ଆରମ୍ଭ ହେଲା ‘ମୋ ପରିବାର’ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନିର୍ବାଚନମଣ୍ଡଳୀରେ ପ୍ରଦୀପଙ୍କୁ କୋଣଠେସା

ବ୍ରହ୍ମପୁର/ଗୋଳନ୍ଥରା : କରୋନା ମହାମାରୀ ସହିତ ଦେଶ ଲଢୁଛି। ଲକ୍‌ଡାଉନ୍‌ ସବୁ ବର୍ଗରେ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ବେଶି କ୍ଷିତଗ୍ରସ୍ତ ହୋଇଛନ୍ତି ପ୍ରବାସୀ। ଜୀବିକା ହରାଇ ଡହଳବିକଳ ଅବସ୍ଥାରେ ଭିଟାମାଟି ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଅତ୍ୟନ୍ତ ଦୟନୀୟ। ଚାଲି ଚାଲି ଓ ବିଭିନ୍ନ ମାଧ୍ୟମରେ ପିଲାଛୁଆଙ୍କୁ ଧରି ପ୍ରତିଦିନ ଶହ ଶହ ଓଡ଼ିଆ ଶ୍ରମିକ ବାହାର ରାଜ୍ୟରୁ ଦୟନୀୟ ଅବସ୍ଥାରେ ଫେରୁଛନ୍ତି। ସେମାନଙ୍କୁ ରାଜ୍ୟ ସୀମାରେ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟସେବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଏବଂ ସୁରକ୍ଷିତ ଭାବେ ନିଜ ଅଞ୍ଚଳରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଓଡ଼ିଶା ‘ମୋ ପରିବାର’ର ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ହଳଦିଆପଦର ବସ୍‌ ଟର୍ମିନସ୍‌ରେ ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଶୁଭାରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟକ୍ରମ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆୟୋଜନ ସତ୍ତ୍ବେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କୋଣଠେସା କରାଯିବା ଘଟଣା ବିଜେଡିର ଆଭ୍ୟନ୍ତରୀଣ ରଣନୀତି ଆଡ଼କୁ ଇଙ୍ଗିତ କରୁଛି। ଏତେବେଡ଼ କାର୍ଯ୍ୟକ୍ରମରେ ବିଧାୟକ ପାଣିଗ୍ରାହୀଙ୍କ ଦେଖା ମିଳି ନ ଥିଲା। ତାଙ୍କୁ ଦଳୀୟ ଉପରମହଲ ନିର୍ଦ୍ଦେଶରେ କାର୍ଯ୍ୟକ୍ରମରୁ ଦୂରେଇ ରଖା ଯାଇଥିବା ଚର୍ଚ୍ଚା ଧରିଛି। ଅନ୍ୟପକ୍ଷରେ ଅନ୍ୟ କାମରେ ବ୍ୟସ୍ତତା ହେତୁ ସେ ଯାଇ ନ ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡିର ହେଭିୱେଟ୍‌ ନେତା ବିଧାୟକ ପାଣିଗ୍ରାହୀଙ୍କ ରହସ୍ୟମୟ ଅନୁପସ୍ଥିତିକୁ ନେଇ ଜିଲ୍ଲା ତମାମ୍‌ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଦୀପ ବାବୁ ପୂର୍ବରୁ ମନ୍ତ୍ରୀ ଥିଲେ। ଏଥିସହ ସେ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ମଧ୍ୟ ଥିଲେ। ପ୍ରଥମେ ତାଙ୍କ ବିରୋଧରେ ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କ ବିଦ୍ରୋହ ତାଙ୍କୁ ବିବାଦକୁ ଟାଣିଥିଲା। ଏହାପରେ ଗୋପାଳପୁର ବେଳାଭୂମି ମହୋତ୍ସବ ସମୟରେ ଅଧିକ ବିବାଦୀୟ ହୋଇ ପଡ଼ିଥିଲେ। କିଛିଦିନ ତଳେ କରୋନା ମୁକାବିଲାକୁ ନେଇ ପ୍ରଶାସନକୁ ଅଙ୍ଗୁଳି ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ଚର୍ଚ୍ଚା ପରିସରକୁ ଆସିଥିଲେ। କରୋନା ମୁକାବିଲାରେ ନିର୍ବାଚିତ ପ୍ରତିନିଧିକୁ ସାମିଲ କରିବାକୁ ଚିଠି ଲେଖି ପରୋକ୍ଷରେ ସରକାରଙ୍କ ଅଡ଼କୁ ଅଙ୍ଗୁଳି ଉଠାଇ ଦଳୀୟ ନେତୃତ୍ବର ଚକ୍ଷୁଶୂଳ ହୋଇଥିଲେ। ଏହି ଘଟଣା ପରଠାରୁ ଚର୍ଚ୍ଚାରେ ରହିଥିବା ଗୋପାଳପୁର ବିଧାୟକଙ୍କୁ ଆଜିର କାର୍ଯ୍ୟକ୍ରମରେ ଜାଣିଶୁଣି ଅଣଦେଖା କରା ଯାଇଥିବା ଚର୍ଚ୍ଚା ହେଉଛି।

ତେବେ ଉଲ୍ଲେଖନୀୟ ହେଲା ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ଅରୂପ ପଟ୍ଟନାୟକଙ୍କ ସହ ଅବନୀ କୁମାର ସାହୁ, ଓଡ଼ିଶା ‘ମୋ ପରିବାର’ର ଉପସଭାପତି ଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରଜନୀଶ ମିଶ୍ର, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ ଏବଂ ମହାନଗର ସଭାପତି ବିଜୟ ସାମଲ, ଦଣ୍ଡପାଣି ନାୟକ ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ମଦନମୋହନ ଦଳେଇ, ତୁମ୍ବନାଥ ପଣ୍ଡା, ତେଜେଶ୍ବର ସ୍ବାମୀ,  ଭୀଷ୍ମାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ଓଡ଼ିଶା ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କୋଠାବାଡ଼ି ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ପ୍ରବାସୀ ଓଡ଼ିଆ ଫେରୁଥିବା ଯାଏ ଅର୍ଥାତ ଆସନ୍ତା ୧୦ରୁ ୧୨ଦିନ ପର୍ଯ୍ୟନ୍ତ ଓଡ଼ିଶା ‘ମୋ ପରିବାର’ର ଏହି ସ୍ବତନ୍ତ୍ର କ୍ୟାମ୍ପ୍‌ ଚାଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର