ଼ି ହେବାକୁ ଶ୍ରୀ ନାୟକ ଆହ୍ବାନ କରିଥିଲେ।

ଏହି ଅବସରରେ ସେ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟଠାରେ ‘ମୋ କଲେଜ୍ ଅଭିଯାନ’ ମାଧ୍ୟମରେ ନିର୍ମିତ ଏକ କମ୍ପ୍ୟୁଟର ଲାବ୍ରୋଟରିକୁ ଉଦ୍‌ଘାଟନ କରିଥିଲେ। ପୁରାତନ ଛାତ୍ର ତଥା ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ଏଥିପାଇଁ ସହାୟତା କରିଥିଲେ। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର ଇ. ବିବେକ ରେଡ଼ୀ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, କୁଳସଚିବ ଆଶୁତୋଷ ସାମଲ ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଶ୍ରୀନାୟକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର