ପୁରୀ : ପୁରୀକୁ ସ୍ବଚ୍ଛ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆଜିଠାରୁ ଆରମ୍ଭ ‌ହୋଇଛି। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ଏହାର ଲୋ‌ଗୋ ଓ ଟ୍ୟାଗ ଲାଇନ୍‌ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏଭଳି ଏକ ମହତ କାର୍ଯ୍ୟକୁ ସ୍ବାଗତ କରିଛନ୍ତି।

Advertisment

ଆଜି ମଧ୍ୟାହ୍ନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅଭିଯାନ ଆରମ୍ଭ ପୂର୍ବରୁ ସ୍ବଚ୍ଛତା ଉପରେ ଲୋଗୋ ଓ ଟ୍ୟାଗ୍‌ ଲାଇନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୩ହଜାର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଲୋଗୋ ପ୍ରତିଯୋଗିତାରେ ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ଶ୍ରୀୟାଂଶ ପଣ୍ଡା ଓ ଟ୍ୟାଗ୍‌ ଲାଇନ୍‌ ପ୍ରତିଯୋଗିତାରେ ଡ. ପ୍ରମୋଦ ଚନ୍ଦ୍ର ସ୍ବାଇଁ ପ୍ରଥମ ହୋଇଥିଲେ। ଦୁଇଜଣଙ୍କୁ ଏଥିପାଇଁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ଚେକ୍‌ ଆକାରରେ ଉଭୟ ପ୍ରତିଯୋଗୀଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ଅନ୍ୟପଟେ ୧୮୧ଜଣ ପ୍ରତିଯୋଗୀଙ୍କୁ ସାନ୍ବନ୍ତାମୂଳକ ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସପ୍ତାହେବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନର ପ୍ରଥମ ଦିନରେ ଲୋଗୋ ଉନ୍ମୋଚନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବାବେଳେ ଦ୍ବିତୀୟ ଦିନ ଅର୍ଥାନ୍‌ ନଭେମ୍ବର ୨ ଓ ୩ ତାରିଖରେ ପୁରୀ ପୌରାଞ୍ଚଳରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୪ ତାରିଖରେ ସେବାୟତ ସାହିମାନଙ୍କୁ ବଳକା ମହାପ୍ରସାଦ, କୁଡ଼ୁଆ, ପୂଜା ସାମଗ୍ରୀ ଆଦି ଉଠାଇବା ପାଇଁ ସ୍ବତନ୍ତ୍ର ଗାଡ଼ି ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୬, ୭ ଓ ୮ ତାରିଖରେ ଲୋକଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ, ଘରେ ଘରେ ସଚେତନତା ଲକ୍ଷ୍ୟରେ ସାଇନ୍‌ବୋର୍ଡ଼ ଲଗାଇବା, ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ଆଦି କାର୍ଯ୍ୟକ୍ରମ ରହିଛି।