ଭୁବନେଶ୍ବର : ରାଜ୍ୟର ୭ଟି ବଡ଼ କଲେଜର ଭିତ୍ତିଭୂମିର ବିକାଶ ହେବ। କେଉଁଠି ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କରାଯିବ ତ ଆଉ କାହାକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଏଥିପାଇଁ ୩କୋଟି ୧୨ଲକ୍ଷ ୨୩ହଜାର ୭୦୨ ଟଙ୍କା ଖର୍ଚ୍ଚ ହେବ। ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ୭ଟି ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହା ମଞ୍ଜୁର କରାଯାଇଛି। ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ବୈଠକରେ ୭ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଉକ୍ତ ଅର୍ଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ନୂଆ ସ୍ମାର୍ଟ ଶ୍ରେଣୀଗୃହ ଓ ଭିଡିଓ କନ୍ଫରେନ୍ସ ହଲ୍, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍)ରେ ଛାତ୍ରଛାତ୍ରୀଙ୍କ ପାଇଁ ୟଙ୍ଗ୍ ଟିଙ୍କର ସ୍ପେସ୍ କରାଯିବ।
ଉଚ୍ଚଶିକ୍ଷା ବିଭାଗ ଅଧୀନ ବାଙ୍ଗିରିପୋଷିର ଲକ୍ଷ୍ମୀକାନ୍ତ ଡିଗ୍ରି କଲେଜରେ ସାଇକେଲ୍ ଷ୍ଟାଣ୍ଡର ସମ୍ପ୍ରସାରଣ ସହ ବିଜ୍ଞାନ ଲ୍ୟାବ୍ ପ୍ରତିଷ୍ଠା, ଢେଙ୍କାନାଳ ଯୋରନ୍ଦାର ମହିମା ମହାବିଦ୍ୟାଳୟରେ ବୈଦ୍ୟୁତିକ ଉପକରଣ କ୍ରୟ, ଢେଙ୍କାନାଳ ଭୁବନସ୍ଥିତ ବାଜିରାଉତ ମେମୋରିଆଲ୍ ଡିଗ୍ରି କଲେଜର ଷ୍ଟାଫ୍ କମନ୍ ରୁମ୍ର ଉନ୍ନତୀକରଣ ଏବଂ ଗଞ୍ଜାମର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସେମିନାର୍ ଲାଇବ୍ରେରି ପାଇଁ ବହି କ୍ରୟ କରାଯିବ। କଲେଜରେ ଏହି ସବୁ ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ ସହାୟତା ଅର୍ଥ ପ୍ରଦାନ କରିଛନ୍ତି।
ବୈଠକରେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା ‘ମୋ କଲେଜ’ର ଉପାଧ୍ୟକ୍ଷ ବିଷ୍ଣୁପଦ ସେଠୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମୀୟ କୁମାର ରାଉତ, ବିତ୍ତ ଅଧିକାରୀ ଅନିତା ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସଚିବ ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।